ମେଘା ହାଇସ୍କୁଲରୁ କମ୍ପ୍ୟୁଟର ଚୋରି
ଆଠଗଡ : ଆଠଗଡ ଥାନା ଅନ୍ତର୍ଗତ ମେଘାସ୍ଥିତ ବିଶ୍ୱେଶ୍ୱର ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟର ଶ୍ରେଣୀଗୃହ ତାଲାଭାଙ୍ଗି କମ୍ପ୍ୟୁଟର ଆଦି ଚୋରୀ ହୋଇଥିବା ଅଭିଯୋଗ ହୋଇଛି। ରବିବାର ବିଳମ୍ବିତ ରାତିରେ କେହି ଦୁର୍ବୁତ ସ୍କୁଲର କମ୍ପ୍ୟୁଟର ଶ୍ରେଣୀଗୃହର ଲୁହାକବାଟ ତାଲା ଭାଙ୍ଗି ସେଥିରେ ଥିବା କମ୍ପ୍ୟୁଟର, ମାଇକ୍, ମେସିନ ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଚୋରୀ କରିନେଇଥିବା ଜଣାପଡିଛି। ସକାଳେ ସ୍କୁଲ ଖୋଲିବା ପରେ ଏ ସଂପର୍କରେ ପ୍ରଧାନଶିକ୍ଷକ ଜାଣିବା ପରେ ଆଠଗଡ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଆଇଆଇସି ବାମଦେବ ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ ତଦନ୍ତକାରୀ ଅଧିକାରୀ ସହକାରୀ ନିରୀକ୍ଷକ ବିଶ୍ୱଜିତ୍ ଜେନା ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ ମଧ୍ୟ ଚୋର କିମ୍ବା ଚୋରୀ ସାମଗ୍ରୀ ଉଦ୍ଧାର କରିବାରେ ସକ୍ଷମ ହୋଇନାହାଁନ୍ତି । ୪୦୦ପିଲା ପଢୁଥିବା ଉକ୍ତ ବିଦ୍ୟାଳୟ ଚତୁଃପାଶ୍ୱର୍ରେ ପାଚେରୀ ନଥିବାରୁ ସ୍କୁଲ ମଧ୍ୟରେ ଅସାମାଜିକ ତତ୍ୱଙ୍କର ଆଡ୍ଡା ଜମୁଥିବାବେଳେ ବାରମ୍ବାର ସ୍କୁଲରୁ ଚୋରି ହେଉଥିବା ଅଭିଯୋଗ ହେଉଛି। ଏବେ ବିଦ୍ୟାଳୟ ରୂପାନ୍ତରୀକରଣ ଯୋଜନାର ତୃତୀୟ ପର୍ଯ୍ୟାୟରେ ଏହି ବିଦ୍ୟାଳୟଟି ସାମିଲ ହୋଇଥିବାବେଳେ ଏହାର ସୁରକ୍ଷାକୁ ଦୃଷ୍ଟିରେ ରଖି ଚତୁଃପାଶ୍ୱର୍ରେ ପ୍ରାଚୀର ନିର୍ମାଣ ପାଇଁ ଦାବି ହେଉଛି।
Comments are closed.