ଚୌଦ୍ୱାର ପୌରପାଳିକାରେ ବର୍ଷାଜଳ ନିଷ୍କାସନ ପାଇଁ ଟେଣ୍ଡର ଶୀଘ୍ର : ଗଡ଼କରି

ନୂଆଦିଲ୍ଲୀ : ଚୌଦ୍ୱାର ପୌରପାଳିକା ଅଞ୍ଚଳରେ ଜାତୀୟ ରାଜପଥ ସଂଖ୍ୟା ୪୨ର ଉଭୟ ପାର୍ଶ୍ବରୁ ଜଳନିଷ୍କାସନ ପାଇଁ ଏନଏଚଏଆଇ ଦ୍ୱାରା ଖୁବ୍‌‌ଶୀଘ୍ର ଟେଣ୍ଡର ଡକାଯିବ ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରି ସୂଚନା ଦେଇଛନ୍ତି। ଜାତୀୟ ରାଜପଥ ପ୍ରଶସ୍ତିକରଣ ଯୋଗୁଁ ସୃଷ୍ଟି ହୋଇଥିବା ସମସ୍ୟାର ନିରାକରଣ ନେଇ କଟକ ସାଂସଦ ଭର୍ତ୍ତୃହରି ମହତାବ ବୁଧବାର ଭେଟିବା ବେଳେ ମନ୍ତ୍ରୀ ଗଡ଼କରି କହିଥିଲେ ଯେ ମଙ୍ଗୁଳି ଠାରୁ କୁଶପଙ୍ଗୀ ମଧ୍ୟରେ ଜାତୀୟ ରାଜପଥ ସଂଖ୍ୟା ୪୨ର ଚାରିଥାକିଆ ନିର୍ମାଣ କାର୍ଯ୍ୟ ଆସନ୍ତା ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ ହେବ।
ସାଂସଦ ମହତାବ ଦର୍ଶାଇଥିଲେ ଯେ ଚୌଦ୍ୱାର ପୌରପାଳିକା ଅଞ୍ଚଳରେ ଜାତୀୟ ରାଜପଥ ପ୍ରଶସ୍ତିକରଣ ସମୟରେ ବର୍ଷାଜଳ ନିଷ୍କାସନ ଲାଗି ଉଦ୍ଦିଷ୍ଟ କଲଭର୍ଟ ଗୁଡ଼ିକୁ ପୋତି ଦିଆଯାଇଥିଲା। ଯଦ୍ୱାରା ବର୍ଷାଜଳ ନିଷ୍କାସନ ହୋଇପାରୁନାହିଁ। ଜାତୀୟ ରାଜପଥ ପ୍ରଶସ୍ତିକରଣ ସମୟରେ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ପ୍ରତି ଏନଏଚଏଆଇ ଆଦୌ ଧ୍ୟାନ ଦେଇନାହିଁ। ଏଥିସହ ଚୌଦ୍ୱାର ଧୂମାବତୀ ମନ୍ଦିର ସନ୍ନିକଟ ଜାତୀୟ ରାଜପଥ ଅଞ୍ଚଳରେ ଉଭୟ ସର୍ଭିସ ରୋଡ ଏବଂ ଡ୍ରେନ ନିର୍ମାଣ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ଖୁଣ୍ଟୁଣି, ରାଧାକିଶୋରପୁର ଗ୍ରାମପଞ୍ଚାୟତର ପୁରୁଷତ୍ତୋମପୁର, ବୌଳଙ୍ଗ ଓ ବାଳି ଠାରେ ବର୍ଷାଜଳ ନିଷ୍କାସନ ପାଇଁ ଡ୍ରେନ ନିର୍ମାଣ, ବାଳି ଓ ବୌଳଙ୍ଗ ଠାରେ ଅଣ୍ଡରପାସ ନିର୍ମାଣ, ଓରନ୍ଦା-ବାଳି ଏବଂ ରାଧାଦାମୋଦରପୁର ଓମଫେଡ଼ କାରଖାନା ଠାରୁ ଖୁଣ୍ଟୁଣୀ ଥାନା ମଧ୍ୟରେ ସର୍ଭିସ ରୋଡ଼ ନିର୍ମାଣ କରିବାକୁ ପ୍ରସ୍ତାବ ଦେଇଥିଲେ। କୁଶପଙ୍ଗୀ ଶିବ ମନ୍ଦିରକୁ ସ୍ଥାନାନ୍ତର କରିବା ପରିବର୍ତ୍ତେ ଅଣ୍ଡରପାସ ପାଇଁ ଏକ ପାଚେରି ନିର୍ମାଣ ଦ୍ୱାରା ସମସ୍ୟାର ସମାଧାନ ହୋଇପାରିବ ବୋଲି ସାଂସଦ ମହତାବ ଦର୍ଶାଇଛନ୍ତି। ଏଥିସହ କଟକ ସଦର ଥାନା ସମ୍ମୁଖ ଅଞ୍ଚଳରେ ସର୍ଭିସ ରୋଡ଼ ମରାମତି ପାଇଁ କଟକ ସାଂସଦ ଦୃଷ୍ଟି ଆକର୍ଷଣ କରିଥିଲେ।

Comments are closed.