www.samajalive.in
Saturday, December 6, 2025
23.1 C
Bhubaneswar

ପରିଣତ ବୟସରେ ଦିବ୍ୟାଙ୍ଗ ଭଉଣୀର ସାହାରା ପାଲଟିଛନ୍ତି ଭାଇ

ଚାନ୍ଦିପୁଟ : ଜୀବନର ଅନ୍ୟନାମ ସଂଘର୍ଷ। ସୁଖ ଦୁଃଖ ଜୀବନରେ ଭୋଗିବାକୁ ପଡ଼େ। କିନ୍ତୁ ବେଳେବେଳେ ଭଗବାନ କେବଳ ଦୁଃଖ ହିଁ ଜଣଙ୍କ ଭାଗ୍ୟରେ ଲେଖିଦିଅନ୍ତି ଆଉ ଅସହାୟ ମଣିଷଟି ଛାତିକୁ ପଥର କରି ସବୁ ଦୁଃଖକୁ ପିଇନିଏ। ହେଲେ ଦୁଃଖକୁ ସେମାନେ ଈଶ୍ବରଙ୍କ ଆଶୀର୍ବାଦ ବୋଲି ମାନି ନେଇ ଜୀବନର ବାଟ ଚାଲନ୍ତି। ସେମିତି ଜଣେ ଦିବ୍ୟାଙ୍ଗ ଭଉଣୀର ସେବା କରି ଚାଲିଛନ୍ତି ଭାଇ। ସେଇଥିପାଇଁ ତ ଭାଇ ଜଣକ ଆଜି ପାଲଟିଯାଇଛନ୍ତି ଭଉଣୀର ସାହାରା। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ମୋହନା ବ୍ଲକ ରାଇଯୁକା ଗାଁର ଏକ ବେସାହାରା ବୃଦ୍ଧ ଓ ବୃଦ୍ଧାଙ୍କ କ୍ଷେତ୍ରରେ।
ସୂଚନା ଅନୁସାରେ, ରାଇଯୁକା ଗାଁର ବୃଦ୍ଧ ଭାଇ ଭଉଣୀ କାଶୀନାଥ ବିଶୋଇ ଓ ତାଙ୍କ ବଡ ଭଉଣୀ ସୁଲକ୍ଷଣୀ ବିଶୋଇ । ବଡ ଭଉଣୀର ବୟସ ୮୦ ଟପିଥିବାବେଳେ ଭାଇର ବୟସ ୭୫। ପରିଣତ ବୟସରେ ସାନ ଭାଇ କାଶୀନାଥ ବଡ ଭଉଣୀ ସୁଲକ୍ଷଣୀଙ୍କ ସେବା କରୁଛନ୍ତି । ପ୍ରାୟ ୬୦ ବର୍ଷ ତଳେ ବିବାହର ମାତ୍ର ଏକ ମାସ ପୂର୍ବରୁ ଘରେ ରୋଷେଇ କରୁଥିବାବେଳେ ଭାତ ହାଣ୍ଡି ବସିଥିବା ଚୁଲିରେ ପଡିଯାଇଥିଲେ। ଫଳରେ ସୁଲକ୍ଷଣୀଙ୍କ ମୁହଁ ସମ୍ପୂର୍ଣ୍ଣ ପୋଡିଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ପରିବାର ଲୋକେ । ସୁସ୍ଥ ହୋଇ ଫେରିଥିଲେ ସୁଲକ୍ଷଣୀ । ହେଲେ ସବୁଦିନ ପାଇଁ ଅକର୍ମଣ୍ୟ ହୋଇ ପଡ଼ିଲେ। କିଛି ବର୍ଷ ପରେ ବାପା ମା ଚାଲିଗଲେ ଆର ପାରିକୁ । ଭାଇ କାଶୀନାଥଙ୍କ ପତ୍ନୀ ମଧ୍ୟ ଚାଲିଯାଇଛନ୍ତି ଆର ପlରିକୁ । ନିଜ ଗାଁ ବୁଡୁଲିରେ ଅଛନ୍ତି କାଶୀନାଥଙ୍କ ପୁଅ ବୋହୂ । କିନ୍ତୁ ପୁଅ ବୋହୁ ସେମାନଙ୍କ ଦାୟିତ୍ବ ନେଲେନାହିଁ। ଫଳରେ ଗତ ପ୍ରାୟ ୨୦ ବର୍ଷ ହେଲା ରାଇଯୁକା ଗାଁର ଏକ ପାହାଡ଼ ତଳେ ଆସି ରହୁଛନ୍ତି ଭାଇ ଭଉଣୀ । ଭଉଣୀ ଅକର୍ମଣ୍ୟ ଥିବାରୁ ଭାଇ କାଶୀନାଥ ଭଉଣୀର ଖାଇବା ଠାରୁ ଆରମ୍ଭ କରି ସବୁ ସେବା କରୁଛନ୍ତି। ଭଉଣୀର ସେବା ନକଲେ ଆଉ କିଏ କରିବ ବୋଲି କହିଛନ୍ତି କାଶୀନାଥ । ଘରେ କିଛି ଜିନିଷ ରଖି ବିକ୍ରିବଟା କରି ଚଳୁଛନ୍ତି । ସରକାରଙ୍କ ପକ୍ଷରୁ କେବଳ ବାର୍ଦ୍ଧକ୍ୟ ଭତ୍ତା ମିଳୁଛି । ସରକାର ସେମାନଙ୍କୁ କିଛି ସାହାଯ୍ୟ କରନ୍ତୁ ବୋଲି ଗୁହାରି କରିଛନ୍ତି ଭାଇ ଭଉଣୀ । ପରିଣତ ବୟସରେ ମଧ୍ୟ ଅକର୍ମଣ୍ୟ ଭଉଣୀ ପ୍ରତି ବୃଦ୍ଧ ଭାଇର ସ୍ନେହ ପ୍ରେମକୁ ଖୁବ୍‌ ପ୍ରଶଂସା କରୁଛନ୍ତି ଗାଁ ଲୋକେ । ଯେଉଁ ବୟସରେ ସେମାନଙ୍କୁ ତାଙ୍କ ପୁଅ ବୋହୂ ସେବା କରିଥା’ନ୍ତେ ସେହି ବୟସରେ ଦୁଃଖକୁ ଆଦରି ନେଇଛନ୍ତି ଏହି ବୃଦ୍ଧ ଭାଇ ଭଉଣୀ । ଭାଇଭଉଣୀଙ୍କ ବିରଳ କାହାଣୀ ଏବର ସମାଜ ପାଇଁ ଆଲୋକବର୍ତ୍ତିକା ହେବ ନିଶ୍ଚୟ।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories