ଗ୍ରାମାଞ୍ଚଳରେ ବଣ୍ଟନ ହେବ କୋର କାର୍ବନ ଚୁଲା
ସମ୍ବଲପୁର : ବର୍ତ୍ତମାନର କ୍ରମବର୍ଦ୍ଧିଷ୍ଣୁ ଜନ ସଂଖ୍ୟା ଓ ବିକାଶ ପାଇଁ ଶିଳ୍ପ, ଯାନବାହାନ ଆଦିର ବହୁଳ ବ୍ୟବହାର ହେଉଛି । ଏଣୁ ଅତ୍ୟଧିକ ଅଙ୍ଗାରକାମ୍ଲ ସୃଷ୍ଟି ପାଇଁ ସବୁଜ ଗୃହ ଉପରେ ଏବେ ପ୍ରବଳ ଚାପ ସୃଷ୍ଟି ଯୋଗୁଁ ଜୀବନ ଓ ଜୀବିକା ବିପନ୍ନ ହେବାରେ ଲାଗିଛି। ଏଣୁ ଏହାକୁ ଧ୍ୟାନରେ ରଖି ବେସରକାରୀ କମ୍ପାନୀ ‘କୋର କାର୍ବୋନକ୍ସ ସଲ୍ୟୁସନ ପ୍ରାଇଭେଟ ଲିମିଟେଡ’ ପକ୍ଷରୁ ପରିବେଶ ସୁରକ୍ଷା ନିମନ୍ତେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି କ୍ରମରେ କମ୍ପାନୀ ପକ୍ଷରୁ ବିଶ୍ୱର ୧୭ଟି ଦେଶ ସମେତ ଭାରତର ୨୦ଟି ରାଜ୍ୟରେ ଏବେ ‘କୋର କାର୍ବନ ଚୁଲା’ ଗରିବ ଜନତାଙ୍କୁ ମାଗଣାରେ ବଣ୍ଟନ କରାଯାଉଛି। ସମ୍ବଲପୁର ଜିଲାରେ ପ୍ରଥମ ଥର ପାଇଁ ଏହି ଚୁଲାର ସୁଷମ ବଣ୍ଟନ ପାଇଁ ବୁଧବାର କମ୍ପାନୀର ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଭିଏସଏସ ମାର୍ଗ ଠାରେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରରେ ଜିଲାର ୯ ବ୍ଲକର ୨୪ ଜଣ କାର୍ବନ ସାଥି ମାନଙ୍କୁ ଏହି ଚୁଲାର ବିଶେଷତ୍ୱ ଓ ଯୋଜନା ସର୍ମ୍ପକରେ ଆଲୋକପାତ କରାଯାଇଥିଲା। ଏହି ଚୁଲା ପାରମ୍ପରିକ ଚୁଲା ତୁଳନାରେ ପ୍ରାୟ ୭୫ ପ୍ରତିଶତ କମ କାଠରେ କମ ଧୂଆଁ ଓ ସମୟରେ ରୋଷେଇ କରିବାରେ ଫଳପ୍ରଦ ଅଟେ। ଏହି ଚୁଲା ଜଙ୍ଗଲ ସୁରକ୍ଷା ଦିଗରେ ବେଶ ସହାୟ ହେବ। ଏହି ଚୁଲାକୁ ପ୍ରାଥମିକ ସ୍ତରରେ ଗ୍ରାମାଞ୍ଚଳରେ ରହୁଥିବା ଗରିବ, ଅସହାୟ ମାନଙ୍କୁ ମାତ୍ର ୧୦୦ ଟଙ୍କାର ପଞ୍ଜିକରଣ ରାଶି ବଦଳରେ ସମ୍ପୁର୍ଣ୍ଣ ମାଗଣାରେ ପ୍ରଦାନ କରାଯିବ । ଏଥି ସହ ଏହି ଉନ୍ନତ ଚୁଲାକୁ ୪ ବର୍ଷ ବ୍ୟବହାର କରିଥିବା ବ୍ୟବହାରକାରୀଙ୍କୁ ପ୍ରୋତ୍ସାହନ ରାଶି ମଧ୍ୟ ପ୍ରଦାନ କରାଯିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ କମ୍ପାନୀର ବରିଷ୍ଠ ପରିଚାଳକ ଅପୂର୍ବ ଦାଶ, ଆଞ୍ଚଳିକ ପରିଚାଳକ ସରୋଜ କୁମାର ମହାନ୍ତି, ବରିଷ୍ଠ ପରାମର୍ଶଦାତା ଆଶିଷ ଦାସ, ସମ୍ବଲପୁର ଜିଲା ସଂଯୋଜକ ପବିତ୍ର କୁମାର ସ୍ୱାଇଁ ଓ ବିପ୍ଲବ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ। କମ୍ପାନୀ ତରଫରୁ ଆଗାମୀ ଦିନରେ ମାତ୍ର ୧୦୦ ଟଙ୍କା ପଞ୍ଜିକରଣ ରାଶି ନିଆଯାଇ ୧୦ ଲକ୍ଷ ଚୁଲା ବଣ୍ଟନ କରିବାର ଲକ୍ଷ୍ୟ ରଖାଯାଇଛି, ଯାହା ଦ୍ୱାରା ପରିବେଶ ସୁରକ୍ଷାରେ ଏହା ଏକ ମାଇଲଖୁଣ୍ଟ ହେବ ବୋଲି ସୂଚନା ଦିଆଯାଇଛି।
Comments are closed.