ବିଷ ଦେଇ ପ୍ରେମିକଙ୍କୁ ହତ୍ୟା, ପ୍ରେମିକାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଲେ କୋର୍ଟ

ସମାଜ ଡିଜିଟାଲ ଡେସ୍କ: ବିଷ ଦେଇ ପ୍ରେମିକଙ୍କୁ ହତ୍ୟା କରିବା ଘଟଣାରେ କେରଳର ଏକ ଅତିରିକ୍ତ ଜିଲା ଦୌରାଜଜ କୋର୍ଟ ପ୍ରେମିକାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି। ଏହି ମାମଲାରେ ଦୋଷୀ ସାବ୍ୟସ୍ତ ମହିଳା ଜଣକ ହେଲେ ଗ୍ରୀଷମା। ସେ ୨୦୨୨ରେ ଶାରୋନ ରାଜ ନାମକ ତାଙ୍କ ପ୍ରେମିକଙ୍କୁ ବିଷ ଦେଇ ହତ୍ୟା କରିଥିଲେ।

ଗ୍ରୀଷମାଙ୍କ ଘର ତାମିଲନାଡୁରେ। ଶାରୋନଙ୍କ ଘର କେରଳରେ। କଲେଜରେ ପଢୁଥିବା ବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। କିନ୍ତୁ ଗ୍ରୀଷମାଙ୍କ ପରିବାର ଏହା ଜାଣିବା ପରେ ଶାରୋନଙ୍କ ସହିତ ସମ୍ପର୍କ ଚ୍ଛିନ୍ନ କରିବାକୁ ତାଗିଦ କରିଥିଲେ। ଏହା ପରେ ଗ୍ରୀଷମା ନିଜ ମା’ ଏବଂ ମାମୁଁଙ୍କ ସହିତ ମିଶି ପ୍ରେମିକ ଶାରୋନଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ।
ଯୋଜନା ଅନୁସାରେ ଗ୍ରୀଷମା ଶାରୋନଙ୍କୁ ନିରୋଳାରେ ଭେଟିବାକୁ ଡକାଇଥିଲେ। ଶାରୋନ ପହଞ୍ଚିବା ପରେ ତାଙ୍କୁ ଏକ ଆୟୁର୍ବେଦିକ ମୃଦୁ ପାନୀୟରେ କୀଟନାଶକ ମିଶାଇ ପିଇବାକୁ ଦେଇଥିଲେ। ଶାରୋନଙ୍କୁ କିଛି ଠିକ ନ ଲାଗିବାରୁ ସେ ଉକ୍ତ ମୃଦୁ ପାନୀୟ ପିଇବା ପୂର୍ବରୁ ଏକ ଭିଡିଓ କରିଥିଲେ। ହେଲେ ଗ୍ରୀଷମା ତାଙ୍କୁ ଭିଡିଓ କରିବାକୁ ବାରଣ କରିଥିଲେ। ଏହା ପରେ ଶାରୋନ ଅସୁସ୍ଥ ହୋଇପଡ଼ିଥିଲେ। ଶରୀରରେ ବିଷକ୍ରିୟା ଯୋଗୁ ସେ ଜୀବନ ସହିତ ୧୧ ଦିନ ଧରି ସଂଘର୍ଷ କରିଥିଲେ। ଏପରି କି ଏହି ସମୟ ମଧ୍ୟରେ ସେ ଠୋପାଏ ପାଣି ମଧ୍ୟ ପିଇ ନ ଥିଲେ। ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଅକାମୀ ହୋଇଯିବାରୁ ୨୦୨୨ ଅକ୍ଟୋବର ୨୫ରେ ଶାରୋନଙ୍କ ମୃତ୍ୟୁ ଘଟିଥିଲା। ଅକ୍ଟୋବର ୩୧ରେ ପୁଲିସ ଗ୍ରୀଷମାଙ୍କୁ ଗିରଫ କରିଥିଲା। ଏହି ମାମଲାକୁ କୋର୍ଟ ଅତି ଗମ୍ଭୀର ବୋଲି ଦର୍ଶାଇ ଅଭିଯୁକ୍ତ ପ୍ରେମିକାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି।

Comments are closed.