ନୂଆଦିଲ୍ଲୀ : ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗଇଙ୍କ ବିରୋଧରେ ଯୌନନିର୍ଯାତନା ଅଭିଯୋଗ ଆଣିଥିବା ସୁପ୍ରିମକୋର୍ଟର ପୂର୍ବତନ ମହିଳା କର୍ମଚାରୀ ମଙ୍ଗଳବାର ତଦନ୍ତ ପ୍ରକ୍ରିୟାରୁ ଓହରି ଯାଇଛନ୍ତି। ସୁପ୍ରିମକୋର୍ଟ ପକ୍ଷରୁ ତିନି ଜଣିଆ ବିଚାରପତି ମଣ୍ଡଳୀ ଦ୍ବାରା ଚାଲିଥିବା ତଦନ୍ତରେ ସେ ଅଂଶଗ୍ରହଣ କରିବେ ନାହିଁ କହିଛନ୍ତି। କ୍ରମାଗତ ତିନିଦିନ ବିଚାରପତି ମଣ୍ଡଳୀଙ୍କ ତଦନ୍ତର ସମ୍ମୁଖୀନ ହେବା ପରେ ଏଠାରୁ ତାଙ୍କୁ ନ୍ୟାୟ ମିଳିବା ଆଶା କ୍ଷୀଣ ବୋଲି ଦର୍ଶାଇ ଏଭଳି ନିଷ୍ପତ୍ତି ନେଇଛନ୍ତି। ‘ଗମ୍ଭୀର ଚିନ୍ତା ଓ କିଛି ଅକୁହା କାରଣରୁ ମୁଁ ଆଉ ଏହି ତଦନ୍ତ କମିଟିର ସମ୍ମୁଖୀନ ହେବାକୁ ଚାହୁଁ ନାହିଁ’ ବୋଲି ସେ କହିଛନ୍ତି। ଜଷ୍ଟିସ ଏସ୍.ଏ ବୋବଡେ, ଜଷ୍ଟିସ ଇନ୍ଦିରା ବାନାର୍ଜୀ ଓ ଜଷ୍ଟିସ ଇନ୍ଦୁ ମାଲହୋତ୍ରାଙ୍କୁ ନେଇ ଗଠିତ ବିଚାରପତି ମଣ୍ଡଳୀ ବା ତଦନ୍ତ କମିଟି ସମ୍ମୁଖରେ ସେ ଗତ ୨୬ ଓ ୨୯ ତାରିଖ, ଦୁଇ ଦିନ ହାଜର ହୋଇଥିଲେ। ‘ଏହି କମିଟି ଉପଯୁକ୍ତ ଢ଼ଙ୍ଗରେ ମୋର ଆବେଦନ ଶୁଣିବେ ଓ ମୋତେ ନ୍ୟାୟ ଦେବେ ବୋଲି ଆଶା ଥିଲା। କମିଟିର ସଦସ୍ୟମାନେ ବର୍ତ୍ତମାନର ବିଚାରପତି ହୋଇଥିଲେ ମଧ୍ୟ ସେମାନେ ମୋର ସମ୍ବେଦନଶୀଳ ପ୍ରସଙ୍ଗ ପ୍ରତି ଗୁରୁତ୍ବ ଦେବେ ବୋଲି ବିଶ୍ବାସ ଥିଲା; କିନ୍ତୁ ଦୁଇ ଦିନର ହାଜିରା ପରେ ଅନୁଭବ କଲି ଯେ ଏହା କୌଣସି ବାହ୍ୟ ତଦନ୍ତ କମିଟି ନୁହେଁ; ବରଂ ଏହାର ସଦସ୍ୟମାନେ ପ୍ରଧାନ ବିଚାରପତିଙ୍କ କନିଷ୍ଠ ସହଯୋଗୀ। ମୁଁ ଏକ ବାହ୍ୟ ତଦନ୍ତ କମିଟି ଗଠନ କରିବାକୁ ଆବେଦନ କରିଥିଲି; କିନ୍ତୁ ଏଥିପ୍ରତି ଧ୍ୟାନ ଦିଆଗଲା ନାହିଁ। ସେମାନେ ମୋତେ ବା ମୋ ପରିବାରକୁ ନ୍ୟାୟ ଦେଇପାରିବେ ନାହିଁ ବୋଲି ହୃଦୟଙ୍ଗମ ହେବାରୁ ମୁଁ ଆଉ କମିଟି ଆଗରେ ହାଜର ନ ହେବାକୁ ନିଷ୍ପତ୍ତି ନେଲି’ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବିଚାରପତି ମଣ୍ଡଳୀ ଶୁକ୍ରବାର ନିଜ ପ୍ରକୋଷ୍ଠରେ ପ୍ରଥମ ବୈଠକ ଆହ୍ବାନ କରିଥିଲେ। ଏଥିରେ ଅଭିଯୋଗକାରିଣୀଙ୍କ ସହିତ ସୁପ୍ରିମକୋର୍ଟର ମହାସଚିବ ହାଜର ହୋଇଥିଲେ। ଏହି କମିଟି ବିଶାଖା ମାର୍ଗଦର୍ଶିକା ଆଧାରରେ ଗଠନ ହୋଇ ନ ଥିବା ନେଇ ସେଦିନ ସେ ଆପତ୍ତି ଉଠାଇଥିଲେ। ତା’ଛଡ଼ା ତାଙ୍କ ବକ୍ତବ୍ୟର ଭିଡିଓ ରେକର୍ଡିଂ ପାଇଁ କମିଟି ମନା କରିବାରୁ ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ।
Popular Categories



