ବୌଦ୍ଧ: ବୌଦ୍ଧ ସହର ନିକଟସ୍ଥ ବଙ୍କାପଡା ମହାନଦୀ କୂଳରେ ଥିବା ଆମ୍ବ ବଗିଚାଠାରୁ ଗତ ଶୁକ୍ରବାର ଦିନ ମନମୁଣ୍ଡା ଥାନା ରାକ୍ଷାସକୁଟି ଗ୍ରାମର ସାରଥି ଗୁନାଙ୍କ (୩୪) ମୃତ ଦେହ ଉଦ୍ଧାର ହୋଇଥିଲା। ଏନେଇ ବୌଦ୍ଧ ପୁଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଥିଲା। କିନ୍ତୁ ଘଟଣାର ଦୁଇ ଦିନ ପରେ ମୃତ ସାରଥିର ଭାଇ ଦାଶରଥି ଗୁନା ଏହା ଏକ ହତ୍ୟାକାଣ୍ଡ ବୋଲି ଗଣମାଧ୍ୟମ ସମ୍ମୁଖରେ ଅଭିଯୋଗ କରିଛନ୍ତି। ଦାଶରଥିଙ୍କ ଅଭିଯୋଗ ଅନୁଯାୟୀ ଏହି ଘଟଣା ଜାଣିବା ପରେ ସେ ଘଟଣା ସ୍ଥଳକୁ ଯାଇଥିଲେ ଓ ତାଙ୍କ ଭାଇ ସାରଥିର ବେକରେ ଚିହ୍ନ ଓ ପିଠି ଓ ଆଖି ପତାରେ ମାଡ ଥିବା ଦେଖିଛନ୍ତି।
ପୁଲିସ ପକ୍ଷରୁ ଶବ ବ୍ୟବଛେଦ ରିପୋର୍ଟ ଆଧାରରେ ତଦନ୍ତ ହେବ ବୋଲି କୁହାଯାଉଥିବାବେଳେ ସାରଥୀଙ୍କ ପରିବାର କିନ୍ତୁ ଏହାକୁ ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିବା ସହିତ ଘଟଣାର ତଦନ୍ତ କରାଯାଇ ହତ୍ୟାକାରୀକୁ ଧରିବାସହ ନ୍ୟାୟ ପ୍ରଦାନ ପାଇଁ ଦାବି କରିଛନ୍ତି।



