ମେଣ୍ଟ ସରକାର କେତେ ସଫଳ ? କ’ଣ କହୁଛି ଅତୀତର ଘଟଣାବଳୀ ? ଆସନ୍ତୁ ଜାଣିବା…

ସମାଜ ଡିଜିଟାଲ ଡେସ୍କ: ଜୁନ ୯ରେ ଦେଶରେ ନୂଆ ସରକାର ଗଠନ ହେବାକୁ ଯାଉଛି। ବାରାଣସୀରୁ ସାଂସଦ ଭାବେ ନିର୍ବାଚିତ ହୋଇଥିବା ନରେନ୍ଦ୍ର ମୋଦୀ କ୍ରାମଗତ ୩ୟ ଥର ଲାଗି ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏହା ପୂର୍ବରୁ ସେ ୨୦୧୪ରେ ପ୍ରଥମ ଏବଂ ୨୦୧୯ରେ ୨ୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଉଭୟ ଥର ବିଜେପିକୁ ସ୍ପଷ୍ଟ ବହୁମତ ମିଳିଥିଲା। କିନ୍ତୁ ଏଥର ମୋଦୀଙ୍କୁ ମେଣ୍ଟ ସରକାର ଚଳାଇବାକୁ ପଡ଼ିବ।

ମୋଦୀ ପ୍ରଥମ ଥର ପାଇଁ ମେଣ୍ଟ ସରକାର ଚଳାଇବେ। ଏହା ପୂର୍ବରୁ ସେ ୨୦୦୧ରୁ ୨୦୧୩ ପର୍ଯ୍ୟନ୍ତ ଗୁଜରାଟ ମୁଖ୍ୟମନ୍ତ୍ରୀ ରହିଥିଲେ। ଏହା ପରେ ୨୦୧୪ରୁ ୨୦୨୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରହିଥିଲେ। କିନ୍ତୁ ତୃତୀୟ ପାଳିରେ ବିଜେପିକୁ ସ୍ପଷ୍ଟ ବହୁମତ ମିଳି ନ ଥିବାରୁ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)ର ସହଯୋଗୀ ଦଳଗୁଡ଼ିକର ସମର୍ଥନ ବଳରେ ମୋଦୀ ସରକାର ଗଠନ କରିବାକୁ ଯାଉଛନ୍ତି। ତେବେ ଆସନ୍ତୁ ଜାଣିବା ଅତୀତରେ ଦେଶରେ କେବେ କେବେ ମେଣ୍ଟ ସରକାର ଗଠନ ହୋଇଛି ? କେଉଁ ମେଣ୍ଟ ସରକାର କେତେ ସଫଳ ହୋଇଛି ଆଉ କେତେ ଦିନ ଚାଲିଛି ?

୧୯୭୯ରେ ହୋଇଥିଲା ପ୍ରଥମ ମେଣ୍ଟ ସରକାର:

୧୯୭୭ରେ ଅନେକଗୁଡ଼ିଏ ଦଳ ମିଶି ଜନତା ପାର୍ଟି ନାମରେ ଗୋଟିଏ ନିର୍ବାଚନ ଚିହ୍ନରେ ନିର୍ବାଚନ ଲଢ଼ିଥିଲେ। ଜନତା ପାର୍ଟିକୁ ସ୍ପଷ୍ଟ ବହୁମତ ମିଳିବା ପରେ ସରକାର ଗଠନ ହୋଇଥିଲା। ଏହା ଥିଲା ଦେଶର ପ୍ରଥମ ଅଣକଂଗ୍ରେସ ସରକାର। ମୋରାରଜୀ ଦେଶାଇ ପ୍ରଧାନମନ୍ତ୍ରୀ ହୋଇଥିଲେ। ମୋରାରଜୀ ଦେଶାଇଙ୍କ ନେତୃତ୍ୱରେ ସରକାର ୨ବର୍ଷ ପର୍ଯ୍ୟନ୍ତ ଚାଲିଥିଲା। କିନ୍ତୁ ବୈଚାରିକ ମତଭେଦ ଯୋଗୁ ଜନତା ପାର୍ଟି ଦୁଇ ଭାଗ ହୋଇଗଲା। ସରକାରରେ ଥିବା ସ୍ୱରାଷ୍ଟ୍ର ମନ୍ତ୍ରୀ ଚରଣ ସିଂହ ଦଳରୁ ଅଲଗା ହୋଇ ଜନତା ପାର୍ଟି ସେକ୍ୟୁଲାର ଗଠନ କଲେ। କଂଗ୍ରେସ ପାର୍ଟିର ବାହାର ସମର୍ଥନ ପାଇ ଚରଣ ସିଂହ ସରକାର ଗଠନ କଲେ। ସେ ନିଜେ ପ୍ରଧାନମନ୍ତ୍ରୀ ହେଲେ। ଏହା ଥିଲା ଦେଶର ପ୍ରଥମ ମେଣ୍ଟ ସରକାର। ତେବେ ଏହି ମେଣ୍ଟ ସରକାରର ପ୍ରଥମ ପ୍ରୟୋଗ ମାତ୍ର ୨୩ ଦିନ ଯାଏ ଚାଲିଥିଲା। ୧୯୭୯ ଜୁଲାଇ ୨୮ରେ ଚରଣ ସିଂହଙ୍କ ସରକାର ଶପଥ ନେଇଥିଲା। କିନ୍ତୁ ୧୯୭୯ ଅଗଷ୍ଟ ୨୦ରେ ଯେତେବେଳେ ନୂଆ ସରକାରକୁ ବହୁମତ ସାବ୍ୟସ୍ତ ପାଇଁ ସଂସଦ ଅଧିବେଶନ ଡକାଗଲା ସେତେବେଳେ କଂଗ୍ରେସ ଚରଣ ସିଂହ ସରକାରଠାରୁ ସମର୍ଥନ ପ୍ରତ୍ୟାହାର କରିନେଲା। ଫଳରେ ଚରଣ ସିଂହଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା। ତେବେ ପୁନର୍ବାର ନିର୍ବାଚନ ହେବା ପର୍ଯ୍ୟନ୍ତ ସେ କାମଚଳା ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ଏହା ପରେ ୧୯୮୦ରେ ଦେଶରେ ପ୍ରଥମ ଥର ପାଇଁ ଅନ୍ତରୀଣ ନିର୍ବାଚନ ହୋଇଥିଲା। ଯେଉଁଥିରେ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ କ୍ଷମତାକୁ ଫେରିଥିଲା।

୧୯୮୯ରେ ଭି.ପି. ସିଂହ କରିଥିଲେ ମେଣ୍ଟ ସରକାର:

୧୯୮୦ ଲୋକସଭା ନିର୍ବାଚନର ପ୍ରାୟ ୯ ବର୍ଷ ପରେ ଦେଶରେ ପୁଣି ଥରେ ମେଣ୍ଟ ସରକାର ଫେରିଥିଲା। ୧୯୮୯ରେ ଦେଶରେ ଲୋକସଭା ନିର୍ବାଚନ ହୋଇଥିଲା। ଯେଉଁଥିରେ ରାଜୀବ ଗାନ୍ଧୀଙ୍କ ନେତୃତ୍ୱାଧୀନ କଂଗ୍ରେସକୁ ପରାଜୟ ବରଣ କରିବାକୁ ପଡ଼ିଥିଲା। ପ୍ରଥମ ଥର ଲାଗି କୌଣସି ଦଳ କିମ୍ବା ମେଣ୍ଟକୁ ସ୍ପଷ୍ଟ ବହୁମତ ମିଳି ନ ଥିଲା। କଂଗ୍ରେସ ନେତା ବିଶ୍ୱନାଥ ପ୍ରତାପ ସିଂହ ରାଷ୍ଟ୍ରୀୟ ମୋର୍ଚ୍ଚା ନାମରେ ଏକ ନୂଆ ମେଣ୍ଟ ଗଠନ କରିଥିଲେ। ଭି.ପି. ସିଂହଙ୍କ ନେତୃତ୍ୱରେ ଜନତା ଦଳ ୧୪୩ ଆସନରେ ବିଜୟୀ ହୋଇଥିଲା। ତାଙ୍କ ବିଜେପି ଏବଂ ବାମ ଦଳ ବାହାରୁ ସମର୍ଥନ ଦେଲେ। ସେହିପରି ଡିଏମକେ, ଏଜେପି ଏବଂ ଟିଡିପି ଭଳି ଦଳ ସରକାରରେ ସାମିଲ ହେଲେ। ଏଭଳି ଭଳି ଭାବେ ମୋଟ ୨୮୦ ସାଂସଦଙ୍କ ସମର୍ଥନ ବଳରେ ଭି.ପି. ସିଂହ ପ୍ରଧାନମନ୍ତ୍ରୀ ହେଲେ। ଅନ୍ୟପଟେ ସର୍ବାଧିକ ୧୯୪ ଆସନ ପାଇଥିବା କଂଗ୍ରେସ ବିରୋଧୀ ଦଳ ହୋଇ ରହିଥିଲା। ମାତ୍ର ଭି.ପି. ସିଂହଙ୍କ ଏହି ସରକାର ୧ ବର୍ଷ ବି ଚାଲି ପାରିଲା ନାହିଁ। କାରଣ ୧୯୯୦ରେ ରାମ ମନ୍ଦିର ନିର୍ମାଣ ପାଇଁ ଆନ୍ଦୋଳନ ଚରମସୀମାରେ ପହଞ୍ଚିଥିଲା। ଏହି ଆନ୍ଦୋଳନ ସମୟରେ ବିଜେପିର ସବୁଠୁ ବଡ଼ ନେତା ଲାଲକୃଷ୍ଣ ଆଡଭାଣୀ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଲାଗି ଦେଶବ୍ୟାପୀ ଯାତ୍ରା ଆରମ୍ଭ କରିଥିଲେ। ଏହି ସମୟରେ ତାଙ୍କୁ ବିହାରର ସମସ୍ତିପୁରରୁ ଗିରଫ କରାଯାଇଥିଲା। ଫଳରେ ବିଜେପି ଭି.ପି. ସିଂହ ସରକାରରୁ ନିଜର ସମର୍ଥନ ପ୍ରତ୍ୟାହାର କରିନେଇଥିଲା ଏବଂ ସରକାର ଭାଙ୍ଗି ଯାଇଥିଲା।

