‘ଦେଶବାସୀ ସମ୍ବିଧାନକୁ ନ ଜାଣିଲେ ବିକାଶ ଅସମ୍ଭବ’ : ସିଜେଆଇ ଏନ.ଭି ରମଣା
ରାୟପୁର : ଦେଶର ପ୍ରତ୍ୟେକ ନାଗରିକ ସମ୍ବିଧାନକୁ ଜାଣିବା ଓ ବୁଝିବା ଦରକାର। ବିଶେଷକରି ଏକ ସାମ୍ବିଧାନିକ ଗଣତନ୍ତ୍ର ରାଷ୍ଟ୍ରରେ ପ୍ରତ୍ୟେକ ନାଗରିକ ନିଜର ସାମ୍ବିଧାନିକ ଦାୟିତ୍ବ ଓ କର୍ତ୍ତବ୍ୟ ବିଷୟରେ ଅବଗତ ହେବା ଦରକାର। ଅନ୍ୟଥା ଦେଶର ବିକାଶ ଅସମ୍ଭବ ବୋଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି (ସିଜେଆଇ) ଏନ.ଭି ରମଣା କହିଛନ୍ତି। ରବିବାର ରାୟପୁର ଠାରେ ହୃଦୟତୁଲ୍ଲା ଜାତୀୟ ଆଇନ ବିଶ୍ବବିଦ୍ୟାଳୟ (ଏଚଏନଏଲୟୁ)ର ୫ମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ପ୍ରଧାନ ବିଚାରପତି କହିଛନ୍ତି ଯେ ସାମାଜିକ ପରିବର୍ତ୍ତନରେ ଆଇନ ହେଉଛି ଏକ ଉପାଦାନ। ଆଇନ ଶିକ୍ଷାଲାଭ କରିଥିବା ଜଣେ ସ୍ନାତକ ସମାଜ ପରିବର୍ତ୍ତନର ବାର୍ତ୍ତାବାହକ ହେବା ଉଚିତ୍। ସମ୍ପ୍ରତି ବୈଷୟିକ ଜ୍ଞାନ ପ୍ରତ୍ୟେକଙ୍କୁ ଜଣେ ବିଶ୍ବ ନାଗରିକ ଭାବେ ଗଢିତୋଳିଛି। ଜଳବାୟୁ ପରିବର୍ତ୍ତନ ହେଉ ଅବା ମାନବାଧିକାର ଉଲ୍ଲଙ୍ଘନ ପ୍ରତ୍ୟେକ ସମସ୍ୟାକୁ ଯୁବ ସମାଜ ଏକ ବିଶ୍ବ ଆନ୍ଦୋଳନର ରୂପ ଦେବାରେ ସକ୍ଷମ ହେଉଛନ୍ତି। ସେହିପରି ଆଇନ ଓ ସମ୍ବିଧାନର ଶାସନ ମାଧ୍ୟମରେ ଯୁବ ସମାଜ ସାମାଜିକ ପରିବର୍ତ୍ତନ ଆଣିବା ଦରକାର। ଦୁଃଖର ବିଷୟ ଯେ ଆଧୁନିକ ଭାରତର ଆଶା ଆକାଂକ୍ଷା ସଂଜ୍ଞା ନିରୂପଣ କରୁଥିବା ଆମର ସମ୍ବିଧାନକୁ ଅନେକ ଲୋକ ବୁଝନ୍ତି ନାହିଁ। ସାମ୍ବିଧାନିକ ଜ୍ଞାନ ସମାଜର ନିର୍ଦ୍ଦିଷ୍ଟ କେତେକ ଲୋକ ଆଇନ ଛାତ୍ର, ଆଇନ ବ୍ୟବସାୟୀ ଓ ଅନ୍ୟ ସ୍ବଳ୍ପକିଛିଙ୍କ ମଧ୍ୟରେ ସୀମିତ ରହିଛି। ସିଜେଆଇ କହିଛନ୍ତି ଯେ ସମ୍ବିଧାନ ଆମ ସମସ୍ତଙ୍କ ପାଇଁ ଉଦ୍ଧିଷ୍ଟ। ଆମର ବ୍ୟକ୍ତିଗତ ଦାୟିତ୍ବ ଓ କର୍ତ୍ତବ୍ୟ ସହିତ ସାମୂହିକ କର୍ତ୍ତବ୍ୟ ମଧ୍ୟ ରହିଛି। ସାମ୍ବିଧାନିକ ସଂସ୍କୃତି ଓ ସଚେତନତାକୁ ଆମକୁ ପରିବ୍ୟାପ୍ତ କରିବାକୁ ହେବ। ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ସରଳ ଭାବରେ ଲୋକଙ୍କୁ ବୁଝାଇବାକୁ ହେବ। ଏଥିପାଇଁ ଆଇନ ଛାତ୍ରମାନେ ଆଗକୁ ଆସିବା ସହିତ ସାମାଜିକ ପରିବର୍ତ୍ତନ କରିବା ଦରକାର।
ପ୍ରଧାନ ବିଚାରପତି କହିଛନ୍ତି ଯେ ଆଇନ ବ୍ୟବସାୟୀ ଅତ୍ୟନ୍ତ ଆହ୍ବାନପୂର୍ଣ୍ଣ ହେଲେ ମଧ୍ୟ ଏହା ସନ୍ତୋଷ ଜନକ। ପୂର୍ବରୁ ଏହା ପାରିବାରିକ ପେଶା ହୋଇ ରହିଥିବାବେଳେ ଏବେ ଏଥିରେ ବ୍ୟାପକ ପରିବର୍ତ୍ତନ ହୋଲାଣି। ପ୍ରଥମ ପିଢିର ଓକିଲମାନେ ସର୍ବୋଚ୍ଚ ସ୍ତରରେ ପହଞ୍ଚିପାରୁଛନ୍ତି। ନିଜର କଠୋର ପରିଶ୍ରମ ଓ ପ୍ରତିଶ୍ରୁତିବଦ୍ଧତା ଯୋଗୁଁ ଏହା ସମ୍ଭବ ହୋଇପାରୁଛି। ସେ କହିଛନ୍ତି ଯେ ଜଣେ ଓକିଲ କେବଳ ଅଦାଲତ ନିକଟରେ ପ୍ରତିନିଧି ନୁହନ୍ତି। ଆଇନର ଉପର ଢାଞ୍ଚାକୁ ଜଣେ ଜାଣିଲେ ଏହା ତାଙ୍କୁ ବେଶୀଦିନ ସଫଳତା ଦେବ ନାହିଁ। ଜଣେ ଓକିଲ ଅଲରାଉଣ୍ଡର ହେବା ଦରକାର।
Comments are closed.