ସୀମାନ୍ତ ପ୍ରଶାସନ ମଧ୍ୟରେ ଛକାପଞ୍ଝା, କୋଟିଆ ଭୋଟରଙ୍କ ଉପରେ ଆନ୍ଧ୍ରର ନଜର

ଆନ୍ଧ୍ର ହସ୍ତକ୍ଷେପ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ଭୁବନେଶ୍ବର/ପଟାଙ୍ଗି : ବିବାଦୀୟ କୋଟିଆ ଗ୍ରାମପୁଞ୍ଜରେ ଆନ୍ଧ୍ର ପକ୍ଷରୁ ଭୋଟ ଗ୍ରହଣ କେନ୍ଦ୍ର ଖୋଲାଯିବା ଚର୍ଚ୍ଚାର ବିଷୟ ହୋଇଛି। ମେ ୧୩ ତାରିଖରେ ଉଭୟ ଆନ୍ଧ୍ର ଓ ଓଡ଼ିଶାରେ ଗୋଟିଏ ଦିନରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ବିବାଦୀୟ କୋଟିଆ ଗ୍ରାମପୁଞ୍ଜରେ ଭୋଟ ଗ୍ରହଣ କେନ୍ଦ୍ର ହେବ ଏବଂ ଲୋକେ ମତଦାନ କରିବେ ବୋଲି ଆନ୍ଧ୍ର ପାର୍ବତୀପୁରମ ମାନ୍ୟମ ଜିଲାର ଜିଲାପାଳ ନିଶାନ୍ତ କୁମାର ସାମ୍ବାଦିକଙ୍କୁ ସୂଚନା ଦେବା ପରେ ଓଡ଼ିଶାରେ ଅସନ୍ତୋଷ ତୀବ୍ର ହେଉଛି। ଅନେକ ଥର ଆନ୍ଧ୍ର ପ୍ରଶାସନ କୋଟିଆରେ ଲୁଚିଛପି ନିର୍ବାଚନ କରି ଆସିଛି। କୋଟିଆ ବିବାଦ ଅଦ୍ୟାବଧି ସର୍ବୋଚ୍ଚ ନ୍ୟାଳୟରେ ବିଚାରାଧୀନ ରହିଛି।

ଆନ୍ଧ୍ର ସରକାରଙ୍କ ଏଭଳି ନିଷ୍ପତ୍ତି ପଛରେ କଣ ରହଛି ରହସ୍ୟ ତାହା ଅସ୍ପଷ୍ଟ ରହିଛି। ଅନ୍ୟପଟେ ନିର୍ବାଚନ ସମୟରେ କୋଟିଆ ମଧ୍ୟକୁ ଅନ୍ୟ ରାଜ୍ୟର ଅନୁପ୍ରବେଶ ସୁଯୋଗ ଦିଆଯିବ ନାହିଁ ବୋଲି କୋରାପୁଟ ଜିଲା ପ୍ରଶାସନ ସ୍ପଷ୍ଟ କରିଛି। ଏନେଇ କୋଟିଆ ଗ୍ରାମପୁଞ୍ଜ ଭୋଟରଙ୍କ ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ଦୁଇ ରାଜ୍ୟ ସୀମାନ୍ତ ପ୍ରଶାସନ ମଧ୍ୟରେ ଏକ ପ୍ରକାର ଛକାପଞ୍ଝା ପରିସ୍ଥିତି ସୃଷ୍ଟି ହୋଇଛି। କୋରାପୁଟ ଜିଲା ପଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ବିବାଦୀୟ ୨୧ଖଣ୍ଡ ଗ୍ରାମପୁଞ୍ଜର ଭୋଟରଙ୍କୁ ନେଇ ଦୁଇ ରାଜ୍ୟର ସୀମାନ୍ତ ପ୍ରଶାସନ ପାଇଁ ଆହ୍ବାନ ସୃଷ୍ଟି କରିଛି। କୋଟିଆ ପଞ୍ଚାୟତର ସମୁଦାୟ ୨୭ଖଣ୍ଡ ଗ୍ରାମପୁଞ୍ଜ ପାଇଁ ୯ଟି ବୁଥ କରାଯାଇଛି। ସେଥିରୁ ୬ଟି ବୁଥ ସ୍ପର୍ଶକତାର ହୋଇଥିବା ବେଳେ ୩ବୁଥ ସାଧାରଣ ରହିଛି। ପଞ୍ଚାୟତରେ ୭୭୨୮ ଜନସଂଖ୍ୟା ଥିବା ବେଳେ ୫୫୦୨ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ। ନାରେଡ଼ିବାଲସା, ତାଡ଼ିବାଲାସା, ଆରଜୁବାଲସା, ଧୂଳିପଦର, ରଣାସିଂର ୫୮୪ ଜଣ ଭୋଟରଙ୍କ ପାଇଁ ରଣାସିଂରେ ବୁଥ ହୋଇଛି।
ଫଗୁଣସିନେରୀ, ଫାଟୁସିନେରୀ ହରମାଣ୍ଡାଙ୍ଗି, ମହିପାଣିର ୫୯୮ ଭୋଟରଙ୍କ ପାଇଁ ଫଗୁଣସିନେରୀ ବୁଥ ରହିଛି। ସେହିପରି ମାଡକାର, ଡଲିଆମ୍ବ ଗଁାର ୩୩୫ ଭୋଟରଙ୍କ ପାଇଁ ମାଡକାରରେ ବୁଥ ରହିଛି। ଉପର ଗଞ୍ଜେଇପଦର, ତଳ ଗଞ୍ଜେଇପଦର, କୁରୁଡ଼ିପଦରର ୭୬୯ ଭୋଟରଙ୍କ ପାଇଁ ଗଞ୍ଜେଇପଦରରେ ବୁଥ ରହିଛି। ମାଥାଲାମ୍ବ, ଫୁଲପଦର, କୋଡିଆମ୍ବ, ସାଲିମପଦର, ଗୁମେଲପଦରର ୬୦୮ ଭୋଟରଙ୍କ ପାଇଁ ଗୁମେଲପଦରରେ ବୁଥ କରାଯାଇଛି। ତଳକାଣ୍ଟିର ୨୮୬ ଭୋଟର ପାଇଁ ତଳକାଣ୍ଟିରରେ ବୁଥ ରହିଛି। କୋଟିