ମେଳ ଖାଉନି ମହାମାରୀ ଅନୁକମ୍ପା

ଓଡ଼ିଶାରେ ୨୫୦୩୨ ଜଣଙ୍କ ମୃତ୍ୟୁ, ୨୦୩୯୭ ପରିବାରକୁ ଅନୁକମ୍ପା, ଦେବଗଡ଼ ସର୍ବନିମ୍ନ, ଖୋର୍ଦ୍ଧା ସର୍ବାଧିକ

ବଲାଙ୍ଗିର : ବାୟୁରେ ମାଡ଼ି ଆସିଥିଲା କରୋନା । ଅଣନିଶ୍ବାସୀ, ଛଟପଟ ହେଉଥିଲେ ଲୋକ। ପରିବାରର ଜଣେ ପରେ ଜଣେ ଶଯ୍ୟାସାୟୀ ହେଉଥିଲେ। ଆରପାରିକୁ ଚାଲି ଯାଉଥିଲେ। ରାଜ୍ୟର ପ୍ରାୟ ପ୍ରତ୍ୟେକ ଘର କାନ୍ଦ ବୋବାଳିରେ ଫାଟି ପଡ଼ୁଥିଲା। କରୋନା ଏଭଳି ମୃତ୍ୟୁ ତାଣ୍ଡବ ରଚିଥିଲା। କିନ୍ତୁ ସମଗ୍ର ଓଡ଼ିଶାରେ ଜିଲା ୱାରି କରୋନା ମୃତ୍ୟୁ ସଂଖ୍ୟା ସରକାରୀ ଭାବେ କେତେ ଥିଲା ଓ ସରକାର ଘୋଷଣା କରିଥିବା ୫୦ ହଜାର ଟଙ୍କା ଅନୁକମ୍ପା ରାଶି କେତେ ପରିବାରଙ୍କୁ ମିଳିଛି ତାହା ସଠିକ ଭାବେ ଲୋକଲୋଚନକୁ ଆସିପାରି ନଥିଲା। ବିଶିଷ୍ଟ ସୂଚନା କର୍ମୀ ହେମନ୍ତ ପଣ୍ଡା ରାଜ୍ୟ ସରକାରଙ୍କଠାରୁ ପାଇଥିବା ତଥ୍ୟ ସାର୍ବଜନୀନ କରିଛନ୍ତି।
କରୋନା ଯୋଗୁଁ ରାଜ୍ୟରେ ୨୫୦୩୨ ଲୋକଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ତଥ୍ୟ ଅନୁସାରେ ଖୋର୍ଦ୍ଧା ଜିଲାରେ ରାଜ୍ୟର ସର୍ବାଧିକ ୫୯୮୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଦେବଗଡ଼ ଜିଲାରେ ସବୁ ଠାରୁ କମ୍‌ (ମାତ୍ର ୭୪ ଜଣ)ଙ୍କ ମୃତ୍ୟୁ ହୋଇଥିବା ସରକାରୀ ତଥ୍ୟରୁ ସ୍ପଷ୍ଟ ହୋଇଛି। ରାଜ୍ୟର ଖୋର୍ଦ୍ଧା ଜିଲା ପରେ ଦ୍ୱିତୀୟରେ କଟକ ଜିଲାରେ ୩୪୬୮ ଜଣ, ସୁନ୍ଦରଗଡ଼ରେ ଜିଲାରେ ୧୯୪୧, ଗଞ୍ଜାମରେ ୧୭୭୨, ସମ୍ବଲପୁରରେ ୧୪୬୮, ବରଗଡ଼ରେ ୮୫୮, ପୁରୀରେ ୭୮୪, ବାଲେଶ୍ୱରରେ ୭୬୮, ଅନୁଗୁଳରେ ୭୨୧, ମୟୁରଭଞ୍ଜରେ ୬୪୭, ଯାଜପୁରରେ ୬୪୫ ଓ ବଲାଙ୍ଗିରରେ ୫୮୬, କଳାହାଣ୍ଡିରେ ୫୨୪, କେନ୍ଦୁଝରରେ ମଧ୍ୟ ୫୨୪ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟାନ୍ୟ ଜିଲାରେ ମୃତ୍ୟୁ ସଂଖ୍ୟା ୫ ଶହ ତଳକୁ ରହିଛି। ସରକାରଙ୍କ ଦ୍ୱାରା ଘୋଷିତ ୫୦ ହଜାର ଟଙ୍କା ଅନୁକମ୍ପା ରାଶି ମୃତକଙ୍କ ପରିବାର ବର୍ଗ ପାଇବା କଥା। ହେଲେ ମାତ୍ର ୨୦ ହଜାର ୩ ଶହ ୯୬ ଟି ପରିବାର ଅନୁକମ୍ପା ସହାୟତା ରାଶି ପାଇଥିବା ତଥ୍ୟରୁ ଜଣାପଡ଼ିଛି। ଅନୁକମ୍ପା ସହାୟତା ରାଶି ପାଇଁ ୨୧ ହଜାର ୧ ଶହ ୭୫ ଜଣ ମୃତକଙ୍କ ପରିବାର ପକ୍ଷରୁ ଆବେଦନ କରାଯାଇଛି। ଅର୍ଥାତ୍‌‌ ୩୮୫୭ ପରିବାର ପକ୍ଷରୁ ଆଦୌ ଆବେଦନ କରାଯାଇ ନଥିବା ତଥ୍ୟରେ କୁହାଯାଇଛି।
ସର୍ବଭାରତୀୟ ସ୍ତରରେ କରୋନା ମୃତକଙ୍କ ପାଇଁ ସରକାରୀ ସହାୟତା ଘୋଷଣା କରାଯାଇଥିଲେ ମଧ୍ୟ ସରକାରୀ ବ୍ୟବସ୍ଥାର ଅନୁକମ୍ପା ମୃତକଙ୍କ ପରିବାରବର୍ଗଙ୍କ ପାଇଁ ନଥିବା କଥା ଏହି ତଥ୍ୟରୁ ସ୍ପଷ୍ଟ ହୋଇଛି। ଆଶ୍ଚର୍ଯ୍ୟର ବିଷୟ, କେତେକ ଜିଲାରେ ମୃତକଙ୍କ ସଂଖ୍ୟାରୁ ଅଧିକ ଲୋକଙ୍କୁ ଅନୁକମ୍ପା ରାଶି ପ୍ରଦାନ କରାଯାଇଥିବା ବେଳେ ଆଉ କେତେକ ଜିଲାରେ କମ ଲୋକଙ୍କୁ ପ୍ରଦାନ କରାଯାଇଛି। ଉଦାହରଣ ସ୍ୱରୂପ, କେନ୍ଦ୍ରାପଡ଼ା ଜିଲାରେ କରୋନା ମୃତ୍ୟୁ ୨୯୫ ଜଣ ଦର୍ଶାଯାଇଥିବା ବେଳେ ୫୨୦ ଜଣଙ୍କୁ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି। ସେହିଭଳି ଅନୁଗୁଳ, ବଲାଙ୍ଗିର, ବାଲେଶ୍ୱର, ବରଗଡ଼, ଭଦ୍ରକ, ଦେବଗଡ଼, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, ନୟାଗଡ଼ ଓ ପୁରୀ ଜିଲାରେ ମୃତକଙ୍କ ସଂଖ୍ୟା ଅପେକ୍ଷା ଅଧିକ ସଂଖ୍ୟକ ପରିବାବର୍ଗଙ୍କୁ ଅନୁକମ୍ପା ରାଶି ଯୋଗାଇ ଦିଆଯାଇଛି। କିନ୍ତୁ କଟକ, ଖୋର୍ଦ୍ଧା, ବୌଦ୍ଧ, ଗଞ୍ଜାମ, ସମ୍ବଲପୁର, କୋରାପୁଟ, ମାଲକାନଗିରି ଜିଲାରେ ମୃତକଙ୍କ ସଂଖ୍ୟା ଠାରୁ ଯଥେଷ୍ଟ କମ ପରିବାରଙ୍କୁ ଅନୁକମ୍ପା ରାଶି ଯୋଗାଇ ଦିଆଯାଇଛି।
ମୃତକଙ୍କ ସଂଖ୍ୟା ସହ ଅନୁକମ୍ପା ରାଶି ପାଇଁ ଆବେଦନକାରୀଙ୍କ ସଂଖ୍ୟା ଓ ଅନୁକମ୍ପା ରାଶି ପ୍ରଦାନ କରାଯାଇଥିବା ସଂଖ୍ୟାରେ ତାଳମେଳ ଆଦୌ ନାହିଁ। ଫଳରେ ଏକ ବଡ଼ ଧରଣର ଅନିୟମିତତା ହୋଇଥିବା ନେଇ ସନ୍ଦେହ ଉପୁଜୁଛି। ଅନୁକମ୍ପାମୂଳକ ସହାୟତା ରାଶିରେ ଏଭଳି ତାଳମେଳ ନଖାଇବା ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ସମ୍ପୃକ୍ତିକୁ ଏଡ଼ାଇ ଦିଆଯାଇ ନପାରେ। ଗୋଟିଏ ପକ୍ଷରେ ରାଜ୍ୟରେ ୫-ଟିକୁ ଆଧାର କରି ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା ଅଣାଯାଉଥିବା କୁହାଯାଉଥିବା ବେଳେ ସହାୟତା ନାଁରେ ବିପୁଳ ଅର୍ଥ ହରିଲୁଟ କାହା ସ୍ୱାର୍ଥରେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଅନ୍ୟପକ୍ଷରେ ଅନୁକମ୍ପା ରାଶି ପାଇ ନଥିବା ମୃତକଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ସମ୍ପୃକ୍ତ ଏଜେନ୍ସି ଯୋଗାଯୋଗ କରିବା ପୂର୍ବକ ପୁନଶ୍ଚ ଯୋଗ୍ୟ ହିତାଧିକାରୀଙ୍କଠାରୁ ଆବେଦନ ପତ୍ର ସଂଗ୍ରହ କରିବା ସହ କେନ୍ଦ୍ର ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ଅନୁକମ୍ପା ରାଶି ତୁରନ୍ତ ପୈଠ କରିବାକୁ ସୂଚନା କର୍ମୀ ଶ୍ରୀ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି।

Comments are closed.