ନୂଆଦିଲ୍ଲୀ: ଭି.ଭି.ଆଇ.ପି. ହେଲିକପ୍ଟର ଦୁର୍ନୀତି ସମ୍ପର୍କିତ କଳାଧନ ବୈଧ ମାମଲାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ପୁତୁରା ରତୁଲ ପୁରିଙ୍କ ଆଗୁଆ ଜାମିନ୍ ଉପରେ ଦିଲ୍ଲୀର ଏକ ଅଦାଲତ ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ରାୟ ସଂରକ୍ଷିତ ରଖିଛନ୍ତି। ରତୁଲଙ୍କୁ ଗିରଫରୁ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ମିଆଦ ମଧ୍ୟ ଅଗଷ୍ଟ ୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ହିନ୍ତୁସ୍ଥାନ ପାୱାର୍ ପ୍ରୋଜେକ୍ଟସ୍ ବେସରକାରୀ କମ୍ପାନୀର ମୁଖ୍ୟ ରତୁଲ୍ ପୁରି ଗିରଫ ହେବାର ଆଶଙ୍କା କରି ଗତମାସ ୨୭ ତାରିଖରେ ଆଗୁଆ ଜାମିନ୍ ଆବେଦନ କରିଥିଲେ। ୩ ହଜାର ୬୦୦ କୋଟି ଟଙ୍କା ସମ୍ବଳିତ ଅଗସ୍ତା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର କ୍ରୟ ଚୁକ୍ତିକୁ ବର୍ତ୍ତମାନ ସରକାର ବାତିଲ୍ କରିଛନ୍ତି। ଏହି ମାମଲାରେ ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଥିଲେ ଓ ଜେରାର ସମ୍ମୁଖୀନ ହୋଇଥିଲେ।
କୋର୍ଟ ତାଙ୍କୁ ସୋମବାର ପର୍ଯ୍ୟନ୍ତ ଗିରଫରୁ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ପ୍ରଦାନ କରିଥିଲେ। ବର୍ତ୍ତମାନ ନିଜକୁ ସାକ୍ଷୀ ବୋଲି କହୁଥିବା ଜଣେ ବ୍ୟକ୍ତି କୋର୍ଟରେ ହାଜର ହୋଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଜୋର୍ ଜବରଦସ୍ତି ତାଙ୍କର ବୟାନ ରେକର୍ଡ଼ କରାଯାଇଥିବା କହିଛନ୍ତି। ଏ ମାମଲାରେ ହସ୍ତକ୍ଷେପ କରିବାପାଇଁ ସେ କୋର୍ଟକୁ ମଧ୍ୟ ଅନୁରୋଧ କରିଛନ୍ତି। ଆସନ୍ତାକାଲି ତାଙ୍କ ଆବେଦନ ଉପରେ ବିବେଚନା କରାଯିବ।



