ଭୁବନେଶ୍ବର: ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ସରିଛି। ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଓ କଂଗ୍ରେସ ପକ୍ଷରୁ ଉପନିର୍ବାଚନ ପାଇଁ କସରତ ଆରମ୍ଭ ହୋଇଯାଇଛି। ଏହାରି ଭିତରେ କଂଗ୍ରେସରେ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି। ସାମାଜିକ ଗଣମାଧ୍ୟମରେ ଘାସିରାମ ମାଝୀଙ୍କୁ ଦଳ ନୂଆପଡ଼ା ପ୍ରାର୍ଥୀ ଭାବେ ଦର୍ଶାଇଛି। କଂଗ୍ରେସର ଅଫିସିଆଲ ‘ଏକ୍ସ’ ହ୍ୟାଣ୍ଡେଲ୍ରୁ ଏପରି ପୋଷ୍ଟକୁ ନେଇ ଦ୍ବନ୍ଦ୍ବ ଦେଖାଦେଇଛି।
ଏହି ପୋଷ୍ଟରେ ଉଲ୍ଲେଖ ଅଛି ଯେ, ‘ନୂଆପଡ଼ା ନ୍ୟାୟ ସମାବେଶ’ ସଫଳ ରୂପେ ଅନୁଷ୍ଠିତ ହୋଇଯାଇଛି। ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସମେତ ନୂଆପଡ଼ା ପ୍ରାର୍ଥୀ ଘାସିରାମ ମାଝୀ ଏବଂ ଅନ୍ୟ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହି ଆଗାମୀ ଉପନିର୍ବାଚନରେ କଂଗ୍ରେସ କିପରି ବିଜୟ ଲାଭ କରିବ ଏବଂ ନୂଆପଡ଼ାରେ ନ୍ୟାୟ ସ୍ଥାପନା ପାଇଁ ନୂଆପଡ଼ାବାସୀଙ୍କ ଆଶୀର୍ବାଦ କାମନା କରିଛନ୍ତି। କେବଳ ଏହି ପୋଷ୍ଟ ନୁହେଁ ପିସିସି ପକ୍ଷରୁ ଗଣମାଧ୍ୟମକୁ ଦିଆଯାଇଥିବା ପ୍ରେସ୍ ବିଜ୍ଞପ୍ତିରେ ବି ଘାସିରାମ ନୂଆପଡ଼ା ବିଧାୟକ ପ୍ରାର୍ଥୀ ବୋଲି ଉଲ୍ଲେଖ କରାଯାଇଛି।
ବିଧିବଦ୍ଧ ଭାବେ ଦଳ ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା ପୂର୍ବରୁ ସାମାଜିକ ଗଣମାଧ୍ୟମରେ ପ୍ରାର୍ଥୀ ଭାବେ କାହା ନାଁ ଲେଖାଯାଇ ନ ଥାଏ। କଂଗ୍ରେସ ଏକ ଜାତୀୟ ଦଳ ହୋଇଥିବାବେଳେ ନିଷ୍ପତ୍ତି ହାଇକମାଣ୍ଡଙ୍କ ହାତରେ ଥାଏ। ରାଜ୍ୟରୁ ନାଁ ପଠାଗଲେ ବି ଶୀର୍ଷ ନେତୃତ୍ବ ମୋହର ମାରିଥାନ୍ତି। ତିନୋଟି ପର୍ଯ୍ୟାୟରେ ପ୍ରାର୍ଥୀ ମନୋନୟନ ହୋଇଥାଏ। ପ୍ରଦେଶ ଇଲେକ୍ସନ କମିଟି, ସ୍କ୍ରିନିଂ କମିଟି ଏବଂ ସେଣ୍ଟ୍ରାଲ ଇଲେକ୍ସନ କମିଟି ଆଦିର ଭୂମିକା ପ୍ରାର୍ଥୀ ମନୋନୟନରେ ଗୁରୁତ୍ବପୂର୍ଣ୍ଣ। ବିଧିବଦ୍ଧ ପ୍ରକ୍ରିୟା ଅବଲମ୍ବନ ନ କରି ଘାସିରାମଙ୍କୁ ଆଗୁଆ ଦଳର ପ୍ରାର୍ଥୀ ଘୋଷଣା କରି ରାଜ୍ୟ କଂଗ୍ରେସ କି ବାର୍ତ୍ତା ଦେବାକୁ ଚାହୁଁଛି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।
ନୂଆପଡ଼ା ନ୍ୟାୟ ସମାବେଶ ସଫଳ ରୂପେ ଅନୁଷ୍ଠିତ ହୋଇଯାଇଛି। ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସମେତ ନୂଆପଡ଼ା ପ୍ରାର୍ଥୀ ଶ୍ରୀ ଘାସିରାମ ମାଝୀ ଏବଂ ଅନ୍ୟ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହି ଆଗାମୀ ଉପନିର୍ବାଚନରେ କଂଗ୍ରେସ କିପରି ବିଜୟ ଲାଭ କରିବ ଏବଂ ନୂଆପଡ଼ା ରେ ନ୍ୟାୟ ସ୍ଥାପନା ପାଇଁ ନୂଆପଡ଼ା ବାସୀଙ୍କ ଆଶିର୍ବାଦ କାମନା କରିଛନ୍ତି।… pic.twitter.com/ytY7THpEaX
— Odisha Congress (@INCOdisha) October 6, 2025
ଉଲ୍ଲେଖନୀୟ ଯେ, ଘାସିରାମ କଂଗ୍ରେସର ନୂଆପଡ଼ା ଜିଲା ସଭାପତି ଭାବେ ନିକଟରେ ନିଯୁକ୍ତ ହୋଇଛନ୍ତି। ସେ ଚଳିତ ଉପନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହେବା ଏକପ୍ରକାର ସ୍ପଷ୍ଟ ବୋଲି ଦଳୀୟ ମହଲରେ ମଧ୍ୟ ଆଲୋଚନା ହେଉଛି। ତଥାପି ବିଧିବଦ୍ଧ ଘୋଷଣାକୁ ଅପେକ୍ଷା ନ କରି ରାଜ୍ୟ କଂଗ୍ରେସ କାହିଁକି ସାମାଜିକ ଗଣମାଧ୍ୟମରେ ପ୍ରାର୍ଥୀଙ୍କ ନାମ ପ୍ରକାଶ କଲା; ତାହା ଚର୍ଚ୍ଚାର ବିଷୟ ହୋଇଛି। ଏହା ଭୁଲବଶତଃ ହୋଇଛି ନା ଜାଣିଶୁଣି ଏପରି କରାଯାଇଛି; ସେନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ସୂଚନାଥାଉକି, ୨୦୨୪ରେ ଘାସିରାମ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ି ଦ୍ବିତୀୟ ସ୍ଥାନରେ ରହିଥିଲେ। ସେ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କଠାରୁ ୧୦, ୮୮୧ ଖଣ୍ଡ ଭୋଟ୍ରେ ପରାଜିତ ହୋଇଥିଲେ। କଂଗ୍ରେସ ପ୍ରାର୍ଥୀ ଶରତ ପଟ୍ଟନାୟକ ମାତ୍ର ୧୫, ୫୦୧ ଖଣ୍ଡ ଭୋଟ୍ ପାଇ ଚତୁର୍ଥ ସ୍ଥାନରେ ରହିଥିଲେ। ଏଥର ଘାସିରାମଙ୍କୁ ପ୍ରାର୍ଥୀ କରି ବିଜେପି ଓ ବିଜେଡିକୁ ଟକ୍କର ଦେବାକୁ ଯୋଜନା ରଖିଛି କଂଗ୍ରେସ।



