ମର୍ଜାକୁଦ ଘାଟରେ କୁମ୍ଭୀର, ଲୋକେ ଆତଙ୍କିତ
ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଗତ କିଛି ଦିନ ହେବ ଲଗାଣ ବର୍ଷା ଲାଗି ରହିବା ଫଳରେ ମହାନଦୀରେ ବନ୍ୟାପାଣି ଆସି ନଦୀ କୂଳ ଛୁଇଁଛି । ଗତ ୨୮ ତାରିଖରେ ହୀରାକୁଦ ଡ୍ୟାମରୁ ପ୍ରଥମ ବନ୍ୟାଜଳ ଛାଡିବା ପରେ ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଦେଇଥିଲା । ଯାହାଫଳରେ ଲୋକେ ବନ୍ୟାକୁ ଚିନ୍ତାରେ ପଡିଯାଇଥିବା ବେଳେ ଏବେ ଗତ ସାତ ଦିନ ହେବ ଜିଲ୍ଲାରେ ମହାନଦୀର ବିଭିନ୍ନ ଘାଟରେ ଏକ ବଡ ଘଡିଆଳ କୁମ୍ଭୀର ଦେଖାଦେଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଆତଙ୍କିତ ହୋଇପଡିଛନ୍ତି । କୁମ୍ଭୀରଟି ସୋମବାରଠାରୁ ମର୍ଜାକୁଦ ଦ୍ୱୀପାଂଚଳର ବିଭିନ୍ନ ଘାଟରେ ବୁଲୁ ଥିବାର ଲୋକେ ଦେଖି ଭୟଭୀତ ହୋଇ ପଡିଛନ୍ତି । ସାତ ଦିନ ହେବ କୁମ୍ଭୀରଟି ଆସି ହରଭଙ୍ଗା ବ୍ଲକର କରଡି, ହାଟଗାଁ ଘାଟରେ ରହିଥିବା ବେଳେ ଗତକାଲି ଠାରୁ ମର୍ଜାକୁଦ ଘାଟରେ ଦେଖାଦେଇଛି । ଏହି ଖବର ପ୍ରଚାରିତ ହେବା ପରେ ଲୋକେ କୁମ୍ଭୀର ଭୟରେ ନଦୀକୁ ଯିବାକୁ ଉଚିତ ମଣୁନାହାନ୍ତି । ସେପଟେ ବନ ବିଭାଗ କୁମ୍ଭୀରର ସୁରକ୍ଷା ପାଇଁ ମହାନଦୀରେ ଜଗି ରହିଛନ୍ତି । ଲୋକଙ୍କୁ ସେପଟକୁ ନଯିବା ପାଇଁ ବାରଣ କରୁଛନ୍ତି । ମହାନଦୀରେ ବନ୍ୟା ଯୋଗୁଁ କୁମ୍ଭୀରଟି ଟିକରପଡା ରୁ ଚାଲିଆସିଥିବା ଜଣାପଡିଛି । ମତ୍ସ୍ୟଜୀବୀମାନେ ପ୍ରତିଦିନ ମାଛ ମାରି ଗୁଜାରଣ ମେଣ୍ଟାଉଥିବାବେଳେ କୁମ୍ଭୀର ଯୋଗୁଁ ସେମାନେ ମଧ୍ୟ ନଦୀକୁ ଯିବାକୁ ଭୟ କରୁଛନ୍ତି । କୁମ୍ଭୀରଟି ବଡ ହୋଇଥିବାରୁ ଯେ କୌଣସି ମୁହୁର୍ତ୍ତରେ କିଛିବି ଅଘଟଣ ଘଟାଇପାରେ ବୋଲି ସ୍ଥାନୀୟ ଅଞ୍ଚଳବାସୀମାନେ ପ୍ରକାଶ କରିଛନ୍ତି ।
Comments are closed.