ଦକ୍ଷିଣ ମେରୁରେ ବିମାନ ବନ୍ଦର ନିର୍ମାଣ କରିବ ଚୀନ୍
ବେଜିଂ . – ଦକ୍ଷିଣ ମେରୁରେ ଚୀନ୍ ସ୍ଥାୟୀ ବିମାନ ବନ୍ଦର ନିର୍ମାଣ କରିବ । ସେଠାରେ ଚୀନ ପକ୍ଷରୁ କରାଯାଉଥିବା ବିଭିନ୍ନ ଗବେଷଣା ପାଇଁ ଉପକରଣ ଓ ବୈଜ୍ଞାନିକମାନଙ୍କ ପାଇଁ ବିଭିନ୍ନ ସରଞ୍ଜାମ ପଠାଇବା ଉଦ୍ଦେଶ୍ୟରେ ଚୀନ ଏହି ବିମାନ ବନ୍ଦର ନିର୍ମାଣ କରିବ ବୋଲି ସୂଚନା ଦେଇଛି ।
ବିମାନ ବନ୍ଦର ନିର୍ମାଣ ହେଲେ ଗବେଷଣାରତ ବୈଜ୍ଞାନିକମାନଙ୍କୁ ମେରୁରୁ ଅଞ୍ଚଳର ବିଭିନ୍ନ ପ୍ରତିବନ୍ଧକ ଓ ଖରାପ ପାଗରୁ ରକ୍ଷା କରିହେବ । ଏହା ସହ ଚିକିତ୍ସା ସମୟରେ ଶୀଘ୍ର ଚିକିତ୍ସା ସେବା ଯୋଗାଇ ଦେବା ସମ୍ଭବ ହେବ ବୋଲି ଚୀନ କହିଛି । ଏହି ବିମାନ ବନ୍ଦରରେ କ୍ଷୁଦ୍ର ଓ ମଧ୍ୟମ ଧରଣ ବିମାନ ଉଡାଣ ଭରି ପାରିବେ ।
ଦକ୍ଷିଣ ମେରୁର ସମସ୍ତ ଅଞ୍ଚଳ ବରଫରେ ଢାଙ୍କି ହୋଇ ରହିଛି । ଆମେରିକା ସହ ବିଭିନ୍ନ ଦେଶ ଏଠାରେ ନିଜର ଗବେଷଣାଗାର ନିର୍ମାଣ କରିଛନ୍ତି । ଭାରତ ବି ଏଠାରେ ଗବେଷଣାଗାର ପ୍ରତିଷ୍ଠା କରିଛି । ପୂର୍ବରୁ ବିଭିନ୍ନ ବିକଶିତ ଦେଶ ଏଠାରେ ବିମାନ ବନ୍ଦର ନିର୍ମାଣ କରିଛନ୍ତି ।