www.samajalive.in
Friday, December 5, 2025
26.1 C
Bhubaneswar

କରୋନା ଅପଡେଟ: ଭାରତରେ ୪୩ ସଂକ୍ରମିତ, ସମୀକ୍ଷା କଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ

ସମାଜ ପୋର୍ଟାଲ ଡେସ୍କ: ଦେଶରେ ଆଉ ୪ ଜଣ ବ୍ୟକ୍ତି କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ନିଶ୍ଚିତ ହେବା ପରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪୩ରେ ପହଞ୍ଚିଛି। ନୂଆଦିଲ୍ଲୀରେ ଆଜି ଏ ବିଷୟରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସ୍ୱତନ୍ତ୍ର ସଚିବ ସଞ୍ଜୀବ କୁମାର କହିଛନ୍ତି, ସେହି ୪ ଜଣ ବ୍ୟକ୍ତି କେରଳ, ଦିଲ୍ଲୀ, ଜମ୍ମୁ ଓ ଉତ୍ତର ପ୍ରଦେଶର ବୋଲି ଜଣାପଡ଼ିଛି। ସେ କହିଛନ୍ତି, ସେହି ୪ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ୩ ଜଣ ଇଟାଲୀ ଓ ଇରାନ୍‍କୁ ଗସ୍ତ କରିଥିଲେ।

ଜମ୍ମୁ-କାଶ୍ମୀରରେ କରୋନା ସଂକ୍ରମଣ
ଅନ୍ୟ ପକ୍ଷରେ କିଛିଦିନ ପୂର୍ବେ ଇରାନ୍‍ ଗସ୍ତ କରିଥିବା ଜମ୍ମୁର ଜଣେ ୬୩ ବର୍ଷ ବୟସ୍କା ମହିଳା କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବାର ଜଣାପଡ଼ିଛି। ଫଳରେ ଜମ୍ମୁ-କାଶ୍ମୀରରୁ କରୋନା ଭୂତାଣୁରେ ସଂକ୍ରମିତ ହେବାରେ ସେ ପ୍ରଥମ ବ୍ୟକ୍ତି ହୋଇଛନ୍ତି। ସେହି ମହିଳାଙ୍କ ସହ ଆଉ ଜଣଙ୍କ ଦେହରେ ଭୂତାଣୁ ଥିବାର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା। ଉଭୟଙ୍କର ଜମ୍ମୁ ସରକାରୀ ମେଡିକାଲ୍‍ କଲେଜ୍‍ ହସ୍ପିଟାଲର ଏକ ପୃଥକ୍‍ ୱାର୍ଡ଼ରେ ଚିକିତ୍ସା କରାଯାଉଛି। ସେମାନଙ୍କର ଅବସ୍ଥା ସ୍ଥିର ଥିବାର ଜଣାପଡ଼ିଛି। ଅନ୍ୟ ବ୍ୟକ୍ତିଙ୍କର ପରୀକ୍ଷା ରିପୋର୍ଟ ଏପର୍ଯ୍ୟନ୍ତ ଆସି ନାହିଁ। ସାଉଦି ଆରବ ଗସ୍ତ କରିଥିବା ଆଉ ଜଣେ ମହିଳାଙ୍କୁ ମଧ୍ୟ ଡୋଡ଼ା ସରକାରୀ ମେଡିକାଲ୍‍ କଲେଜ ହସ୍ପିଟାଲରେ ଏକ ପୃଥକ୍‍ ୱାର୍ଡ଼ରେ ଡାକ୍ତରୀ ପର୍ଯ୍ୟବେକ୍ଷଣରେ ରଖାଯାଇଛି। ତାଙ୍କର ରକ୍ତ ନମୁନା ପୁଣେସ୍ଥିତ ଜାତୀୟ ଭୂତାଣୁ ପରୀକ୍ଷାଗାରକୁ ପଠାଯାଇଛି। ଗତ ଶନିବାର ଦିନ ସେହି ଦୁଇ ଜଣ ବ୍ୟକ୍ତିଙ୍କ ଶରୀରରେ ବହୁ ମାତ୍ରାରେ ଭୂତାଣୁ ଥିବାରୁ ଘୋଷଣା କରାଯିବା ପରେ ପ୍ରଶାସନ ପକ୍ଷରୁ କେନ୍ଦ୍ରଶାସିତ ଅଞ୍ଚଳର ୬ଟି ଜିଲ୍ଲାର ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଛୁଟି ଘୋଷଣା କରାଯାଇଥିଲା। କରୋନା ଭୂତାଣୁ ସଂକ୍ରମଣକୁ ନେଇ ଜମ୍ମୁ-କାଶ୍ମୀରରେ କଡ଼ା ସତର୍କତା ଜାରି କରାଯାଇଛି।

