ଚୌଦ୍ୱାର: କରୋନା ହେତୁ ରାଜ୍ୟରେ ଲକଡାଉନ ଓ ସଟ୍ଡାଉନ ଲାଗୁ ହୋଇଥିବାରୁ ବୁଲା ଗାଇଗୋରୁ ଖାଦ୍ୟ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ସହିତ ହୋଟେଲ, ଢାବା ତଥା ଜଳଖିଆ ଦୋକାନ ସବୁ କଟକଣାରେ ଥିବା ଓ ବନ୍ଦ ରହୁଥିବାରୁ ସହରବଜାରରେ ବୁଲା ପଶୁ ସବୁ ଖାଦ୍ୟ ନପାଇ ଡହଳ ବିକଳ ହେଉଥିବା ଦେଖିବାକୁ ମିଳୁଛି। ଏହାକୁ ନଜରରେ ରଖି ଚୌଦ୍ୱାର ପୌରପାଳିକା ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉଦ୍ଧାର ଫାଉଣ୍ଡେସନର ମିଳିତ ସହଯୋଗରେ ପୌରପାଳିକାର୧୯ଟି ୱାର୍ଡ ଓ ବଜାରଘାଟରେ ବୁଲୁଥିବା ଷଣ୍ଢ, ଗାଇ, କୁକୁରମାନଙ୍କୁ ଖାଦ୍ୟ ପ୍ରଦାନ କରାଯାଉଛି।
ପୌରନିର୍ବାହୀ ଅଧିକାରୀ ପବିତ୍ର କୁମାର ବେହେରାଙ୍କ ନିର୍ଦ୍ଦେଶକ୍ରମେ ଫାଉଣ୍ଡେସନର ସଂପାଦକ ଶିବାନନ୍ଦ ବାରିକଙ୍କ ତତ୍ୱାବଧାନରେ ଚାଲୁଥିବା ଏହି କାର୍ଯ୍ୟକ୍ରମକୁ ପୌର କର୍ମଚାରୀ ବିଚିତ୍ରାନନ୍ଦ ସ୍ୱାଇଁ ତଦାରଖ କରୁଛନ୍ତି। କାହ୍ନୁ ଚରଣ ସେଠୀ, ଶ୍ରୀକାନ୍ତ ଜେନା, କେଦାରନାଥ ବେହେରା, ଚନ୍ଦନ ସ୍ୱାଇଁ, ଭବାନୀ ଶଙ୍କର ମହାନ୍ତି ଓ ଓମପ୍ରକାଶ ନାୟକଙ୍କ ସମେତ ବହୁ କର୍ମକର୍ତ୍ତା ଏଥିରେ ସହଯୋଗ କରୁଛନ୍ତି। ଏହି କାର୍ଯ୍ୟକ୍ରମ ଲକ୍ ଡାଉନ୍ ଓ ସଟ୍ଡାଉନ ହଟିବା ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଫାଉଣ୍ଡେସନର ସଭାପତି ନରୋତ୍ତମ ଦାସ ସୂଚନା ଦେଇଛନ୍ତି।



