ଏମ୍ବିଏ ଡିଗ୍ରୀ ଧାରୀ କନଷ୍ଟେବଳ
ଅହମ୍ମଦାବାଦ: ଘରୋଇ କ୍ଷେତ୍ରରେ ଉଚ୍ଚବେତନଯୁକ୍ତ ଚାକିରି ମିଳୁ ନାହିଁ। ତେଣୁ କମ୍ ଦରମା ହେଉ ପଛେ ସରକାରୀ ଚାକିରିକୁ ଯୁବବର୍ଗ ପ୍ରାଥମିକତା ଦେଉଛନ୍ତି। ଚାକିରିର ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିରୁ ଯୁବବର୍ଗ ଏଭଳି ନିଷ୍ପତ୍ତି ନେଉଛନ୍ତି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଗୁଜରାଟ ଭଦୋଦରା ଅଞ୍ଚଳର ନବରଙ୍ଗପୁର ପୁଲିସ ଷ୍ଟେସନ୍ରେ। ଏମ୍ବିଏ ଡିଗ୍ରୀ ହାସଲ କରିବା ପରେ ଦୁଇଜଣ ପୁଲିସ ବିଭାଗରେ ଅସ୍ଥାୟୀ କନଷ୍ଟେବଳ(ଲୋକରକ୍ଷକ ଦଳ) ଚାକିରି କରିଛନ୍ତି। ଉକ୍ତ ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ଯୁ୍କ୍ତ ଦୁଇ ପାସ୍ ଥିଲେ ମଧ୍ୟ ସେଠାରେ ଉଚ୍ଚବୃତ୍ତିଗତ ଶିକ୍ଷାଧାରୀ ୭ ଜଣ ନିଯୁକ୍ତି ପାଇଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ଜଣ ଏମ୍ବିଏ ଡିଗ୍ରୀଧାରୀ ଥିବା ବେଳେ ବିସିଏ, ବିଏ ବିଇଡି, ପିିଜି ଡିସିଏ ଓ ଏସ୍ସି ଡିଗ୍ରୀ ଧାରୀ ଆହୁରି ୫ ଜଣ କର୍ମଚାରୀ ନିଯୁକ୍ତି ପାଇଛନ୍ତି। ଭଦୋଦରା ରେଞ୍ଜ ଆଇଜିପି ଜି ଏସ୍ ମଲ୍ଲିକ କହିଛନ୍ତି ଯେ ୧୭,୫୩୨ ଜଣ ଆବେଦନକାରୀଙ୍କ ମଧ୍ୟରୁ ୫୦ ଭାଗ ସ୍ନାତକ କିମ୍ବା ସ୍ନାତକୋତ୍ତର ଡିଗ୍ରୀ ଧାରୀ। ସେମାନଙ୍କ ମଧ୍ୟରୁ କେତେଜଣ ଅନ୍ୟ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରୁଥିବା ଜଣାପଡ଼ିଛି।