ସାହି ଜଗିଛନ୍ତି କରୋନା ଯୋଦ୍ଧା

କୋରାପୁଟ : ମହାମାରୀ କରୋନା ଭୂତାଣୁ ସଂକ୍ରମଣରୁ ଦୂରେଇ ରହିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ଜୟପୁରର ମହିଳା ସମାଜ। କରୋନା ଭୂତାଣୁ ସଂକ୍ରମଣ ରୋକିବା ଦିଗରେ ସାମାଜିକ ଦୂରତ୍ୱ ହିଁ ମୁଖ୍ୟ ଅସ୍ତ୍ର ବୋଲି କୁହାଯାଉଥିବାବେଳେ ଏହାକୁ ପାଳନ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି କିଛି ମହିଳା। ହାତରେ ଠେଙ୍ଗା ଧରି ଦିନ ରାତିରେ ସାହି ଭିତରେ ପହରା ଦେଉଛନ୍ତି। ଅମାନିଆଙ୍କୁ ରୋଗର ବ୍ୟାପକତା ଓ ଭୟାବହତା ଉପରେ ବୁଝାଉଛନ୍ତି। ଠେଙ୍ଗା କେବଳ ସଚେତନତା ପାଇଁ ଉଦ୍ଦିଷ୍ଟ କୌଣସି ଉତ୍ତେଜନା ସୃଷ୍ଟି ପାଇଁ ନୁହେଁ ବୋଲି ମଧ୍ୟ ବୁଝିସାରିଛନ୍ତି ସାହି ବାସିନ୍ଦା। ଏଣୁ ସେମାନେ ମଧ୍ୟ ନାରୀ ଜାତିର ଏହି ଚିନ୍ତାଧାରାରେ ସାମିଲ୍‍ ହୋଇ ଆଉ ପୂର୍ବ ଭଳି ଅତ୍ୟାବଶ୍ୟକ କାମ ନ ଥିଲେ ବାହାରକୁ ବାହାରୁନାହାନ୍ତି। ସାହି ସାହିରେ ଠେଙ୍ଗାଧାରୀ ମହିଳା ପ୍ରହରା ଦେଉଛନ୍ତି। ନାରୀ ଶକ୍ତି ହିଁ ମହାନ ଶକ୍ତି ଏହା ସେମାନେ ପ୍ରମାଣ କରି ଦେଖାଇଛନ୍ତି। ଜୟପୁର ସହରର ତିନୋଟି ମହିଳା ସମିତିର କର୍ମକର୍ତ୍ତାଙ୍କ ଏଭଳି ପଦକ୍ଷେପ ସମଗ୍ର ମହିଳା ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛି। ଅନ୍ୟପକ୍ଷରେ ଏଭଳି ମହାବିପତ୍ତି ସମୟରେ ମହିଳା ସମାଜ ଆଗକୁ ଆସିଲେ ଆପେ ଆପେ ପୁରୁଷ ସମାଜ ସଚେତନ ହୋଇଯିବେ ବୋଲି ମତପ୍ରକାଶ ପାଉଛି।

ସୂଚନାଯୋଗ୍ୟ, କରୋନା ଭୂତାଣୁ ମହାମାରୀର ରୂପ ନେଇ ସାରିଥିବାବେଳେ ସମଗ୍ର ବିଶ୍ୱ ଏବେ କରୋନା ଆତଙ୍କରେ ଥରହର। ଆମ ଦେଶ ଓ ରାଜ୍ୟରେ ମଧ୍ୟ ପରିସ୍ଥିତି ବିଷମ। ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ରାଜ୍ୟରେ ପ୍ରଥମ କରୋନା ମୃତ୍ୟୁ ରାଜ୍ୟବାସୀଙ୍କୁ ଚିନ୍ତିତ କରିଛି। ଏଭଳି ସ୍ଥିତିରେ ସାହି ସାହିରେ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସାମାଜିକ ଦୂରତ୍ୱ ହିଁ ଏକମାତ୍ର ଆମୋଘ ଅସ୍ତ୍ର ବୋଲି କୁହାଯାଉଛି। ଏହାକୁ ଦୃଷ୍ଟିରେ ରଖି ଜୟପୁର ୧ ନମ୍ବର ୱାର୍ଡ ଜୟନଗର ଅଞ୍ଚଳ, ଦୁଇ ନମ୍ବର ୱାର୍ଡ ପାଇକ ସାହି ଅଞ୍ଚଳ ଓ ୨୨ନମ୍ବର ୱାର୍ଡ ଅନ୍ତର୍ଗତ ଗଡ଼ିଆମାଳି ସାହି, ଗଡ଼ିଆ ଧୋବା ସାହି, ରାଜୁ ସାହି, ପାଇଲ ସାହି ଆଦି ଅଞ୍ଚଳରେ ମହିଳା ସମାଜ ଅଣ୍ଟା ଭିଡ଼ିଛନ୍ତି। ୧ ନମ୍ବର ୱାର୍ଡର ତାରିଣୀ ମହିଳା ଆରୋଗ୍ୟ ସମିତି, ୨ ନମ୍ବର ୱାର୍ଡ ବୁଢ଼ା ଭୈରବୀ ମହିଳା ଆରୋଗ୍ୟ ସମିତି, ୨୨ ନମ୍ବର ୱାର୍ଡର ଧରିତ୍ରୀ ମହିଳା ଆରୋଗ୍ୟ ସମିତିର କର୍ମକର୍ତ୍ତା ଦିନ ବେଳା ଦୁଇଘଣ୍ଟା ଓ ରାତିରେ ଦୁଇଘଣ୍ଟା ସେମାନେ ଗୋଟିଏ ଲେଖାଏଁ ଠେଙ୍ଗା ଧରି ସାହି ଭିତରେ ପ୍ରହରା ଦେଉଛନ୍ତି। ବିନା କାମରେ ବାହାରୁଥିବା ଲୋକଙ୍କୁ ସଚେତନ କରାଉଛନ୍ତି। ଲୋକଙ୍କୁ ହାତ ଧୋଇବା ପ୍ରଣାଳୀ ଉପରେ ବୁଝାଇବା ସହ ଗଳି କନ୍ଦିରେ ମେଳି ବାନ୍ଧି ଗପସପ ହେବାକୁ ବାରଣ କରୁଛନ୍ତି। ତିନୋଟି ୱାର୍ଡର ମହିଳା ସ୍ୱାସ୍ଥ୍ୟକର୍ମୀ ନିରୂପମା ପାଢ଼ି ଏଭଳି ନିଆରା ସଂଗ୍ରାମର ନେତୃତ୍ୱ ନେଇଛନ୍ତି। ନିରୂପମାଙ୍କ ନେତୃତ୍ୱରେ ଏହି ତିନୋଟି ସମିତିର କର୍ମକର୍ତ୍ତା କରୋନା ମୁକାବିଲାରେ ଜଣେ ଜଣେ ଠେଙ୍ଗା ବାହିନୀର ଭୂମିକା ତୁଲାଉଛନ୍ତି।

