ଭୁବନେଶ୍ଵର: ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଦେଶ ଲକ୍ ଡାଉନ ହୋଇ ରହିଛି। ଏହି ଲକ୍ ଡାଉନ ସମୟରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡି ଅନ୍ୟ ସମସ୍ତ ଦୋକାନ ବନ୍ଦ ରହୁଛି। ଏଣୁ ବର୍ତ୍ତମାନ ସମୟରେ ବହୁ ଲୋକ ନିଜ ମୋବାଇଲରେ ରିଚାର୍ଜ କରି ପାରୁନାହାନ୍ତି। ଗ୍ରାହକ ମୋବାଇଲରେ ରିଚାର୍ଜ ନକରିବା କାରଣରୁ ଟେଲିକମ୍ କମ୍ପାନୀ ଗୁଡିକ ମୋବାଇଲ ସଂଯୋଗ କାଟିଦେଉଛନ୍ତି। ଯାହା ବର୍ତ୍ତମାନ ସମୟରେ ଲୋକମାନଙ୍କ ପାଇଁ ଏକ ବିରାଟ ସମସ୍ୟାଭାବେ ଉଭା ହୋଇଛି। ଏପରି ପରିସ୍ଥିତିରେ ଲକ୍ ଡାଉନ ପାଇଁ ଦୂରଦୂରାନ୍ତରେ ରହିଥିବା ନିଜ ସମ୍ପର୍କିୟମାନଙ୍କ ସହ ଯୋଗଯୋଗ କରିପାରୁନାହାନ୍ତିି ବହୁ ଜନସାଧାରଣ।
ବର୍ତ୍ତମାନ ପରିସ୍ଥିତିରେ ଏହି ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ଟେଲିକମ୍ ମନ୍ତ୍ରଣାଳୟକୁ ଚିଠି ଲେଖିଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ମୁଖ୍ୟ ଶାସନ ସଚିବ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଆଗାମୀ ୩ ମାସ ଯାଏଁ କୌଣସି ଟେଲିକମ୍ କମ୍ପାନୀ ଗ୍ରାହକଙ୍କ ଇନକମିଂ କଲ୍ ସୁବିଧା ଯେପରି ନ କାଟନ୍ତି ସେଥି ପ୍ରତି କେନ୍ଦ୍ର ଟେଲିକମ୍ ମନ୍ତ୍ରଣାଳୟ ଦୃଷ୍ଟି ଦେଉ କାରଣ ଏହି ଲକ୍ ଡାଉନ ସମସୟରେ ଦୋକାନ ବନ୍ଦ ରହୁଥିବାରୁ ଗ୍ରାହକ ମାନେ ରିଚାର୍ଜ କରିବାରେ ଅସମର୍ଥ ହେଉଛନ୍ତି।



