www.samajalive.in
Friday, December 12, 2025
15.1 C
Bhubaneswar

ବଣ ଓ ପାହାଡ଼ ଭିତରେ ନିଖୋଜ ଚନ୍ଦନଖୁଣ୍ଟି ଗାଁ-ଦୁର୍ଗମ ଓ ବିପଦପୂର୍ଣ୍ଣ ଜଙ୍ଗଲି ରାସ୍ତା ହିଁ ଏକମାତ୍ର ଭରସା

ଦେବଗଡ: ଏହି ଜିଲାରେ ବିକାଶରୁ ବଞ୍ଚିତ ଏମିତି ଏକ ଗାଁ ଅଛି, ଯାହାର ଗ୍ରାମବାସୀ ଆଜି ବି ଶତାବ୍ଦୀ ପୁରଣା ଯୁଗରେ ଜୀଉଁଛନ୍ତି। ଗାଁ’ର ନାମ ଚନ୍ଦନଖୁଣ୍ଟି, ହେଲେ ଏଠାରେ ଚନ୍ଦନର ବାସ ନାହିଁ। ଅଛି କେବଳ ଅଭାବ, ଅସୁବିଧା ଓ ସମସ୍ୟା।
ତିଲେଇବଣି ବ୍ଲକ ଅନ୍ତର୍ଗତ ଟାଇଁସର ପଞ୍ଚାୟତରେ ରହିଛି ଏହି ଆଦିବାସୀ ଗାଁ। ଏଠାରେ ବସବାସ କରୁଥିବା ପରିବାର ସଂଖ୍ୟା ପ୍ରାୟ ୨୨। ସଦସ୍ୟ ସଂଖ୍ୟା ଶହେରୁ ଅଧିକ। ଭୌଗୋଳିକ ସ୍ଥିତି ଅନୁସାରେ ଚନ୍ଦନଖୁଣ୍ଟି ଏକ ଅଭିଷପ୍ତ ଗାଁ। ତୀକ୍ଷ୍ଣ ପାହାଡ଼ ଉପରେ ଏହାର ଅବସ୍ଥିତି। ଚାରିପଟେ ଘେରି ରହିଛି ଘଞ୍ଚ ଜଙ୍ଗଲ। ସେଠାରେ ପହଞ୍ଚିବା ପାଇଁ ୩ଟି ପାହାଡ଼ ଏବଂ ଛୋଟ, ବଡ଼ ହୋଇ ୩ଟି ନାଳ ଡେଇଁବାକୁ ହୁଏ। ଗାଁକୁ ରାସ୍ତାଟିଏ ବି ନାହିଁ।  ଆବୁଡ଼ାଖାବୁଡ଼ା, ଖାଲଢ଼ିପ ହୋଇ ୬/୭ କିଲୋମିଟର ଗଲେ ଯାଇ ପହଞ୍ଚିହୁଏ ଏଇ  ଗାଁରେ।
ଭୌଗୋଳିକ ସ୍ଥିତି ହିଁ ଏଇ ଗାଁର ମୁଖ୍ୟଶତ୍ରୁ, ଏହାହିଁ ବିକାଶର ମୁଖ୍ୟ ପ୍ରତିବନ୍ଧକ।ଫଳରେ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଯୋଜନା ଓ କାର୍ଯ୍ୟକ୍ରମର ସୁଫଳ ଏଠାରେ ପହଞ୍ଚିପାରୁ ନାହିଁ। ସାଧାରଣ ସରକାରୀ ସୁବିଧା ସୁଯୋଗ ତ ଦୂରର କଥା ବିଶୁଦ୍ଧ ପାନୀୟ ଜଳ ଟୋପାଏ ମଧ୍ୟ ଗ୍ରାମବାସୀଙ୍କ ପାଇଁ ସ୍ବପ୍ନ ହୋଇ ରହିଛି। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ବିଜୁଳି ପ୍ରଭୃତି ମୌଳିକ ଆବଶ୍ୟକତା କଥା ପଚାର କିଏ।ରାସ୍ତା ଅଭାବରୁ ଗାଁକୁ ଆମ୍ବୁଲାନ୍ସ ଆସିପାରୁ ନଥିବାରୁ ପ୍ରସୂତି, ରୋଗୀଙ୍କୁ ଖଟିଆ କିମ୍ବା ଦୋଳାରେ ଡାକ୍ତରଖାନାକୁ ନିଆଯାଏ। ସେହିପରି ପିଡିଏସ ସାମଗ୍ରୀ ପାଇଁ ପଞ୍ଚାୟତ କାର୍ଯ୍ୟାଳୟ କିମ୍ବା ବଜାର ଯିବା ପାଇଁ ଗ୍ରାମବାସୀଙ୍କ ଦୁର୍ଗମ ଓ ବିପଦପୂର୍ଣ୍ଣ ଜଙ୍ଗଲି ରାସ୍ତା ହିଁ ଏକମାତ୍ର ଭରସା। ଶିକ୍ଷାଦାନର ଭିତ୍ତିଭୂମି ନଥିବାରୁ ଗାଁପିଲାଏ ଅପାଠୁଆ ରହିଯାଉଛନ୍ତି। ଅଙ୍ଗନବାଡ଼ି କେନ୍ଦ୍ରରେ ୧୦ଜଣ ଶିଶୁଙ୍କର ନାମ ଲେଖା ଯାଇଥିବା ବେଳେ ୪/୫ ବର୍ଷ ପୂର୍ବେ ନିର୍ମଣାଧୀନ ଅଙ୍ଗନବାଡି କେନ୍ଦ୍ର ଏବେ ବି ଅସମ୍ପୁର୍ଣ୍ଣ ରହିଛି। ରାସ୍ତା ନଥିବାରୁ ଅଙ୍ଗନବାଡ଼ି ଓ ଆଶାକର୍ମୀ ନିୟମିତ ଆସନ୍ତି ନାହିଁ ା ଗାଁରେ ଖୋଳାଯାଇଥିବା ଇନଟେକ୍‌ ୱେଲ ଦୀର୍ଘବର୍ଷ ହେଲା ଅଚଳ ହୋଇପଡ଼ିଛି। ବହୁବାର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉ ନାହାନ୍ତି। ଦୀର୍ଘବର୍ଷ ପୂର୍ବେ ସରକାରଙ୍କ ପକ୍ଷରୁ ଏକ ପୋଖରୀ ଖୋଳା କାମ ଆରମ୍ଭ ହୋଇଥିଲା, ସେ କାମ ଏଯାଏ ସରିନାହିଁ। ସେହିପରି ଗାଁରେ ଥିବା ଦୁଇଟିଯାକ ନଳକୂଅ ଗ୍ରୀଷ୍ମଋତୁରେ ଶୁଖିଯାଏ। ପ୍ରାୟ ଦେଢ଼ବର୍ଷ ତଳେ ଯୋଗାଇ ଦିଆଯାଇ ଥିବା ସୋଲାର ଲାଇଟଗୁଡ଼କରୁ ଅର୍ଦ୍ଧାଧିକ ଅଚଳ ହୋଇପଡ଼ିଛି।ମନରେଗା ଭଳି ଶ୍ରମଭିତ୍ତିକ ଯୋଜନା ଗ୍ରାମବାସୀଙ୍କ ପାଇଁ କୌଣସି ମାନେ ରଖୁନଥିବା ବେଳେ ଜଙ୍ଗଲରୁ ମିଳୁଥିବା ମହୁଲ, ଶିଆଳି ପତ୍ର, କେନ୍ଦୁ, ଚାର ଓ ଝୁଣା ପ୍ରଭୃତି ସେମାନଙ୍କ ଆୟର ମୁଖ୍ୟ ସ୍ରୋତ। ସେଗୁଡ଼କ ସଂଗ୍ରହ କରିବା ଯେତିକି କଷ୍ଟ, ତାକୁ ବିକ୍ରି କରିବା ତା’ଠାରୁ ଅଧିକ କଷ୍ଟସାଧ୍ୟ। ନିକଟରେ ବଜାର ବା ହାଟ ନଥିବାରୁ ସେମାନଙ୍କୁ ପାହାଡ଼ ତଳେ ଥିବା ତାଳକୁଣ୍ଡି ପଞ୍ଚାୟତର ଡଙ୍ଗାଖୋଲ ଗ୍ରାମକୁ ଆସିବାକୁ ପଡ଼େ।
ଏହି ସବୁ ସମସ୍ୟା ସମ୍ପର୍କରେ ଚନ୍ଦନଖୁଣ୍ଟି ଗ୍ରାମବାସୀ ସ୍ଥାନୀୟ ସରପଞ୍ଚଙ୍କଠୁ ଆରମ୍ଭ କରି ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଜିଲାପାଳ, ବିଧାୟକ ଓ ସାଂସଦଙ୍କ ଦୃଷ୍ଟିଆକର୍ଷଣ କରିଥିଲେ ମଧ୍ୟ କିଛି ଫଳ ହେଉ ନାହିଁ।ଉକ୍ତ ଗ୍ରାମ ପାଇଁ ରାସ୍ତା ଓ ପୋଲ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ଏବଂ ଏହା ସମ୍ପୂର୍ଣ୍ଣ ହେଲେ ଅନ୍ୟ ସମସ୍ତ ସମସ୍ୟା ଦୂର ହେବ ବୋଲି ତିଲେଇବଣି ଗୋଷ୍ଠୀ ଉନ୍ନୟନ ଅଧିକାରୀ କୃଷ୍ଣଚନ୍ଦ୍ର ଦଳପତି କହିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories