୨୦୧୯ ଲୋକସଭା ନିର୍ବାଚନରେ ତଳର ପରାମଜୟ ପରେ ରାହୁଳ କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ଇସ୍ତଫା ଦେଇଥିଲେ । ଯଦିଓ ତାଙ୍କୁ ୨୦୨୨ ପର୍ଯ୍ୟନ୍ତ ଦଳର ଅଧ୍ୟକ୍ଷ ଭାବରେ ନିର୍ବାଚିତ କରାଯାଇଥିଲା, ତଥାପି ରାହୁଳ ନିଜ ପଦ ଛାଡ଼ିଥିଲେ । ଏହାକୁ ନେଇ ଦଳର କାର୍ଯ୍ୟକର୍ତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା ଓ ସେ ପୁଣି ଦଳର ସଭାପତି ହୁଅନ୍ତୁ ବୋଲି ଦାବି କରି କିଛି ନେତା ଏଆଇସିସି କାର୍ଯ୍ୟାଳୟରେ ଧାରଣା ଦେଇଥିଲେ । ମାତ୍ର ରାହୁଳ ନିଜ ନିଷ୍ପତ୍ତିରେ ଅଟଳ ରହିଥିଲେ ଓ ସୋନିଆଙ୍କୁ ଦଳର ଆନ୍ତରୀଣ ଅଧ୍ୟକ୍ଷ ଭାବରେ ନିଯୁକ୍ତି ଦିଆଯାଇଥିଲା । ମାତ୍ର ଗତ ବର୍ଷାଧିକ କାଳ ଧରି ଦଳର ଯୁବନେତାମାନେ ରାହୁଳଙ୍କୁ ପୁଣି ଦଳର ସଭାପତି କରାଯିବା ନେଇ ଦାବି କରି ଆସୁଛନ୍ତି । ସୂଚନା ଅନୁସାରେ ଦଳର କିଛି ବରିଷ୍ଠ ନେତାଙ୍କ ସହ ପୂର୍ବତନ ମନ୍ତ୍ରୀମାନେ ସୋନିଆଙ୍କୁ ଚିଠି ଲେଖି ଆନ୍ତରୀଣ ଅଧ୍ୟକ୍ଷ ପଦ ବ୍ୟବସ୍ଥାକୁ ଶେଷ କରି ପୂର୍ଣକାଳୀନ ଅଧ୍ୟକ୍ଷ ନିଯୁକ୍ତି ଦେବା ନିମନ୍ତେ ଅନୁରୋଧ କରିଛନ୍ତି ।
କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ ସୋମବାର; ନିଆଯାଇପାରେ ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ: ସୋନିଆ ଗାନ୍ଧୀଙ୍କ ଆନ୍ତରୀଣ ଅଧ୍ୟକ୍ଷ କାର୍ଯ୍ୟକାଳ ଶେଷ ହୋଇଛି । ରାହୁଳ ଗାନ୍ଧୀଙ୍କୁ ଦଳର ଦାୟିତ୍ଵ ଦେବା ନିମନ୍ତେ ଦାବି ବଢ଼ୁଛି । କିଛି ନେତା ଏଥିନେଇ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଥିବା ଗଣମାଧ୍ୟମରେ ଚର୍ଚା ଚାଲିଛି। ଏହି ସ୍ଥିତିରେ ଆସନ୍ତାକାଲି ବସିବାକୁ ଥିବା କଂଗ୍ରେସର କାର୍ଯ୍ୟକାରୀ କମିଟି ବୈଠକ ଅନେକ ଦୃଷ୍ଟିରୁ ଗୁରୁତ୍ଵବହନ କରୁଛି ।ଗତ କିଛି ସପ୍ତାହରେ କଂଗ୍ରେସର କିଛି ଶୀର୍ଷ ନେତା ଖୋଲାଖୋଲି ରାହୁଳଙ୍କୁ ଦଳର ଅଧ୍ୟକ୍ଷ ପଦ ଦିଆଯବା ନେଇ ଦାବି କରିଆସୁଛନ୍ତି । କଂଗ୍ରେସର ମୁଖ୍ୟ ମୁଖପାତ୍ର ରଣଦୀପ ସୁରଜେୱାଲା ଚିଠି କଥାକୁ ଅସ୍ବୀକାର କରିଥିଲେ ହେଁ ରାହୁଳଙ୍କୁ ପୁଣି ଦଳର ସଭାପତି କରାଯିବା ନେଇ ଶତପ୍ରତିଶତ କଂଗ୍ରେସ କାର୍ଯ୍ୟକର୍ତା ଚାହୁଥିବା କହିଛନ୍ତି । ଏସବୁକୁ ଦେଖିଲେ ଆସନ୍ତାକାଲି ଦଳର କାର୍ଯ୍ୟକାରୀ କମିଟି (ସିଡ଼ବ୍ଲ୍ୟୁସି) ଅତ୍ୟନ୍ତ ଗୁରୁତ୍ଵବହନ କରୁଛି ।