- Advertisement -

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମୀକ୍ଷା
କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ରୋକିବା ଦିଗରେ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରାଯାଉଥିବା ବିଷୟ କେନ୍ଦ୍ର ସରକାର ଦେଶର ଜନସାଧାରଣଙ୍କୁ ଆଶ୍ୱାସନା ଦେଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଏ ସମ୍ବନ୍ଧୀୟ ଏକ ସମନ୍ୱୟ ଓ ସମୀକ୍ଷା ବୈଠକ ପରେ ସାମ୍ବାଦିକମାନଙ୍କୁ ଏହା ଜଣାଇଛନ୍ତି। ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ରୋକିବାପାଇଁ ପରିଚାଳନଗତ ପଦକ୍ଷେପ ଗ୍ରହଣ ଓ ପ୍ରସ୍ତୁତିର ସମୀକ୍ଷା କରାଯାଇଛି ଏବଂ ରାଜ୍ୟଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା ସମ୍ବନ୍ଧରେ ଏହି ବୈଠକରେ ଆଲୋଚନା ହୋଇଛି। ବୈଠକରେ ଦିଲ୍ଲୀ ଉପରାଜ୍ୟପାଳ ଅନିଲ୍‍ ବୈଜଲ୍‍, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍‍ ଓ ସମ୍ପୃକ୍ତ ମନ୍ତ୍ରଣାଳୟଗୁଡ଼ିକର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଡକ୍ଟର ହର୍ଷବର୍ଦ୍ଧନ ବିଭିନ୍ନ ବିଭାଗ ଓ ସଂସ୍ଥାଗୁଡ଼ିକ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା ପ୍ରତି ଗୁରୁତ୍ୱ ଆରୋପ କରିଛନ୍ତି। ତାହା ମଧ୍ୟରେ ସଂକ୍ରମିତ ଲୋକମାନଙ୍କ ସଂସ୍ପର୍ଶରେ ଆସୁଥିବା ଲୋକମାନଙ୍କୁ ଚିହ୍ନଟ କରିବା, ସାମୂହିକ ପର୍ଯ୍ୟବେକ୍ଷଣ, ଡାକ୍ତରଖାନାଗୁଡ଼ିକରେ ପୃଥକ୍‍ ୱାର୍ଡ଼ ସ୍ଥାପନ ପାଇଁ ପଦକ୍ଷେପ ଓ ଭୂତାଣୁର ବିପଦ ସଂକ୍ରାନ୍ତରେ ସଚେତନତା ସୃଷ୍ଟି ପ୍ରଭୃତି ଅନ୍ତର୍ଭୁକ୍ତ।

ଦିଲ୍ଲୀରେ ଆଗୁଆ ପଦକ୍ଷେପ
ସେ କହିଛନ୍ତି, ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ ଓ ସମନ୍ୱିତ ଉଦ୍ୟମ ଯୋଗୁଁ ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ରୋକିବାପାଇଁ ସରକାର ସମ୍ପୂର୍ଣ୍ଣ ସମର୍ଥ। ପରିସ୍ଥିତିର ରୀତିମତ ତଦାରଖ କରିବାକୁ ସେ ଦିଲ୍ଲୀ ଉପରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ମାସ୍କ ଅଭାବ ସଂକ୍ରାନ୍ତରେ ମନ୍ତ୍ରୀ କହିଛନ୍ତି, ସୁସ୍ଥ ବ୍ୟକ୍ତିମାନଙ୍କୁ ମୁଖା ବ୍ୟବହାର କରିବାର କୌଣସି ଆବଶ୍ୟକ ନାହିଁ, କେବଳ ଯେଉଁମାନେ ଭୂତାଣୁରେ ସଂକ୍ରମିତ ହୋଇଛନ୍ତି, ସେହିମାନେ ହିଁ ମୁଖା ବ୍ୟବହାର କରିବେ। ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍‍ କହିଛନ୍ତି, କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ରୋକିବାପାଇଁ ସମସ୍ତ ରାଜ୍ୟ ସମନ୍ୱିତ ଭାବେ କାର୍ଯ୍ୟ କରୁଥିବାରୁ ଏହା ଏକ ଅତ୍ୟନ୍ତ ଆନନ୍ଦଦାୟକ ବିଷୟ। ସେ କହିଛନ୍ତି, ଯେଉଁମାନେ ମାସ୍କ ଓ ସାନିଟାଇଜର୍‍ କଳାବଜାରୀ ସହ ସମ୍ପୃକ୍ତ ଥିବାର ପ୍ରମାଣିତ ହେବେ, ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଚୀନ୍‍ ପରେ ଇଟାଲୀରେ ସର୍ବାଧିକ ସଂକ୍ରମଣ
ଚୀନ୍‍ ପରକୁ ଇଟାଲୀରୁ କରୋନା ଭୂତାଣୁ ସଂକ୍ରମଣରେ ସର୍ବାଧିକ ସଂଖ୍ୟକ ଲୋକ ପ୍ରାଣ ହରାଇଥିବା ଜଣାପଡ଼ିଛି। ଇଟାଲୀରେ ଗତକାଲି ସୁଦ୍ଧା ଭୂତାଣୁ ସଂକ୍ରମଣରେ ମୃତ୍ୟବରଣ କରିଥିବା ଲୋକଙ୍କ ସଂଖ୍ୟା ପ୍ରାୟ ୩ ଗୁଣା ବୃଦ୍ଧି ପାଇ ୧୩୩ରୁ ୩୬୬ରେ ପହଞ୍ଚିଛି। ସର୍ବାଧିକ ସଂଖ୍ୟକ ଲୋକ ଇଟାଲୀର ଧନଶାଳୀ ଲୋକମାନେ ବାସ କରୁଥିବା ଉତ୍ତରାଞ୍ଚଳ ଲୋମ୍ବାଡ଼ି ଇଲାକାରେ ମୃତ୍ୟୁବରଣ କରିଛନ୍ତି। ଭୂତାଣୁରେ ସଂକ୍ରମିତ ହେବା କ୍ଷେତ୍ରରେ ମଧ୍ୟ ଇଟାଲୀ ଦକ୍ଷିଣ କୋରିଆକୁ ଅତିକ୍ରମ କରିଯାଇଛି। ବର୍ତ୍ତମାନ ଭୂତାଣୁରେ ସଂକ୍ରମିତ ହୋଇଥିବା ଦେଶଗୁଡ଼ିକ ମଧ୍ୟରେ ଇଟାଲୀର ସ୍ଥାନ ଚୀନ୍‍ ପରକୁ ଦ୍ୱିତୀୟରେ ରହିଛି। ଇଟାଲୀରେ ସଂକ୍ରମିତ ଲୋକମାନଙ୍କ ସଂଖ୍ୟା ଗୋଟିଏ ଦିନ ମଧ୍ୟରେ ୧୫ ଶହରୁ ୭ ହଜାର ୩୦୦କୁ ବୃଦ୍ଧି ପାଇଛି। ଦକ୍ଷିଣ କୋରିଆରେ ଏପର୍ଯ୍ୟନ୍ତ ୭ ହଜାର ଲୋକ ସଂକ୍ରମିତ ହୋଇଥିବାବେଳେ ଏହି ସଂଖ୍ୟାରେ ହ୍ରାସ ଘଟିଛି। ଇତିମଧ୍ୟରେ ଆଜି ଚୀନ୍‍ରୁ ଆଉ ୨୨ ଜଣ ଲୋକଙ୍କର ମୃତ୍ୟୁ ଘଟିବା ସହ ସେଠାରେ କରୋନା ଭୂତାଣୁ ସଂକ୍ରମଣଜନିତ ମୃତ୍ୟୁ ସଂଖ୍ୟା ୩ ହଜାର ୧୧୯ରେ ପହଞ୍ଚିଛି। ତେବେ ଚୀନରେ ଗୋଟିଏ ଦିନରେ ପୂର୍ବାପେକ୍ଷା କମ୍‍ ସଂଖ୍ୟକ ଲୋକ ମୃତ୍ୟୁବରଣ କରିଛନ୍ତି ଓ ସଂକ୍ରମିତ ହୋଇଛନ୍ତି।

ଆମେରିକାରେ ୫ ଶହ ସଂକ୍ରମିତ
ଆମେରିକାରେ ଗତକାଲି ସୁଦ୍ଧା କରୋନା ଭୂତାଣୁ ସଂକ୍ରମିତ ଲୋକଙ୍କ ସଂଖ୍ୟା ୫ ଶହକୁ ଅତିକ୍ରମ କରିଯାଇଛି। ସେଠାରେ ଆଉ ୨ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। କାଲିଫର୍ଣ୍ଣିଆରେ ଏକ ଟେନିସ୍‍ ପ୍ରତିଯୋଗିତାକୁ ବାତିଲ୍‍ କରାଯାଇଛି। ଆମେରିକାର ପ୍ରାୟ ୩୦ଟି ପ୍ରଦେଶରେ କରୋନା ଭୂତାଣୁ ସଂକ୍ରମଣ ବ୍ୟାପିଛି। ଓରେଗୋଁ ରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିବାବେଳେ କାଲିଫର୍ଣ୍ଣିଆ ଓ ନ୍ୟୁୟର୍କର ୬୦ ନିୟୁତ ଲୋକଙ୍କୁ ଅତିରିକ୍ତ ଡାକ୍ତରୀ ସେବା ଯୋଗାଇ ଦିଆଯାଇଛି। କାଲିଫର୍ଣ୍ଣିଆର ଇଣ୍ଡିଆନ୍‍ ୱେଲ୍‍ସ୍‍ରେ ହେବାକୁ ଥିବା ଏ.ଟି.ପି. ଓ ଡବ୍ଲ୍ୟୁ.ଟି.ଏ. ଟେନିସ୍‍ ଟୁର୍ଣ୍ଣାମେଣ୍ଟଗୁଡ଼ିକୁ ବାତିଲ୍‍ କରାଯାଇଛି। ଫଳରେ ସ୍ୱାସ୍ଥ୍ୟଗତ କାରଣକୁ ନେଇ ଆମେରିକାରେ ପ୍ରଥମ ଥରପାଇଁ ଦୁଇଟି ବୃହତ୍‍ କ୍ରୀଡ଼ା କାର୍ଯ୍ୟକ୍ରମକୁ ବାତିଲ୍‍ କରାଯାଇଛି। ପାକିସ୍ତାନରେ ଜଣେ ୫୦ ବର୍ଷ ବୟସ୍କ ବ୍ୟକ୍ତି କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବାର ପରୀକ୍ଷାରୁ ଜଣାପଡ଼ିବା ପରେ ସେଠାରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୭ରେ ପହଞ୍ଚିଛି। ଗତକାଲି କରାଚିର ସେହି ବ୍ୟକ୍ତିଙ୍କ ଶରୀରରେ ଭୂତାଣୁ ଥିବାର ପରୀକ୍ଷାରୁ ଜଣାପଡ଼ିଥିଲା।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories