ଭବାନୀପାଟଣା : କଳାହାଣ୍ଡି ଜିଲାରେ ଖରିଫ ଧାନକିଣା ପ୍ରକ୍ରିୟା ଆରମ୍ଭରୁ ପୁଣି ମିଲର୍ସ ଓ ଯୋଗାଣ ବିଭାଗ ମଧ୍ୟରେ ବିବାଦୀୟ ସ୍ଥିତି ଦେଖା ଦେଲାଣି। ପ୍ରାପ୍ୟକୁ ନେଇ ମିଲର୍ସ ଓ ଯୋଗାଣ ବିଭାଗ ମଧ୍ୟରେ ରହିଥିବା ସମସ୍ୟା ଯୋଗୁଁ ମିଲର୍ମାନେ ଏଥର ଧାନ ସଂଗ୍ରହରେ ସହଯୋଗ କରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ଫଳରେ ଏଥର ବି ଚାଷୀମାନେ ଅଭାବୀ ବିକ୍ରିର ଶିକାର ହେବେ। ସେହିପରି ଧାନ ସଂଗ୍ରହ ଓ ମିଲିଂ ପ୍ରକ୍ରିୟାରେ ସାମିଲ ହେଉଥିବା ହଜାର ହଜାର ଶ୍ରମିକ ମଧ୍ୟ ପ୍ରଭାବିତ ହେବା ଆଶଙ୍କା ପ୍ରକାଶ ପାଇଛି।
ଏସବୁ ପ୍ରଶାସନ ଜାଣି ବି ପଦକ୍ଷେପ ନେଉ ନଥିବାରୁ ସମସ୍ୟା ଜଟିଳ ଆଡ଼କୁ ଯାଉଛି। ପ୍ରକାଶ ଯେ, ୨୦୧୯-୨୦ ବର୍ଷର ଚାଉଳ ସଂଗ୍ରହ ଏବେ ସରିବାକୁ ବସିଲାଣି। ଅଥଚ ମିଲର୍ସଙ୍କ ଟ୍ରାନ୍ସପୋର୍ଟି, ଅନଲୋଡିଂ, ଗୋଦାମରେ ଧାନ ରକ୍ଷଣାବେକ୍ଷଣା ବାବଦକୁ ୨୫ରୁ ୩୦ କୋଟି ଟଙ୍କା ଏବଂ ପ୍ରାୟ ସାଢ଼େ ୭ ଲକ୍ଷ ଖାଲିବସ୍ତା ବାକି ରହିଛି। ବୋଲି ସେମାନେ କହୁଛନ୍ତି। ଏରୁ ମିଲର୍ମାନେ ତାଙ୍କର ବକେୟା ପ୍ରାପ୍ୟ ଓ ବସ୍ତା ନଦେଲେ ଏଥର ଧାନ ସଂଗ୍ରହରେ ସହଯୋଗ କରିବେ ନାହିଁ ବୋଲି ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଅନ୍ୟପଟେ ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ଅଶୋକ ଦାସ ମିଲର୍ସଙ୍କ କୌଣସି ବକେୟା ନାହିଁ ବୋଲି କହିଛନ୍ତି। ଫଳରେ ପୁଣି ବିବାଦୀୟ ସ୍ଥିତି ସୃଷ୍ଟି ହୋଇଛି। ଏହାର ସିଧାସଳଖ ପ୍ରଭାବ କଳାହାଣ୍ଡିର ଚାଷୀଙ୍କ ଉପରେ ପଡ଼ିବ। ଚାଷୀମାନେ ଆରମ୍ଭରୁ ହଇରାଣ ହରକତ ହୋଇ ଦଲାଲଙ୍କ ଜରିଆରେ ଅତି କମ୍ ଦରରେ ଧାନ ବିକ୍ରି କରିବାକୁ ବାଧ୍ୟ ହେବେ।
ମିଲ୍ ମାଲିକଙ୍କ କହିବା ଅନୁସାରେ, ଯୋଗାଣ ବିଭାଗ କରୁଥିବା ନୀତିକୁ ଠିକ୍ ଭାବେ କାର୍ୟ୍ୟକାରୀ କରୁନଥିବାରୁ ସେମାନେ କ୍ଷତି ସହୁଛନ୍ତି। ବିଭାଗୀୟ କାର୍ୟ୍ୟରେ ସ୍ୱଚ୍ଛତା ରହୁନଥିବାରୁ ମିଲର୍ମାନେ ହଇରାଣ ହେଉଥିବା ସେମାନେ ଅଭିଯୋଗ କରୁଛନ୍ତି। ୨୦୧୮-୧୯ରେ ଗାଡ଼ି ଭଡ଼ା ବାବଦକୁ କିମି ପ୍ରତି ୨୨ ଟଙ୍କା ୫୦ ପଇସା ପ୍ରତି ୧୦ କିମି ପାଇଁ ଦେଉଥିଲେ। କିନ୍ତୁ ୨୦୧୯-୨୦ ବର୍ଷରେ ତାକୁ ୧୮ଟଙ୍କା ୫୦ ପଇସା କରିଦେବାରୁ ପ୍ରାୟ ୬ କୋଟି ଟଙ୍କା ମିଲର୍ସ ହରାଇଥିବା ଅଭିଯୋଗ କରିଛନ୍ତି। ତେଲ ଦର ବଢ଼ିଥିଲେ ମଧ୍ୟ ପରିବହନ ବାବଦକୁ ଟଙ୍କା କାଟିବାରୁ ସେମାନେ କ୍ଷତି ସହୁଛନ୍ତି ବୋଲି କହୁଛନ୍ତି। ସେହିପରି ଏକ କୁଇଣ୍ଟାଲ ଚାଉଳ ପାଇଁ ୪ଟି ବସ୍ତା ଦରକାର ପଡେ। ସେହି ହିସାବରେ ବିଭାଗ ୨ଟି ନୂଆବସ୍ତା ଓ ମିଲର୍ସ ୨ଟି ବସ୍ତା ଦେବା କଥା। କିନ୍ତୁ ବିଭାଗ ଗତ ବର୍ଷର ୭ ଲକ୍ଷ ୫୦ ହଜାର ବସ୍ତା ଦେଇନାହିଁ ବୋଲି ମିଲରମାନେ ଅଭିଯୋଗ କରିଛନ୍ତି।
ପୂର୍ବରୁ ଜିଲାର ମୋଟ ୧୧୯ ଗୋଟି ରାଇସ୍ ମିଲ୍ କାମ କରୁଥିଲା। ବାରମ୍ବାର କ୍ଷତି ଯୋଗୁଁ ଏବେ ୪୭ଟି ମିଲ୍ ବନ୍ଦ ହୋଇ ତାହା ୭୨ରେ ପହଞ୍ଚିଲାଣି। ବିଭାଗର ଏପରି ନୀତି ଲାଗି ରହିଲେ ଆଗକୁ ଆହୁରି ଅନେକ ମିଲ୍ ବନ୍ଦ ହୋଇଯିବ ବୋଲି ମିଲର୍ମାନେ ପ୍ରକାଶ କରିଛନ୍ତି। ନିୟମ ଅନୁଯାୟୀ ମିଲର୍ସ କଷ୍ଟମ ମିଲିଂକୁ ଛାଡ଼ିଦେଲେ ଆଉ କିଛି କରିବା କଥା ନୁହେଁ। କିନ୍ତୁ ଏଠାରେ ଯୋଗାଣ ବିଭାଗର ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥା ଯୋଗୁଁ ଚାଷୀମାନେ ବି ହଇରାଣ ହେଉଛନ୍ତି। ଏଣୁ ସରକାର ଏ ଦିଗରେ ହସ୍ତକ୍ଷେପ କରିବା ପାଇଁ ବିଭିନ୍ନ ମହଲରେ ଦାବି ହେଉଛି।