ଗତ ବର୍ଷକ ମଧ୍ୟରେ ରାହୁଳ ସଂସଦଠାରୁ ଆରମ୍ଭ କରି କଂଗ୍ରେସ ମୁଖ୍ୟାଳୟ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଗଣମାଧ୍ୟମକୁ ପୁନର୍ବାର କଂଗ୍ରେସ ସଭାପତି ପଦ ଗ୍ରହଣ କରିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି । ଜଣେ ସାଂସଦ ଭାବରେ ସେ ଦଳ ଦ୍ବାରା ଦିଆଯାଉଥିବା କାମ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଯଦି ଆସନ୍ତାକାଲି ରାହୁଳ ପୁନର୍ବାର ନିଜ ଜିଦରେ ଅଟଳ ରହନ୍ତି ତେବେ ସୋନିଆଙ୍କୁ ପୁନର୍ବାର ଆନ୍ତରୀଣ ଅଧ୍ୟକ୍ଷ ଭାବରେ କାର୍ଯ୍ୟକରିବାକୁ ସିଡ଼ବ୍ଲ୍ୟୁସିରେ ପ୍ରସ୍ତାବ ଗୃହୀତ ହୋଇପାରେ । ତେବେ ଗାନ୍ଧୀ ପରିବାର ବାହାରୁ କାହାରିକୁ ସଭାପତି କରାଯିବାକୁ ନେଇ ହେଉଥିବା ଚର୍ଚାକୁ ଅନୁଶୀଳନ କଲେ ଏପରି ସମ୍ଭାବନା କମ୍ ଓ ଗାନ୍ଧୀ ପରିବାର ବାହାରୁ କାହାକୁ ସଭାପତି କରାଯିବା ସହମତି ହେବା ସମ୍ଭାବନା ଆଦୌ ନାହିଁ କହିଲେ ଚଳେ ।
ଯଦିଓ ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଦଳର ନେତୃତ୍ଵ ଅଣଗାନ୍ଧୀ ପରିବାରରୁ କାହାରିକୁ ଦିଆଗଲେ ଆପତ୍ତି ନାହିଁ ବୋଲି କହିଛନ୍ତି ଓ ରାହୁଳ ଏହାକୁ ସମର୍ଥନ କରିଛନ୍ତି, ତଥାପି ଦଳର ନେତାମାନେ ଏହାକୁ ଗ୍ରହଣ କରିବା ପାଇଁ ମାନସିକତା ରଖିନାହାନ୍ତି । ଦଳରେ ଯୋଗ୍ୟ ନେତା ଥାଆନ୍ତୁ ବା ନ ଥାଆନ୍ତୁ, ଦଳର ନେତୃତ୍ଵ ନେବାକୁ କେହି ସକ୍ଷମ ହୁଅନ୍ତୁ କି ନ ହୁଅନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାମ୍ନା କରିବା ପରି ନେତା ରାହୁଳଙ୍କ ଭିନ୍ନ ଆଉ କେହି ନାହାନ୍ତି ବୋଲି ଦଳର ବଡ଼ ନେତାମାନଙ୍କ ମଧ୍ୟରେ ଏକ ଧାରଣା ସୃଷ୍ଟି ହୋଇଛି । ଦ୍ବିତୀୟତଃ ରାହୁଳ କିମ୍ବା ସୋନିଆଙ୍କ ବ୍ୟତୀତ ଅନ୍ୟ କାହା ନେତୃତ୍ଵ ଗ୍ରହଣ କରିବାକୁ ଅନେକ ନେତା ଚାହୁଁ ନାହାନ୍ତି । ଏହି ସ୍ଥିତିରେ ଆସନ୍ତାକାଲି କାର୍ଯ୍ୟକାରୀ କମିଟି ବୈଠକ ଅନେକ ଦୃଷ୍ଟିରୁ ଗୁରୁତ୍ଵବହନ କରୁଥିବା ଚର୍ଚା ହେଉଛି ।
Popular Categories