ତିନୋଟି ୱାର୍ଡରେ ଏଭଳି କାର୍ଯ୍ୟ ଚାଲିଥିଲେ ମଧ୍ୟ ଆଜି ୨ ନମ୍ବର ୱାର୍ଡ ଅନ୍ତର୍ଗତ ଜୟପୁର ପାଇକ ସାହିରେ ଏଭଳି ଦୃଶ୍ୟ ଦେଖିବା ପରେ ମହିଳା ଠେଙ୍ଗା ବାହିନୀକୁ ନେଇ ଏବେ ଆରମ୍ଭ ହୋଇଛି ଚର୍ଚ୍ଚା। ମହିଳା ସ୍ୱାସ୍ଥ୍ୟକର୍ମୀ ନିରୂପମାଙ୍କ ନେତୃତ୍ୱରେ ଆଶା କର୍ମୀ ତାପସୀ ପାଢ଼ି, ଅଙ୍ଗନବାଡ଼ି କର୍ମୀ କଳ୍ପନା ମିଶ୍ରଙ୍କ ତତ୍ତ୍ୱାବଧାନରେ ବୁଢା ଭୈରବୀ ମହିଳା ଆରୋଗ୍ୟ ସମିତିର ସଭାନେତ୍ରୀ କୁନି ପଣ୍ଡାଙ୍କ ସମେତ ପ୍ରାୟ ୧୪ଜଣ କର୍ମକର୍ତ୍ତା ଠେଙ୍ଗା ଧରି ଲୋକଙ୍କୁ ସଚେତନ କରୁଛନ୍ତି। ଅଙ୍ଗନବାଡ଼ି କର୍ମୀ କଳ୍ପନା ଘରେ ଘରେ ଅଣ୍ଡା ଓ ସୁଖିଲା ଖାଦ୍ୟ ବଣ୍ଟନ କରିବା ସହ ହାତ ଧୋଇବା ପ୍ରଣାଳୀ ଉପରେ ସଚେତନ କରାଉଛନ୍ତି। ପ୍ରଥମେ ପ୍ରଥମେ ଥରେ ଅଧେ ସେମାନଙ୍କ ଏଭଳି ସଚେତନତାକୁ ବିରୋଧାଭାସର ସମ୍ମୁଖିନ ହେବାକୁ ପଡ଼ିଥିଲା। ଲୋକେ ସାମାଜିକ ଦୂରତ୍ୱ ନିୟମକୁ ଭାଙ୍ଗି ଚାଲିଥିଲେ। ତେବେ ପୁଲିସ ମହିଳାଙ୍କ ଏଭଳି ସଚେତନତା ଶୈଳୀକୁ ପୂର୍ଣ୍ଣ ପ୍ରଶଂସା କରିବା ସହ ସେମାନଙ୍କ ପଛରେ ରହିଥିବା ଯୋଗୁଁ ଅମାନିଆ ବୁଝିଯାଇଥିଲେ ନାରୀ ସମାଜର ଶକ୍ତି। ପୂର୍ବାହ୍ଣ ୧୧ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଦୁଇଘଣ୍ଟା ଏମାନେ ଲୋକଙ୍କୁ ସଚେତନ କରାଇବା ସହ ଗହଳି ଭାଙ୍ଗୁଥିବାବେଳେ ଅପରାହ୍ଣରେ ପୁଣି ଦୁଇ ଘଣ୍ଟା ସନ୍ଧ୍ୟା ୭ଟାରୁ ୯ କିମ୍ବା ସାଢ଼େ ୯ଟା ପର୍ଯ୍ୟନ୍ତ ଠେଙ୍ଗା ଧରି ଲୋକଙ୍କୁ ସଚେତନ କରାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ବିନା କାମରେ ସାଇକଲ କିମ୍ବା ଗାଡ଼ି ମୋଟର ଧରି ବାହାରୁଥିବା ଲୋକଙ୍କୁ ସେମାନେ ବୁଝାଇ ଘରକୁ ଫେରାଇବାରେ ସକ୍ଷମ ହେଉଛନ୍ତି। ଆମେ ଠେଙ୍ଗା ଧରିଛୁ ସିନା କାହାର ଅହିତ କରୁନୁ, ପୁଲିସ ବାହିନୀ ସହଯୋଗରେ ଆମେ ଲୋକଙ୍କୁ ସଚେତନ କରୁଛୁ। କରୋନାକୁ ଦୂରେଇଦେବା ପାଇଁ ଅଣ୍ଟା ଭିଡ଼ିଛୁ ବୋଲି କହନ୍ତି ନିରୂପମା ଓ କଳ୍ପନା। ମହାମାରୀ ବ୍ୟାପୁଥିବାବେଳେ ମା’ମାନଙ୍କୁ ଆଗକୁ ଆସି ସମଗ୍ର ମଣିଷ ସମାଜର ରକ୍ଷା କରିବାର ସମୟ ଆସିଛି। ନାରୀ ଶକ୍ତି ସବୁବେଳେ ମହାନ ଶକ୍ତି। ଯଦି ନାରୀ ସମାଜ ନ ଥାନ୍ତା ତେବେ ମଣିଷ ସମାଜ ସୃଷ୍ଟି ହୋଇ ନ ଥାନ୍ତା। ଏଣୁ ବିପତ୍ତି ମୁହାଁ ମଣିଷ ସମାଜକୁ ସଚେତନ କରିବା ସହ ସମାଜର ସୁରକ୍ଷା, ନିଜ ପରିବାର, ଗାଁ, ସହର, ରାଜ୍ୟ ଓ ଦେଶର ସୁରକ୍ଷା ସାଙ୍ଗକୁ ବିଶ୍ୱର ସୁରକ୍ଷା ପାଇଁ ମହିଳା ସମାଜ ଏକତ୍ର ହେବାର ଆବଶ୍ୟକତା ରହିଛି। ପ୍ରତ୍ୟେକ ଘରୁ ଜଣେ ଜଣେ ମହିଳା ଯଦି ସଚେତନ ହୋଇ ସମାଜ ସୁରକ୍ଷା ଦିଗରେ ଅଣ୍ଟା ଭିଡ଼ନ୍ତି ତେବେ କରୋନା ଭଳି ମହାମାରୀର ଭୟାବହତା ଓ ସାମାଜିକ ସଂକ୍ରମଣକୁ ଆପେ ଆପେ ଦୂରେଇ ହେବ ବୋଲି କହନ୍ତି ନିରୂପମା। ତେବେ ସମସ୍ତେ ନାରୀ ଜାତିକୁ ସମ୍ମାନ ଦିଅନ୍ତୁ, ନାରୀ ଜାତିର କଥା ମାନି ଘରେ ରହିବା ସହ ନିଜକୁ ଓ ସମଗ୍ର ସମାଜକୁ ସୁରକ୍ଷିତ ରଖିବାକୁ ସେ ଆହ୍ୱାନ ଦେଇଛନ୍ତି। ଅନ୍ୟପକ୍ଷରେ ସଚେତନତା ସୃଷ୍ଟି ଦିଗରେ ମହିଳାମାନଙ୍କ ଏଭଳି ନିଆରା ପଦକ୍ଷେପ ଆଜି ସମଗ୍ର ମହିଳା ସମାଜ ଆଗରେ ଉଦାହରଣ ସୃଷ୍ଟି କରିଛି।

 

Comments are closed.