ଜୟପୁର: ରାଜସ୍ଥାନ ସରକାର ବିରୋଧରେ ବିଦ୍ରୋହ କରିଥିବା ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟଙ୍କ ବିରୋଧରେ ଦଳ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ତାଙ୍କୁ ଏବଂ ତାଙ୍କ ସମର୍ଥକମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ଲାଗି କଂଗ୍ରେସ ବାଚସ୍ପତିଙ୍କ ନିକଟରେ ଦ୍ବାରସ୍ଥ ହେବା ପରେ ବାଚସ୍ପତି ସେମାନଙ୍କୁ କାରଣଦର୍ଶାଅ ନୋଟିସ ଜାରି କରିଛନ୍ତି। ତେବେ ଏହା ମଧ୍ୟରେ ପାଇଲଟ୍ଙ୍କ ପାଇଁ କଂଗ୍ରେସ ଦ୍ବାର ବନ୍ଦ ହୋଇନାହିଁ ବୋଲି କହିଛନ୍ତି ରାଜସ୍ଥାନର କଂଗ୍ରେସ ପ୍ରଭାରୀ ତଥା ଏଆଇସିସିର ସାଧାରଣ ସମ୍ପାଦକ ଅଭିନାଶ ପାଣ୍ଡେ।
ବୁଧବାର ସଚିନ କହିଥିଲେ ସେ ଏବେ ବି କଂଗ୍ରେସରେ ଅଛନ୍ତି। ସେ ବିଜେପିରେ ଯୋଗଦେବାର ନାହିଁ। ଏହା ପରେ ଅଭିନାଶ ଟ୍ବିଟ୍ କରି କହିଛନ୍ତି, ପାଇଲଟ୍ଙ୍କ ପାଇଁ ଦଳର ଦ୍ବାର ବନ୍ଦ ହୋଇନାହିଁ। ଭଗବାନ ତାଙ୍କୁ ଭଲ ବୁଦ୍ଧି ଦିଅନ୍ତୁ ଏବଂ ସେ ନିଜର ତ୍ରୁଟି ପାଇଁ ଅନୁତାପ କରନ୍ତୁ। ମୁଁ ପ୍ରାର୍ଥନା କରୁଛି ସେ ବିଜେପି ଦ୍ବାରା ବିଛାଯାଇଥିବା ଜାଲରୁ ବାହାରି ଆସନ୍ତୁ।



