ଧରାପଡୁଛି ଛତିଶଗଡ଼ର ଚାଲ୍
ଝାରସୁଗୁଡ଼ା : ଛତିଶଗଡ଼ ଓଡ଼ିଶାକୁ କୌଣସି ସୂଚନା ନ ଦେଇ କଲମା ଓ କେଲୋ ବନ୍ଧର ପାଣି କେତେବେଳେ ଅଟକାଇ ଦେଉଛି ତ ଆଉ କେତେବେଳେ ଛାଡ଼ି ଦେଉଛି। ଗତ ଏପ୍ରିଲ ଓ ମେ ମାସରେ ଛତିଶଗଡ଼ ସରକାର ମହନଦୀରେ ଥିବା କଲମା ବ୍ୟାରେଜ ଓ କେଲୋ ନଦୀରେ ଥିବା କେଲୋ ଡ୍ୟାମ ସହିତ ଇବ ନଦୀରେ ଥିବା ବ୍ୟାରେଜରୁ ଟୋପାଏ ମଧ୍ୟ ପାଣି ଅସୁନଥିବାରୁ ଏହାକୁ ନେଇ ଓଡ଼ିଶା କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ସହିତ ମହାନଦୀ ସୁରକ୍ଷା ଅଭିଯାନ ଆରମ୍ଭ କରିଥିଲା। କେନ୍ଦ୍ର ଆଗରେ ଛତିଶଗଡ଼ର ଅସଲ ଚେହେରା ଓଡ଼ିଶା ସରକାର ଦେଖାଇବାରେ ସକ୍ଷମ ହୋଇଥିଲେ। ଏମିତିକି ଜାତୀୟ ଗ୍ରୀନ ଟ୍ରିବୁନାଲରେ ଛତିଶଗଡ଼କୁ ଅପଦସ୍ତ ହେବାକୁ ପଡ଼ିଥିଲା।
ମୌସୁମୀ ସମୟରେ ଛତିଶଗଡ଼ ସରକାର ମହାନଦୀ, କେଲୋ ଓ ଇବ୍ରେ ଗଜ ଷ୍ଟେସନ ସ୍ଥାପନ କରି ବିଭିନ୍ନ ଡ୍ୟାମ ଓ ବ୍ୟାରେଜର ଆଉଟ୍ଫ୍ଲୋ ଡାଟାକୁ ସିଡବ୍ଲୁସି କିମ୍ବା ଓଡ଼ିଶା ସରକାରଙ୍କୁ ଦେଖାଇ ଛତିଶଗଡ଼ ତା’ର ଦୋଷ ଦୁର୍ବଳତାକୁ ଘୋଡ଼ାଇବାକୁ ଚେଷ୍ଟା କରୁଥିବା ଜଣାପଡ଼ିଛି। ଛତିଶଗଡ଼ ସରକାର ତିନିଟି ସ୍ଥାନ କଲମା ବ୍ୟାରେଜ ତଳକୁ ମହନଦୀରେ, ଇବ ନଦୀରେ ଓ କେଲୋ ନଦୀରେ ଗଜ ଷ୍ଟେସନରୁ ଅଣମୌସୁମୀ ସମୟର ଡାଟା ମଧ୍ୟ ପ୍ରଦାନ କରିବ ତ ? ହୀରାକୁଦ ଜଳ ଭଣ୍ଡାରରେ ମିଶିଥିବା ଏହି ତିନି ନଦୀରେ କେବଳ ଛତିଶଗଡ଼ ନୁହେଁ ଓଡ଼ିଶା ମଧ୍ୟ ଅତ୍ୟାଧୁନିକ ଗଜ ଷ୍ଟେସନ ସ୍ଥାପନ କରି ଏହାର ସଠିକ ଡାଟା ଜାତୀୟ ଜଳ ଆୟୋଗ ଓ ଦରକାର ପଡ଼ିଲେ ଜାତୀୟ ଗ୍ରୀନ ଟ୍ରିବୁନାଲରେ ପ୍ରଦାନ କରିପାରିବେ। ଅବଶ୍ୟ ମହାନଦୀରେ ନିର୍ମାଣ ହେଉଥିବା କଲମା ବ୍ୟାରେଜ ନିର୍ମାଣ ସମୟରେ ଓଡ଼ିଶା ଏହାକୁ ଜାଣିପାରି ଦୃଢ଼ତାରେ ସହିତ ବିରୋଧ କରିଥିଲେ ଆଜି ଏହି ସ୍ଥିତି ଉପୁଜିନଥାନ୍ତା। ୨୦୧୧ ମସିହାରେ ହାଇଦ୍ରାବାଦ ସ୍ଥିତ ପଟେଲ ଇଞ୍ଜିନିୟରିଂ ୧୮୨ କୋଟି ବ୍ୟୟ ଅଟକଳରେ କଲମା ବ୍ୟାରେଜ ନିର୍ମାଣ ଆରମ୍ଭ କରିଥିଲା। ସେତେବେଳେ ଛତିଶଗଡ଼ ସରକାର ଓଡ଼ିଶାର ବିରୋଧ ଆଶଙ୍କା କରି ଏହାର ନିର୍ମାଣ ଅବଧି ମାତ୍ର ଦୁଇବର୍ଷ ଫେବୃୟାରୀ ୨୦୧୩ ପର୍ଯ୍ୟନ୍ତ ରଖିଥିଲେ। ଏହି ବ୍ୟାରେଜ ନିର୍ମାଣ କରିବାକୁ ଅନେକ ବାଧାବିଘ୍ନ ଆସିବାରୁ ଏହାର ଅବଧିକୁ ଜୁଲାଇ ୨୦୧୪ ପର୍ଯ୍ୟନ୍ତ କରାଯାଇଥିଲା। ପରେ ଜାନୁଆରି ୨୦୧୬ରେ ଏହି ଡ୍ୟାମ ନିର୍ମାଣ ଶେଷ ହୋଇଥିଲା। କିନ୍ତୁ ୨୦୧୪ ମେ ୨୨ ତାରିଖରେ କଲମା ବ୍ୟାରେଜ ପାଇଁ ଛତିଶଗଡ଼ ସରକାର ରାଜ୍ୟସ୍ତରୀୟ ପର୍ଯ୍ୟାବରଣ ପ୍ରଭାବ ମୁଲ୍ୟାଙ୍କନ ପ୍ରାଧିକରଣ (ସିଆ) ଦେଇଥିବା ପରିବେଶ ମଞ୍ଜୁରୀରେ କଲମା ସହିତ ଏକା ସାଙ୍ଗରେ ନିର୍ମାଣ କରାଯାଇଥିବା ସିବରିନାରାୟଣ, ବସନ୍ତପୁର, ମିରୋନି, ସାରାଡ଼ିହୀ ବ୍ୟାରେଜ ଏକା ସାଙ୍ଗରେ ନିର୍ମାଣ କରାଯାଉଥିବାରୁ ସିଡବ୍ଲୁସି ଗାଇଡଲାଇନ ଅନୁସାରେ ତଳମୁଣ୍ଡ ପାଣି ପ୍ରବାହକୁ ନ ଅଟକାଇବା ପାଇଁ ନିର୍ଦେଶ ଦିଆଯାଇଥିଲା। ‘ସିଆ’ର ୩୩ ତମ ବୈଠକ ୨୦୧୪ ଫେବ୍ରୁଆରୀ ୧୮ ତାରିଖରେ ରାୟପୁରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମଧ୍ୟ ଏହି ସମସ୍ତ ବ୍ୟାରେଜର ପାଣିକୁ ସିଡବ୍ଲୁସିର ଦିଶାନିର୍ଦେଶ ଅନୁସାରେ ତଳମୁଣ୍ଡକୁ ଛାଡ଼ିବାକୁ ନିଷ୍ପତ୍ତି ହୋଇଛି। ‘ସିଆ’ର ପରିବେଶ ମଞ୍ଜୁରୀ ଓ ବୈଠକରେ କୌଣସି ସ୍ଥାନରେ ମହାନଦୀର ତଳମୁଣ୍ଡକୁ କେତେ ପାଣି ଛଡ଼ାଯିବ ତାହା ଚତୁରତାର ସହିତ ଛତିଶଗଡ଼ ସରକାରଙ୍କର ଅନୁଷ୍ଠାନ ‘ସିଆ’ ଉଲ୍ଲେଖ କରିନଥିବାରୁ ଏହାକୁ ନେଇ ଏବେ ଶୁଦ୍ଧା ବିବାଦ ଲାଗିରହିଛି। ଛତିଶଗଡ଼ ସରକାର ମହାନଦୀ ଉପରେ ନିର୍ମାଣ କରୁଥିବା ଅନେକ ବ୍ୟାରେଜ ଓ ଡ୍ୟାମ୍ ସିଡବ୍ଲୁସିର ନିୟମ ବିରୁଦ୍ଧରେ ରହିଛି। କଲମାଠାରୁ ଅରମ୍ଭ କରି ଉପର ମୁଣ୍ଡରେ ଥିବା ମୋଟ ୬ଟି ବ୍ୟାରେଜ ମାତ୍ର ୮ରୁ ୧୦ କିଲୋମିଟର ଦୂରତାରେ ରହିଛି। କେବଳ କଲମା ଗେଟ ବନ୍ଦ କରିବା କିମ୍ବା ଖୋଲିବା ଏଠି ପ୍ରଶ୍ନ ଉଠୁନାହିଁ। ଉକ୍ତ ସମସ୍ତ ୬ଟି ବ୍ୟାରେଜ୍ ବନ୍ଦ କରି କେବଳ କଲମା ବ୍ୟାରେଜ୍ ଗେଟ ଖୋଲିଦେଲେ କ’ଣ ମହାନଦୀକୁ ଠିକ ମାତ୍ରାରେ ପାଣି ଆସିପାରିବ ତାହା ଏବ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଛତିଶଗଡ଼ ସରକାର ନିଜ ଭୁଲକୁ ଲୁଚେଇବା ପାଇଁ କଲମା ବ୍ୟାରେଜର ଗୋଟିଏ ଗେଟ ଖୋଲିଦେଇ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଥିବା ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।