ଆଇପିଏଲ୍‍ର ଅନୁଭୂତି ଭାରତ ବିପକ୍ଷ ଟେଷ୍ଟରେ ସହାୟକ ହେବ : ମୁଜିବ୍‍

0

ନୂଆଦିଲ୍ଲୀ : ଆଫଗାନିସ୍ତାନ କ୍ରିକେଟ୍‍ ଦଳ ନିଜର ପ୍ରଥମ ଟେଷ୍ଟ ମ୍ୟାଚ୍‍ ଭାରତ ବିପକ୍ଷରେ ଆସନ୍ତା ଗୁରୁବାରରୁ ଖେଳିବ। ଏହି ଟେଷ୍ଟରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି ଆଫଗାନିସ୍ତାନର ସ୍ପିନର ମୁଜିବ ଜଦ୍‍ରାନ୍‍। ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ମୁଜିବ କହିଥିଲେ ଗତ ଆଇପିଏଲ୍‍ରେ ସେ ଭାରତୀୟ ସ୍ପିନର ରବିଚନ୍ଦ୍ରନ୍‍ ଅଶ୍ୱିନଙ୍କଠାରୁ ଯେପରି କଳା ଶିକ୍ଷା ଲାଭ କରିଛନ୍ତି ତାହା ତାଙ୍କୁ ଭାରତ ବିପକ୍ଷ ଟେଷ୍ଟରେ ବେଶ୍‍ ସହାୟକ ହେବ ବୋଲି ଆଶା ରହିଛି।
୧୭ ବର୍ଷୀୟ ମୁଜିବ ଆଇପିଏଲ୍‍ରେ କିଙ୍ଗସ୍‍ ଏକାଦଶ ଦଳରେ ସାମିଲ ଥିଲେ। ଏହି ଦଳର ଅଧିନାୟକ ଭାବେ ଦାୟିତ୍ୱ ନିର୍ବାହ କରିଥିବା ରବିଚନ୍ଦ୍ରନ୍‍ ଅଶ୍ୱିନ୍‍ଙ୍କଠାରୁ ସ୍ପିନ ବୋଲିଂ ସଂପର୍କରେ ବହୁ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଲାଭ କରିଛନ୍ତି ବୋଲି ମୁଜିବ ମତ ଦେଇଛନ୍ତି। ଅଶ୍ୱିନ୍‍ଙ୍କ ସହ ସେ ବହୁସମୟ ନେଟ୍‍ସରେ ଅତିବାହିତ କରିଛନ୍ତି। ଏହି ସମୟରେ ଅଶ୍ୱିନ୍‍ ତାଙ୍କୁ ବଲ୍‍ ପିଚ୍‍ର କେଉଁ ସ୍ଥାନରେ ପକାଇବା ଉଚିତ୍‍, ପିଚ୍‍ ଓ ବ୍ୟାଟସମ୍ୟାନ୍‍ଙ୍କ ଶୈଳୀକୁ ଦେଖି କିପରି ବୋଲିଂ କରିବା ଆବଶ୍ୟକ ସେ ସଂପର୍କରେ ବହୁତ ଶିକ୍ଷା ଦେଇଛନ୍ତି। ସେହିପରି ଅଶ୍ୱିନ୍‍ କ୍ୟାରମ୍‍ ବଲ୍‍ କିପରି ପକାଯାଏ ସେ ସଂପର୍କରେ ମଧ୍ୟ ତାଙ୍କୁ ଶିକ୍ଷା ଦେଇଥିବା ମୁଜିବ୍‍ କହିଥିଲେ। ଭାରତ ବିପକ୍ଷ ଟେଷ୍ଟ ମ୍ୟାଚ୍‍ରେ ସେ ଓ ରସିଦ୍‍ ଭଲ ପ୍ରଦର୍ଶନ କରିବେ ବୋଲି ମୁଜିବ୍‍ ଆଶାବ୍ୟକ୍ତ କରିଛନ୍ତି। ଚାପକୁ କିପରି ନିୟନ୍ତ୍ରଣ କରାଯାଏ ତାହା ତାଙ୍କୁ ଆଇପିଏଲ୍‍ରୁ ଶିଖିବାକୁ ମିଳିଛି ବୋଲି ମୁଜିବ ମତ ଦେଇଛନ୍ତି। ମୁଜିବ ଆହୁରି ମଧ୍ୟ କହିଥିଲେ ଭାରତ ପକ୍ଷରୁ ବିରାଟ କୋହଲି ଏହି ଟେଷ୍ଟ ମ୍ୟାଚ୍‍ ଖେଳୁନାହାନ୍ତି। ଦଳର ଥିବା ଅନ୍ୟ ବ୍ୟାଟସମ୍ୟାନ୍‍ଙ୍କ ମଧ୍ୟରୁ ଅଜିଙ୍କ୍ୟ ରାହାଣେ ଓ ଲୋକେଶ ରାହୁଲଙ୍କ ୱିକେଟ୍‍ ଶୀଘ୍ର ନେଇପାରିଲେ ଆଫଗାନିସ୍ତାନ ସୁବିଧାଜନକ ସ୍ଥିତିରେ ରହିବ। ଆଫଗାନିସ୍ତାନ ଦଳ ନିଜର ପ୍ରଥମ ଟେଷ୍ଟ ମ୍ୟାଚ୍‍ ଖେଳିବାକୁ ଯାଉଥିବା ବେଳେ ଏଥିରେ ସାମିଲ ହୋଇ ସେ ନିଜକୁ ସୌଭାଗ୍ୟବାନ୍‍ ମନେ କରୁଛନ୍ତି ବୋଲି ମୁଜିବ କହିଛନ୍ତି।
ଆଫଗାନିସ୍ତାନ ଦଳର ରସିଦ୍‍, ମୁଜିବ, ମହମ୍ମଦ ନବି ଓ ରେହମତ ଶାହାଙ୍କ ଭଳି ସ୍ପିନର ଅଛନ୍ତି। ଏହାକୁ ଦୃଷ୍ଟିରେ ରଖି ଭାରତଠାରୁ ସ୍ପିନ୍‍ ବିଭାଗରେ ଆଫଗାନିସ୍ତାନ ଶକ୍ତିଶାଳୀ ବୋଲି କିଛିଦିନ ତଳେ ମତ ଦେଇଥିଲେ ଆଫଗାନିସ୍ତାନର ଅଧିନାୟକ ଷ୍ଟାନିକ୍‍ଜାଇ। ଆଫଗାନିସ୍ତାନର ୫ଜଣ ସ୍ପିନରଙ୍କ ମଧ୍ୟରୁ ୩ଜଣ ଆଇପିଏଲ୍‍ରେ ଖେଳିଥିବାରୁ ଭାରତୀୟ ପିଚ୍‍ରେ କିପରି ବୋଲିଂ କରିବାକୁ ହୁଏ ସେ କଳା ସେମାନଙ୍କୁ ଭଲ ଭାବେ ଜଣା ବୋଲି ଷ୍ଟାନିକ୍‍ଜାଇ ମତ ଦେଇଥିଲେ।

Leave A Reply