ଏହି ରାଜନୈତିକ ହଟଚମଟ ପରେ ଆଉ ଏକ ମେଣ୍ଟ ସରକାର ଗଠନ ପାଇଁ ପଦକ୍ଷେପ ଆରମ୍ଭ ହେଲା। ରାଷ୍ଟ୍ରୀୟ ମୋର୍ଚ୍ଚାର ଅଂଶ ଥିବା ଜନତା ଦଳ ଦୁଇ ଭାଗରେ ବିଭକ୍ତ ହୋଇଗଲା। ଜନତା ଦଳର ବରିଷ୍ଠ ନେତା ଚନ୍ଦ୍ରଶେଖର ୧୯୯୦ ନଭେମ୍ବରରେ କଂଗ୍ରେସ ପାର୍ଟିର ବାହାର ସମର୍ଥନ ପାଇ ପ୍ରଧାନମନ୍ତ୍ରୀ ହେଲେ। ଅଳ୍ପ କିଛି ମାସ ପରେ ତାଙ୍କ ସରକାର ବି ଭାଙ୍ଗି ଗଲା।

୧୯୯୧ରେ ପୁଣି ଥରେ ନିର୍ବାଚନ ହେଲା। ଯେଉଁଥିରେ କଂଗ୍ରେସ ସବୁଠୁ ବଡ଼ ଦଳ ଭାବେ ଉଭା ହୋଇ ୨୪୪ ଆସନ ପାଇଥିଲା। କଂଗ୍ରେସକୁ ବହୁମତ ମିଳି ନ ଥିବାରୁ କଂଗ୍ରେସ ନେତା ପି.ଭି. ନରସିହ୍ମା ରାଓ ଜନତା ଦଳର ବାହାର ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ହେଲେ। ନରସିହ୍ମା ରାଓ ୫ବର୍ଷ ପର୍ଯ୍ୟନ୍ତ ଅଳ୍ପମତ ସରକାର ଚଳାଇଲେ।

୧୯୯୬ରେ ୧୩ ଦିନ ଚାଲିଥିଲା ବାଜପେୟୀଙ୍କ ମେଣ୍ଟ ସରକାର:

୧୯୯୬ରେ ଲୋକସଭା ନିର୍ବାଚନ ହୋଇଥିଲା, ଯେଉଁଥିରେ ବିଜେପି ପ୍ରଥମ ଥର ପାଇଁ ସର୍ବାଧିକ ୧୬୧ ଆସନରେ ବିଜୟୀ ହୋଇଥିଲା। କଂଗ୍ରେସକୁ ମିଳିଥିଲା ୧୪୦ ଆସନ। ଜନତା ଦଳ ୪୬ ଆସନ ସହିତ ୩ୟ ସ୍ଥାନରେ ରହିଥିଲା। ଅନେକ ଛୋଟ ଦଳ ସମର୍ଥନରେ ବିଜେପିର ବରିଷ୍ଠ ନେତା ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ। କିନ୍ତୁ ସଂସଦରେ ସେ ବହୁମତ ସାବ୍ୟସ୍ତ କରିପାରିଲେ ନାହିଁ। ଫଳରେ ୧୩ ଦିନରେ ତାଙ୍କ ସରକାର ଭାଙ୍ଗିଗଲା।

ବାଜପେୟୀଙ୍କ ସରକାର ଭାଙ୍ଗିବା ପରେ ସଂଯୁକ୍ତ ମୋର୍ଚ୍ଚା ଗଠନ ହେଲା। ଏଚ.ଡି. ଦେବେଗୌଡ଼ାଙ୍କ ନେତୃତ୍ୱରେ ସଂଯୁକ୍ତ ମୋର୍ଚ୍ଚାରେ ଜନତା ଦଳ ଏବଂ ତେଲୁଗୁ ଦେଶମ ପାର୍ଟି(ଟିଡିପି) ସହିତ ବାମଦଳ ଏବଂ କମ୍ୟୁନିଷ୍ଟ ପାର୍ଟି ସାମିଲ ହେଲେ। ସମସ୍ତଙ୍କ ସମର୍ଥନରେ ଦେବେଗୌଡ଼ା ପ୍ରଧାନମନ୍ତ୍ରୀ ହେଲେ। କିନ୍ତୁ ଆପୋଷ ବୁଝାମଣା ଅଭାବରୁ ସରକାର ବେଶୀ ଦିନ ଚାଲିପାରିଲା ନାହିଁ। ବର୍ଷକ ଭିତରେ ଭାଙ୍ଗିଗଲା। ଏହା ପରେ ଇନ୍ଦ୍ର କୁମାର ଗୁଜରାଲ ମେଣ୍ଟ ସରକାର ଗଢ଼ିଲେ। ତାହା ବି ବର୍ଷକରୁ ଅଧିକ ଚାଲିଲା ନାହିଁ।

୧୯୯୮ରେ ୧୩ ମାସ ରହିଲା ମେଣ୍ଟ ସରକାର:

୧୯୯୮ ଲୋକସଭା ନିର୍ବାଚନରେ ଦେଶରେ ପୁଣି ଥରେ ମେଣ୍ଟ ସରକାର ଗଠନ ହେଲା। ଏହି ବର୍ଷ ବାଜପେୟୀ ଜାତୀୟ ଗଣତାନ୍ତ୍ରିକ ଆଲାଏନ୍ସ(ଏନଡିଏ) ନାମରେ ମେଣ୍ଟ ଗଠନ କଲେ। ଏଥିରେ ଶିବସେନା ଏବଂ ଏଆଇଏଡିଏମକେ ଭଳି ପାର୍ଟି ସାମିଲ ହେଲେ। ଏହି ସରକାର ୧୩ ମାସ ଯାଏ ଚାଲିଲା। ଏହା ପରେ ଏଆଇଏଡିଏମକେ ସମର୍ଥନ ପ୍ରତ୍ୟାହାର କରିନେଲା। ଫଳରେ ପୁଣି ଥରେ ନିର୍ବାଚନ ହୋଇଥିଲା। ଏଥିରେ ବିଜେପି ୧୮୨ ଆସନରେ ବିଜୟ ହୋଇଥିଲା। ମୋଟ ୨୯୯ ସଦସ୍ୟଙ୍କ ସମର୍ଥନରେ ବାଜପେୟୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ। ଏହି ଥର ବାଜପେୟୀ ସରକାର ନିଜର କାର୍ଯ୍ୟକାଳ ପୂରଣ କରିଥିଲା। ଏହା ଦେଶର ପ୍ରଥମ ମେଣ୍ଟ ସରକାର ଥିଲା, ଯିଏକି ନିଜର କାର୍ଯ୍ୟକାଳ ସମ୍ପନ୍ନ କରିଥିଲା। ପରବର୍ତ୍ତୀ ସମୟରେ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ କଂଗ୍ରେସ କ୍ଷମତାରେ ରହିଥିଲା।

Comments are closed.