www.samajalive.in
Friday, December 12, 2025
16.1 C
Bhubaneswar

ନେହେରୁ ଯାଚିଥିଲେ ଭାରତୀୟ ନାଗରିକତ୍ବ

ନୂଆଦିଲ୍ଲୀ : ପରମାଣୁ ବୋମା ଉଦ୍ଭାବନ କରିଥିବା ପ୍ରସିଦ୍ଧ ଆମେରିକୀୟ ବୈଜ୍ଞାନିକ ଜୁଲିଅସ ରବର୍ଟ ଓପେନ୍‌ହେମର୍‌ଙ୍କ ଜୀବନୀ ଆଧାରିତ ଚଳଚ୍ଚିତ୍ର ‘ଓପେନ୍‌ହେମର’ର ଏକ ଆପତ୍ତିଜନକ ଦୃଶ୍ୟ ପ୍ରଦର୍ଶନ ସମୟରେ ଜଣେ ମହିଳା ଭାଗବତ ଗୀତା ପାଠ କରୁଥିବା ନେଇ ବିବାଦ ସୃଷ୍ଟି ହୋଇଛି। କେନ୍ଦ୍ର ଚଳଚ୍ଚିତ୍ର ପ୍ରାମାଣିକ ପରିଷଦ (ସିବିଏଫ୍‌ସି) ବା ସେନ୍‌ସର ବୋର୍ଡ କିପରି ଏହାକୁ ପ୍ରଦର୍ଶନ ପ୍ରମାଣପତ୍ର ଦେଇଛି ସେଥିନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ବିବ୍ରତ ହୋଇଛନ୍ତି। ସେ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଡକାଇ ଏହି ଦୃଶ୍ୟ ତୁରନ୍ତ ବାଦ୍‌ ଦେବାକୁ ନିର୍ଦେଶ ଦେଇଥିବା ଜଣାପଡ଼ିଛି। ଅତ୍ୟନ୍ତ କ୍ରୋଧିତ ଠାକୁର ଏପରି ଦୃଶ୍ୟକୁ କିଏ ଅନୁମୋଦନ ଦେଇଛି ବୋଲି ପଚାରିଥିବାବେଳେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି।
କାଇ ବାର୍ଡ ଓ ମାର୍ଟିନ ସେରୱିନ୍‌ଙ୍କ ଲିଖିତ ପୁସ୍ତକ ‘ଆମେରିକାନ୍‌ ପ୍ରୋମେଥିଅସ୍‌: ଦି ଟ୍ରିଉମ୍ଫ ଆଣ୍ଡ ଟ୍ରାଜେଡି ଅଫ ଜେ ରବର୍ଟ ଓପେନ୍‌ହେମର’ ଆଧାରରେ ବ୍ରିଟିଶ-ଆମେରିକୀୟ ପ୍ରଯୋଜିତ ଖ୍ରୀଷ୍ଟୋଫର ନୋଲାନ୍‌ଙ୍କ ଦ୍ବାରା ନିର୍ମିତ ଓ ଶୁକ୍ରବାର ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରରେ ସିଲିଆନ୍‌ ମର୍ଫି ଓ ଫ୍ଲୋରେନ୍ସ ପଗ୍‌ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଉଭୟ ରତିକ୍ରୀଡ଼ାରେ ନିମଗ୍ନ ଥିବାବେଳେ ମନସ୍ତତ୍ତ୍ବବିତ୍‌ ଜିନ୍‌ ଟାଟଲର୍‌ (ପଗ୍‌)ଙ୍କ ନିବେଦନକ୍ରମେ ଗୀତାର ଶ୍ଲୋକକୁ ଉଦ୍ଧାର କରି ପରମାଣୁ ବୋମାର ଜନକ ନିଜକୁ ବିଶ୍ବର ମୃତ୍ୟୁ ଓ ବିନାଶକାରୀ ଭାବେ ବର୍ଣ୍ଣନା କରିଛନ୍ତି। ଏହାକୁ ହିନ୍ଦୁତ୍ବ ଉପରେ ଆକ୍ରମଣ ଦର୍ଶାଇ ସୂଚନା ଆୟୁକ୍ତ ଉଦୟ ମହୁରକର ଚଳଚ୍ଚିତ୍ର ପ୍ରଯୋଜକ ନୋଲାନ୍‌ଙ୍କୁ ତୁରନ୍ତ ଏହା ହଟାଇବାକୁ ଚିଠି ଲେଖିଛନ୍ତି।
ଅପରପକ୍ଷରେ ଭାରତ ସହ ଓପେନ୍‌ହେମରଙ୍କ ସମ୍ପର୍କକୁ ନେଇ ଅନ୍ୟ ଏକ ବିବାଦ ଆରମ୍ଭ ହୋଇଛି। ତତ୍କାଳୀନ ଭାରତ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ୧୯୫୪ରେ ଓପେନ୍‌ହେମରଙ୍କୁ ଭାରତର ନାଗରିକତ୍ବ ଗ୍ରହଣ ପାଇଁ ନିବେଦନ କରିଥିଲେ ବୋଲି ସୂଚନା ମିଳିଛି । ଆମେରିକା ସରକାର ଓପେନ୍‌ହେମରଙ୍କୁ ବିବାଦୀୟ ପରିସ୍ଥିତିରେ ଦେଶରୁ ବହିଷ୍କାର କରିଥିଲେ ଏବଂ ତାଙ୍କର ପତ୍ତନ ଘଟିଥିଲା। ଏହି ସମୟରେ ନେହେରୁ ତାଙ୍କୁ ଭାରତୀୟ ନାଗରିକତ୍ବ ଯାଚିଥିଲେ; କିନ୍ତୁ ସେ ନିଜକୁ ‘ରାଷ୍ଟ୍ରଭକ୍ତ’ ବୋଲି ଦର୍ଶାଇ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ ବୋଲି ପୁସ୍ତକରେ ଉଲ୍ଲେଖ ରହିଛି। ସୂଚନାଯୋଗ୍ୟ ଯେ ଓପେନ୍‌ହେମର୍‌ଙ୍କ ଦ୍ବାରା ପ୍ରସ୍ତୁତ ପରମାଣୁ ବୋମାକୁ ଆମେରିକା ୧୯୪୫ରେ ଜାପାନ ଉପରେ ନିକ୍ଷେପ କରିଥିଲା। ୧୯୪୫ ଜୁଲାଇ ୧୬ରେ ବୋମା ପରୀକ୍ଷାବେଳେ ଓପେନ୍‌ହେମ୍‌ ଭାଗବତ୍ ଗୀତାର ଶ୍ଳୋକ ବୋଲୁଥିଲେ ବୋଲି କୁହାଯାଏ। ବର୍କଲେ ୟୁନିଭର୍ସିଟିର ସଂସ୍କୃତ ପ୍ରାଧ୍ୟାପକ ଆର୍ଥର ରାଇଡରଙ୍କଠାରୁ ସେ ଗୀତା ଶିକ୍ଷା କରିଥିଲେ। ମହାବିନାଶ ପରେ ସେ ଆମେରିକାରେ ନାୟକ ପାଲଟି ଯାଇଥିଲେ ସତ; କିନ୍ତୁ ତମାମ ବିଶ୍ବର ଜନତା ତାଙ୍କୁ ବିନାଶକାରୀ ଭାବେ ନିନ୍ଦା କରିବାକୁ ଆମେରିକା ମଧ୍ୟ ନିନ୍ଦିତ ହୋଇଥିଲା। ସେଥିଯୋଗୁଁ ତାଙ୍କୁ କାଠଗଡ଼ାରେ ଛିଡ଼ା ହେବାକୁ ପଡ଼ିଥିଲା ଓ ଦେଶରୁ ବହିଷ୍କୃତ ହୋଇଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories