ସରକାରୀ ଅର୍ଥ ତୋଷରପାତ ଅଭିଯୋଗରେ ସ୍କୁଲ କମିଟି ସଭାପତିଙ୍କୁ ୩ ବର୍ଷ ଜେଲ

ଫୁଲବାଣୀ : ବିଦ୍ୟାଳୟ ଶ୍ରେଣୀ ଗୃହ ନିର୍ମାଣ ପାଇଁ ଆସିଥିବା ସରକାରୀ ଅନୁଦାନକୁ ହଡପ କରିଥିବା ଅଭିଯୋଗର ବିଚାର କରି ଆଜି ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ତତ୍କାଳୀନ ସ୍କୁଲ କମିଟି ସଭାପତିଙ୍କୁ ତିନି ବର୍ଷ ଜେଲଦଣ୍ଡ ଆଦେଶ ଶୁଣାଇଛନ୍ତି । ଏଥିସହ ଦୋଷୀଙ୍କୁ ୧୦ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ଅଭିଯୁକ୍ତଙ୍କୁ ଅଧିକ ୬ ମାସ ଜେଲ ଭୋଗିବାକୁ ପଡିବ ବୋଲି  ଅଦାଲତ ତାଙ୍କ ରାୟରେ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୁକ୍ତ ଜଣକ ହେଲେ ରାଇକିଆ ବ୍ଲକ ସିକବାଡି ପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟିର ତତ୍କାଳୀନ ସଭାପତି ମନୋଜ ପ୍ରଧାନ।

ସୂଚନା ଅନୁଯାୟୀ, ଏହି ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ପାଇଁ ୮ ଲକ୍ଷ ୯୬ ହଜାର ୪୦୦ ଟଙ୍କା ଅନୁଦାନ ମିଳିଥିଲା। ଏଥି ମଧ୍ୟରୁ ୮ ଲକ୍ଷ ଟଙ୍କା ଉଠାଯାଇ କାମ ଆରମ୍ଭ କରାଯାଇଥିଲା। କିନ୍ତୁ କାମ ସମ୍ପୂର୍ଣ୍ଣ ନ ହୋଇ ଅଧାରୁ ବନ୍ଦ ରହିଥିଲା। ଏଥିରେ ଅର୍ଥ ତୋଷରପାତ ହୋଇଥିବା ନେଇ ଦୁର୍ନୀତି ନିବାରଣ ବିଭାଗ ନିକଟରେ ଅଭିଯୋଗ ହେବାରୁ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ୫୭/୧୭ ରେ ଏକ ମାମଲା ରୁଜ୍ଜୁ କରାଯାଇ ତଦନ୍ତ କରାଯାଇଥିଲା। ତଦନ୍ତ ବେଳେ ମାତ୍ର ୨ ଲକ୍ଷ ୧୬ ହଜାର ୩୧୦ ଟଙ୍କା ଖର୍ଚ୍ଚ କରାଯାଇ ବଳକା ୫ ଲକ୍ଷ ୮୩ ହଜାର ୬୯୦ ଟଙ୍କା ଆତ୍ମସାତ କରାଯାଇଥିବା ଜଣାପଡିଥିଲା।

ଫଳରେ ସ୍କୁଲର ପ୍ରଧାନ ଶିକ୍ଷକ ଓ ପରିଚାଳନା କମିଟି ସଭାପତିଙ୍କ ବିରୋଧରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଅଦାଲତରେ କେସ ଚାଲିଥିଲା। ଆଜି ଏହି ମାମଲାର ଶୁଣାଣୀ କରି ଭିଜିଲାନ୍ସ କୋର୍ଟ ବିଚାରପତି ସମର ବିଳାସ ବେହେରା ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ତେବେ ଅନ୍ୟତମ ଅଭିଯୁକ୍ତ ତଥା ବିଦ୍ୟାଳୟର ତତ୍କାଳୀନ ପ୍ରଧାନ ଶିକ୍ଷକଙ୍କ ଇତି ମଧ୍ୟରେ ପରଲୋକ ହୋଇ ଯାଇଥିବାରୁ ତାଙ୍କ ବିରୋଧରେ ମାମଲା ବନ୍ଦ ହୋଇ ଯାଇଥିଲା।

 

Comments are closed.