ପଦ୍ମଶ୍ରୀ ବଟକୃଷ୍ଣ ସାହୁଙ୍କ ଦ୍ୱାରା ‘ଆକ୍ୱା ଚୌପଲ’ ଉଦଘାଟିତ

ପିପିଲି : ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ସଂସ୍ଥା (ସିଫା) ପକ୍ଷରୁ କୃଷକ-କୃଷକଙ୍କ ମଧ୍ୟରେ ମତ୍ସ୍ୟଚାଷ ସମ୍ବନ୍ଧୀୟ ଶିକ୍ଷାର ଉନ୍ନତି ପାଇଁ ଖୋର୍ଦ୍ଧା ଜିଲା ବାଳକାଟି ନିକଟ ସରକଣା ଠାରେ ପ୍ରତିଷ୍ଠିତ ‘ଆକ୍ୱା ଚୌପଲ’କୁ ପଦ୍ମଶ୍ରୀ ବଟକୃଷ୍ଣ ସାହୁ ଉଦଘାଟନ କରିଛନ୍ତି । ଏଠାରେ ମତ୍ସ୍ୟଚାଷୀ ଓ ନିକଟବର୍ତ୍ତି ଅଞ୍ଚଳର ଆଗ୍ରହୀ ଯୁବକ, ଯୁବତୀମାନେ ଏକାଠି ବସି ମତ୍ସ୍ୟଚାଷ ସମ୍ବନ୍ଧୀୟ ବିଭିନ୍ନ ଜ୍ଞାନକୌଶଳ, ଅସୁବିଧା ଏବଂ ତା’ର ପ୍ରତିକାର ଆଦି ବିଷୟରେ ଆଲୋଚନା କରିବା ସହିତ ନିଜ ନିଜର ଦକ୍ଷତା ବୃଦ୍ଧି କରିପାରିବେ । ସିଫାର ‘ଫାର୍ମର ଫାଷ୍ଟ’ ପ୍ରକଳ୍ପ ଦ୍ୱାରା ପ୍ରତିଷ୍ଠିତ ଏହି ‘ଆକ୍ୱା ଚୌପଲ’ଟି ମତ୍ସ୍ୟଚାଷୀ ମାନଙ୍କର ଦକ୍ଷତା ବୃଦ୍ଧି ଓ ପରାମର୍ଶ ସେବା ପାଇଁ ସୁଦୂର ପ୍ରସାରି ହୋଇପାରିବ ବୋଲି ସିଫାର ବୈଜ୍ଞାନିକ ମାନେ ମତବ୍ୟକ୍ତ କରିଛନ୍ତି।

prayash

ଏହି ଅବସରରେ ମତ୍ସ୍ୟଚାଷୀ ଓ ମତ୍ସ୍ୟ ବୈଜ୍ଞାନିକଙ୍କ ମଧ୍ୟରେ ଆୟୋଜିତ ଭାବ ବିନିମୟ କାର୍ଯ୍ୟକ୍ରମରେ ସିଫାର ପ୍ରଧାନ ବୈଜ୍ଞାନିକ ଡଃ ଗୌର ସୁନ୍ଦର ସାହା, ଡଃ ହିମାଂଶୁ କୁମାର ଦେ, ଡଃ ସଂଗ୍ରାମ କେତନ ସାହୁ ଏବଂ ସହମୁଖ୍ୟ ବୈଷୟିକ ଅଧିକାରୀ ଦୁର୍ଗାପ୍ରସାଦ ରଥ ପ୍ରମୁଖ ଯୋଗ ଦେଇଥିଲେ। ମତ୍ସ୍ୟଚାଷୀଙ୍କ ମାଛଚାଷ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସେମାନେ ପରାମର୍ଶ ଦେବା ସହ ମାଛଚାଷ ପ୍ରତି ଅଧିକ ଆଗ୍ରହୀ ହେବା ପାଇଁ ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ଶେଷରେ ଶ୍ରୀରଥ ଧନ୍ୟବାଦ ଅର୍ପଣ କରିବା ସହିତ ମତ୍ସ୍ୟଚାଷୀମାନେ କିପରି ସିଫା ସହିତ ଯୋଡ଼ି ରହି ମୃତ୍ତିକା ଓ ପାଣି ପରୀକ୍ଷା କରିବା ସହ ମତ୍ସ୍ୟ ବୈଜ୍ଞାନିକ ଓ ବୈଷୟିକ ଅଧିକାରୀମାନଙ୍କ ସହ ପ୍ରତ୍ୟକ୍ଷ ଭାବେ ସଂପର୍କ କରିପାରିବେ ସେ ନେଇ ପରାମର୍ଶ ଦେଇଥିଲେ।

Comments are closed.