www.samajalive.in
Saturday, December 6, 2025
26.1 C
Bhubaneswar

ପଶ୍ଚିମ ଓଡ଼ିଶାରେ କୋଭିଡ ପରିଚାଳନା ପାଇଁ ଆଉ ୨୫ କୋଟି ଟଙ୍କାର ସ୍ବତନ୍ତ୍ର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

  • ପଶ୍ଚିମ ଓଡିଶାର ୧୧ଟି ଜିଲା ପାଇଁ ୨୫ କୋଟି ଟଙ୍କାର କୋଭିଡ ଚିକିତ୍ସା ଉପକରଣ ଲୋକଙ୍କ ସେବାରେ ଉତ୍ସର୍ଗ
  • ଜରୁରୀକାଳୀନ ଚିକିତ୍ସା ଉପକରଣ କିଣିବା ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ଦ୍ବାରା ଯୋଗାଇ ଦିଆଯିବ
  • ପଶ୍ଚିମ ଓଡିଶାରେ କୋଭିଡ ଚିକିତ୍ସା ଭିତ୍ତିଭୂମି ସୁଦୃଢ ହେବ
  • ସମସ୍ତଙ୍କ ମିଳିତ ଉଦ୍ୟମରେ ଆମେ ଏ ସଂକଟରୁ ଖୁବ ଶୀଘ୍ର ମୁକ୍ତ ହେବା:ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ପଶ୍ଚିମ ଓଡିଶାର ୧୧ଟି ଜିଲାରେ କୋଭିଡ ପରିଚାଳନା ପାଇଁ ଆହୁରି ୨୫ କୋଟି ଟଙ୍କାର ସ୍ବତନ୍ତ୍ର ସହାୟତା ଘୋଷଣା କରିଛନ୍ତି।
ସୂଚନାଯୋଗ୍ୟ ଯେ ପୂର୍ବରୁ ଗତ ମାସରେ ପଶ୍ଚିମ ଓଡିଶାର ୧୧ଟି ଜିଲ୍ଲା ପାଇଁ ୨୫ କୋଟି ଟଙ୍କାର ସହାୟତା ଘୋଷଣା କରାଯାଇଥିଲା। ଏହି ସହାୟତା ରାଶିରେ କିଣା ଯାଇଥିବା ଜରୁରୀକାଳୀନ କୋଭିଡ ଉପକରଣକୁ ମୁଖ୍ୟମନ୍ତ୍ରୀ ଆଜି ଲୋକଙ୍କ ସେବାରେ ଉତ୍ସର୍ଗ କରିଛନ୍ତି ।
ଏହି ଅର୍ଥ ଦ୍ବାରା ପଶ୍ଚିମ ଓଡିଶାର ୧୧ଟି ଜିଲା ବରଗଡ, ବଲାଙ୍ଗୀର, କଳାହାଣ୍ଡି, ସମ୍ବଲପୁର, ସୁନ୍ଦରଗଡ, ନୂଆପଡ, ଝାରସୁଗୁଡା, ବୌଦ, ସୁବର୍ଣ୍ଣପୁର, ଦେବଗଡ ଓ ଅନୁଗୁଳରେ ସମସ୍ତ ଜରୁରୀକାଳୀନ କୋଭିଡ ଉପକରଣ କିଣା ଯାଇଛି। ଭେଣ୍ଟିଲେଟର, ଅକ୍‌ସିଜେନ୍‌ ପାଇପ ଲାଇନ, ଅଟୋଆନାଲାଇଜର, ସିବିସି ମେସିନ୍‌, ଅକ୍‌ସିମିଟର ଆଦି ପାଇଁ ବ୍ୟବସ୍ଥା କରାଯାଇଛି। ଏହି ଅତିରିକ୍ତ ଅର୍ଥ ବ୍ୟବସ୍ଥା ଦ୍ବାରା ଏହି ଜିଲ୍ଲାଗୁଡିକରେ କୋଭିଡ ଭିତ୍ତିଭୂମି ଆହୁରି ସୁଦୃଢ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି।


ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦୃଢ ବିଶ୍ବାସ ପ୍ରକଟ କରି କହିଛନ୍ତି ଯେ ସମସ୍ତଙ୍କ ମିଳିତ ଉଦ୍ୟମରେ ଆମେ ଖୁବ ଶୀଘ୍ର ଏ ସଂକଟରୁ ମୁକ୍ତ ହେବୁ। ପଶ୍ଚିମ ଓଡିଶାରେ କୋଭିଡ ସ୍ଥିତିରେ ଉନ୍ନତି ଆସିଥିବାରୁ, ମୁଖ୍ୟମନ୍ତ୍ରୀ ଏହାର ସବୁ ଶ୍ରେୟ ପଶ୍ଚିମ ଓଡିଶାର ଜନସାଧାରଣଙ୍କୁ ଦେଇଛନ୍ତି । ଆଗଧାଡିରେ ରହି କାମ କରୁଥିବା ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ଅଙ୍ଗନବାଡୀ ଓ ଆଶାକର୍ମୀ ସମସ୍ତଙ୍କୁ ଶ୍ରେୟ ଦେଇ ସେମାନଙ୍କ ତ୍ୟାଗ ଓ ପରିଶ୍ରମ ପାଇଁ ଧନ୍ୟବାଦ ଜଣାଇଛନ୍ତି। ଆଗକୁ ପରିସ୍ଥିତିରେ ଆହୁରି ଉନ୍ନତି ଆସିବ ବୋଲି ସେ ଆଶାପ୍ରକାଶ କରିଛନ୍ତି।
ପଶ୍ଚିମ ଓଡିଶା ବିକାଶ ପରିଷଦ, ପଶ୍ଚିମ ଓଡିଶାର ୧୧ଟି ଜିଲ୍ଲାରେ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ କରିବାପାଇଁ ଆଗେଇ ଆସିଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇ କହିଥିଲେ ଯେ ପଶ୍ଚିମ ଓଡିଶାର ବିକାଶ ପରିଷଦ ଯେପରି ଅଧିକ ବିକାଶ କାମ କାର୍ୟ୍ୟକାରୀ କରିପାରିବ, ସେଥିପାଇଁ ଅଧିକ ପାଣ୍ଠି ଦିଆଯାଉଛି। ବିକାଶ ପରିଷଦ ଏହାର ଦାୟିତ୍ବ ସଫଳ ଭାବରେ ନିର୍ବାହ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ।

- Advertisement -


ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ କୋଭିଡ ମୁକାବିଲା ପାଇଁ ରାଜ୍ୟ ସରକାର ମାଗଣାରେ ଚିକିତ୍ସା ସୁବିଧା ଯୋଗାଇ ଦେଉଛନ୍ତି। ଅକ୍‌ସିଜେନ ଯୋଗାଣରେ ଓଡିଶା ନୂଆ ପରିଚୟ ସୃଷ୍ଟି କରି ଅନେକ ମୂଲ୍ୟବାନ ଜୀବନ ବଞ୍ଚାଇପାରିଛି। ଏ ସଂକଟ ସମୟରେ ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’ – ଏହା ଆମର ସିଦ୍ଧାନ୍ତ ବୋଲି ପ୍ରକାଶ କରି ପ୍ରତ୍ୟେକ ଲୋକ ଯେପରି ଉତ୍ତମ ଚିକିତ୍ସା ସେବା ପାଇପାରିବ, ସେଥିପାଇଁ ଆମର ଉଦ୍ୟମ ଜାରି ରହିଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।
ଏହି କାର୍ଯ୍ୟକ୍ରମରେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ପଦ୍ମନାଭ ବେହେରା, ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଟୁକୁନି ସାହୁ, ଗ୍ରାମ୍ୟ ଉନ୍ନୟମ ମନ୍ତ୍ରୀ ସୁଷାନ୍ତ ସିଂହ, ଶକ୍ତି ମନ୍ତ୍ରୀ ଦିବ୍ୟଶଂକର ମିଶ୍ର, ଉପମୁଖ୍ୟ ସଚେତକ ରୋହିତ ପୂଜାରୀ ଏବଂ ସାଂସଦ ଓ ବିଧାୟକ ମାନେ ଯୋଗ ଦେଇଥିଲେ।

ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ସ୍ବାଗତ ଭାଷଣ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ୟ୍ୟକ୍ରମକୁ ସଞ୍ଚାଳନ କରିଥିଲେ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories