ନୂଆଦିଲ୍ଲୀ: ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହେବା ପରେ ଜାତୀୟ ତଦନ୍ତ ସଂସ୍ଥା ସଂଶୋଧନ ଆଇନ ୨୦୧୯ ଆଜି (ଶୁକ୍ରବାର)ଠାରୁ କାର୍ଯ୍ୟକାରୀ ହୋଇଛି। ଜାତୀୟ ତଦନ୍ତ ସଂସ୍ଥାକୁ ଅଧିକ କ୍ଷମତା ପ୍ରଦାନ ସଂକ୍ରାନ୍ତ ଏହି ବିଲ୍ ଜୁଲାଇ ୧୭ ତାରିଖରେ ସଂସଦର ଅନୁମୋଦନ ଲାଭ କରିଥିଲା। ଭାରତ ବାହାରେ ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ ଘଟାଇବା କ୍ଷେତ୍ରରେ ବିଦେଶରେ ଥିବା ଭାରତୀୟ ଓ ଭାରତୀୟମାନଙ୍କ ସମ୍ପତ୍ତି ସଂକ୍ରାନ୍ତରେ ତଦନ୍ତ କରିବାପାଇଁ ଏହି ଆଇନ ଏନ୍.ଆଇ.ଏ.କୁ କ୍ଷମତା ଦେଇଛି।
ଏହା ଫଳରେ ମାନବ ଚୋରାଚାଲାଣ, ନକଲି ନୋଟ୍, ବେଆଇନ ଅସ୍ତ୍ରଶସ୍ତ୍ର ତିଆରି ଓ ବିକ୍ରି, ସାଇବର ଆତଙ୍କବାଦ ଏବଂ ୧୯୦୮ ବିସ୍ଫୋରକ ସାମଗ୍ରୀ ଆଇନ ଅଧୀନରେ ତଦନ୍ତ କରିବାପାଇଁ ଏନ୍.ଆଇ.ଏ.କୁ ଅତିରିକ୍ତ କ୍ଷମତା ଦେବା ଲକ୍ଷ୍ୟରେ ଏହି ଆଇନ ପ୍ରଣୟନ କରାଯାଇଛି। ମାନବ ଚୋରାଚାଲାଣ ଓ ସାଇବର ଆତଙ୍କବାଦ ଅପରାଧଗୁଡ଼ିକର ବିଚାର ପାଇଁ ସ୍ୱତନ୍ତ୍ର ଅଦାଲତ ଗଠନ କରିବା ଲାଗି ମଧ୍ୟ ଏହି ଆଇନ ସହାୟକ ହେବ।



