BJD Bijuli 480×75 Mob

ଫେରିଲା କୋଭିଡ କଟକଣା: ପଞ୍ଜାବରେ ସ୍କୁଲ କଲେଜ ବନ୍ଦ, ରାତି କର୍ଫ୍ୟୁ: ତେଲେଙ୍ଗାନା ଓ ମୁମ୍ବଇରେ ସ୍କୁଲ ବନ୍ଦ

BJD Bijuli 480×75 Mob

ନୂଆଦିଲ୍ଲୀ: ଦେଶରେ ଓମିକ୍ରନ ପ୍ରକରଣ ଜନିତ କୋଭିଡ ମହାମାରୀ ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବାବେଳେ ତାହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟ ସରକାର ପୁନର୍ବାର କୋଭିଡ କଟକଣାକୁ କଡାକଡି କରିବା ଆରମ୍ଭ କରିଛନ୍ତି । ପଞ୍ଜାବ ସରକାର ରାଜ୍ୟରେ ସ୍କୁଲ, କଲେଜ ଆଦି ବନ୍ଦ ରଖିବା ସହିତ ରାତ୍ରିକାଳୀନ କର୍ଫ୍ୟୁ ଜାରି କରିଛନ୍ତି । ରାଜ୍ୟରେ ଜାନୁଆରୀ ୧୫ ତାରିଖ ପର୍ଯ୍ୟନ୍ତ ସ୍କୁଲ, କଲେଜ, କୋଚିଂ ଇନଷ୍ଟିଚ୍ୟୁଟ, ବିଶ୍ୱବିଦ୍ୟାଳୟ ଆଦି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ଏଥିସହିତ ରାତି ୧୦ଟାରୁ ଭୋର ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ । ଏହିସବୁ ଶିକ୍ଷାନୁଷ୍ଠାନ ଅନ୍‍ଲାଇନରେ ଶିକ୍ଷାଦାନ ଜାରି ରଖିବାକୁ କୁହାଯାଇଛି । ତେବେ ପଞ୍ଜାବରେ ମେଡିକାଲ ଓ ନର୍ସିଂ କଲେଜ ସ୍ୱାଭାବିକ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି । କୋଭିଡର ଦୁଇପାନ ଟିକା ନେଇଥିବା ଲୋକଙ୍କୁ କେବଳ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, କଳ କାରଖାନା ଆଦିରେ କାମ କରିବାକୁ ଅନୁମତି ଦିଆଯାଇଛି । ଏଥିସହିତ ବାର୍‍, ସିନେମା ହଲ, ମଲ୍ସିପ୍ଲେକ୍ସ, ମଲ୍‍, ରେଷ୍ଟୁରାଣ୍ଟ, ସ୍ପା, ମ୍ୟୁଜିୟମ, ଚିଡିଆଖାନା ଆଦି ୫୦% ସାମର୍ଥ୍ୟରେ ଖୋଲା ରହିବ ।
ତେଲେଙ୍ଗାନା ସରକାର ରାଜ୍ୟରେ ସ୍କୁଲ, କଲେଜ ଆଦିକୁ ଜାନୁଆରୀ ୧୬ ତାରିଖ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି । ମଙ୍ଗଳବାର ଦିନ ରାଜ୍ୟ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଏ ସମ୍ପର୍କରେ ଘୋଷଣା କରିଛନ୍ତି । ରାଜ୍ୟରେ ଦୁଇମାସ ତଳେ ଶିକ୍ଷାନୁଷ୍ଠାନଗୁଡିକ ଖୋଲିବା ସହିତ ଅଫଲାଇନ ପାଠପଢା ଆରମ୍ଭ ହୋଇଥିଲା । ତେବେ ଓମିକ୍ରନ ପ୍ରକରଣ ବ୍ୟାପିବା ପରେ ଅଭିଭାବକମାନେ ଶିକ୍ଷାନୁଷ୍ଠାନଗୁଡିକ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଦାବି ଜଣାଇବା ପରେ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଏଥିସହିତ ରାଜ୍ୟରେ ବର୍ଦ୍ଧିତ କୋଭିଡ ସଂଖ୍ୟାକୁ ଦୃଷ୍ଟିରେ ରଖି ଆବଶ୍ୟକ ହାସପାତାଳ ଶଯ୍ୟା, ଅମ୍ଳଜାନ ଯୋଗାଣ ଆଦିର ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଛି ।
ତାମିଲନାଡୁ ସରକାର ରାଜ୍ୟରେ ତାଲାବନ୍ଦ କଟକଣାକୁ ଜାନୁଆରୀ ୧୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏଥିସହିତ ସାନି କଟକଣା ଲାଗୁ କରାଯାଇଛି । ରାଜ୍ୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଜାନୁଆରୀ ୧୦ ପର୍ଯ୍ୟନ୍ତ ବନ୍ଦ ରହିବ । ପ୍ଲେ ସ୍କୁଲ, ନର୍ସରୀ ସ୍କୁଲ ଏବଂ ସ୍ପୋର୍ଟସ ସ୍କୁଲଗୁଡିକୁ ଖୋଲିବାକୁ ଅନୁମତି ଦିଆଯାଇନାହିଁ । କେବଲ ୯ମରୁ ଦ୍ୱାଦଶ ଏବଂ ଆଇଟିଆଇଗୁଡିକ କୋଭିଡ କଟକଣା ସମ୍ପୂର୍ଣ୍ଣ ଭାବରେ ପାଳନ କରି ଖୋଲିବାକୁ ଅନୁମତି ଦିଆଯାଇଛି । ରେଷ୍ଟୁରାଣ୍ଟ, ଥିଏଟର, ମନୋରଂଜନ ସ୍ଥଳ ଆଦି ୫୦% କ୍ଷମତାରେ କାର୍ଯ୍ୟ କରିବ । ସେହିଭଳି କପଡା ଦୋକାନ, ଅଳଙ୍କାର ଦୋକାନ, କ୍ଲବ, ଜିମ୍‍, ସାଲୁନ, ବିୟୁଟି ପାର୍ଲର, କ୍ରୀଡା ଓ ଯୋଗ କେନ୍ଦ୍ର ଆଦି ମଧ୍ୟ ୫୦% କ୍ଷମତାରେ କାର୍ଯ୍ୟକରିବ । ମେଟ୍ରୋ ଟ୍ରେନ ତାହାର କ୍ଷମତାର ୫୦% ଯାତ୍ରୀଙ୍କୁ ନେଇ ଚଳପ୍ରଚଳ କରିବ । ବିବାହରେ ସର୍ବାଧିକ ୧୦୦ ଓ ଅନ୍ତ୍ୟେଷ୍ଟିକ୍ରିୟାରେ ସର୍ବାଧିକ ୫୦ ଜଣ ସାମିଲ ହେବାକୁ ଅନୁମତି ଦିଆଯାଇଛି ।
ମୁମ୍ବଇରେ ସୋମବାର ଦିନ ୯୨୮ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୪୦ଜଣ ଓମିକ୍ରନରେ ଆକ୍ରାନ୍ତ ଅଛନ୍ତି । ମହାନଗରରେ ସଂକ୍ରମଣ ହାର ୧୬.୩୯% ରହିଛି । ସମୁଦାୟ ରାଜ୍ୟରେ ସୋମବାର ଦିନ ୧୨,୧୬୦ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ହଠାତ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ବିଏମସି ଦ୍ୱାରା ପରିଚାଳିତ ପ୍ରଥମରୁ ୯ମ ପର୍ଯ୍ୟନ୍ତ ସ୍କୁଲ ଏବଂ ଏକାଦଶ ଶ୍ରେଣୀକୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି । ତେବେ ଅନ୍‍ଲାଇନ ପାଠପଢା ଜାରି ରହିବ । ଏଥିସହିତ ଯେଉଁ କୋଠାରେ ୨୦% ଲୋକ କୋଭିଡ ସଂକ୍ରମିତ ଚିହ୍ନଟ ହେବେ, ସେହି ସମୁଦାୟ ଆପାର୍ଟମେଣ୍ଟକୁ ଆବଦ୍ଧାଞ୍ଚଳ ଘୋଷଣା କରିବାକୁ ବ୍ରିହନମୁମ୍ବଇ ମହାନଗର ନିଗମ ଆଦେଶ ଦେଇଛି ।

Comments are closed.