ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଦଳରେ ଲିଙ୍ଗରାଜ

0

ଭୁବନେଶ୍ୱର : ମହମ୍ମଦ ଜାଫର ଇକବାଲ, ପଙ୍କଜ ଭୂଏ ଓ ସୁଖରାମ ମାଝିଙ୍କ ପରେ ରାଜ୍ୟର ଆଉ ଜଣେ ଦୃଷ୍ଟିହୀନ ଅନ୍ତର୍ଜାତୀୟ କ୍ରିକେଟର ଲିଙ୍ଗରାଜ ରାଉତରାଙ୍କ ଆବିର୍ଭାବ ହୋଇଛି। ଶ୍ରୀଲଙ୍କାର କଲମ୍ବୋରେ ଜୁଲାଇ ୧୫ରୁ ୨୫ ପର୍ଯ୍ୟନ୍ତ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିପାକ୍ଷିକ ଅନ୍ତର୍ଜାତୀୟ ଦୃଷ୍ଟିହୀନ କ୍ରିକେଟ ପ୍ରତିଯୋଗିତା ଖେଳାଯିବ। ପ୍ରତିଯୋଗିତା ଲାଗି ଭାରତୀୟ ଦୃଷ୍ଟିହୀନ କ୍ରିକେଟ ସଂଘ ପକ୍ଷରୁ ମନୋନୀତ ୧୫ ଜଣିଆ ଭାରତୀୟ ଦଳରେ ଏକମାତ୍ର ଓଡ଼ିଆ ଖେଳାଳି ଭାବେ ଲିଙ୍ଗରାଜ ରାଉତରା ସ୍ଥାନ ପାଇଛନ୍ତି।
ପ୍ରଥମ ଥର ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଥିବା ଲିଙ୍ଗରାଜ ଜଣେ ଦକ୍ଷ ଅଲରାଉଣ୍ଡର ଭାବେ ପରିଚିତ। ବି-୩ କାଟାଗୋରୀରେ ଖେଳୁଥିବା ଲିଙ୍ଗରାଜ ବ୍ୟାଟିଂ, ବୋଲିଂ ଓ ଫିଲ୍‍ଡିଂରେ ବେଶ ପାରଙ୍ଗମ। ଓଡ଼ିଶା ପକ୍ଷରୁ ୫ ବର୍ଷ ହେବ ଖେଳି ଆସୁଥିବା ଲିଙ୍ଗରାଜ ଗତ ଏପ୍ରିଲରେ ଆୟୋଜିତ ଜାତୀୟ ଦୃଷ୍ଟିହୀନ କ୍ରିକେଟ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ କରିଥିଲେ। ପ୍ରତିଯୋଗିତା ଲାଗି ଭାରତୀୟ ଦୃଷ୍ଟିହୀନ କ୍ରିକେଟ ସଂଘ ପକ୍ଷରୁ ଖେଳାଳି ମନୋନୟନ ଲାଗି ସମ୍ଭାବ୍ୟ ଶିବିର ଗୁଜରାଟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶାରୁ ୮ଜଣ ଖେଳାଳି ସ୍ଥାନ ପାଇଥିଲେ। ଲିଙ୍ଗରାଜ ଶିବିରରେ ଉତ୍ତମ ପ୍ରଦର୍ଶନ କରି ଚୂଡାନ୍ତ ଦଳରେ ସ୍ଥାନ ପାଇବାରେ ସକ୍ଷମ ହୋଇଛନ୍ତି। ଏହି ସଫଳତା ଲାଗି ଓଡ଼ିଶା ଦୃଷ୍ଟିହୀନ କ୍ରିକେଟ ସଂଘ ସମ୍ପାଦକ ସନ୍ନ୍ୟାସ କୁମାର ବେହେରା ଓ ମୁଖ୍ୟ ଉପଦେଷ୍ଟା ପ୍ରକାଶ କୁମାର ରଥ ପ୍ରମୁଖ ଲିଙ୍ଗରାଜଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଭଲ ପ୍ରଦର୍ଶନ ନେଇ ଆଶା ରଖିଛନ୍ତି।

Leave A Reply