ଭଦ୍ରକ : ବହୁ ଚର୍ଚ୍ଚିତ ଭଦ୍ରକ ମଦମୃତ୍ୟୁ ମାମଲାରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ବିରୋଧରେ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ମଙ୍ଗଳବାର ମାନବାଧିକାର କମିଶନ ନିକଟରେ ଅଭିଯୋଗ କରିଛି ।
ଭଦ୍ରକ ମଦମୃତ୍ୟୁ ମାମଲାରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ସପୃକ୍ତି ଅଭିଯୋଗ ଆଣି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପି ଦାବି କରିଛି । ବିଜେପି ନେତା ମନମୋହନ ସାମଲଙ୍କ ନେତୃତ୍ୱାଧୀନ ପ୍ରତିନିଧି ମଣ୍ଡଳୀ ଅଭିଯୋଗ କରିଛି ଯେ ଭଦ୍ରକରେ ବିଷାକ୍ତ ମଦ ପିଇ ୧୨ଜଣ ପ୍ରାଣ ହରାଇଥିବା ବେଳେ ୮୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିଲେ। ରାଜ୍ୟ ସରକାର ଏହି ମାମଲାର ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେଇନାହାନ୍ତି । ଏହି ଘଟଣାରେ ମାତ୍ର ଜଣକୁ ଗିରଫ କରିବା ପରେ ଆରଡିସି କମିଶନ ଘୋଷଣା କରି ରାଜ୍ୟ ସରକାର ଚୁପ ବସିଛନ୍ତି। ଏହି ମାମଲାରେ ମୃତକଙ୍କ ପରିବାରବର୍ଗଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବା ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେପି ଦାବି କରିଛି ।



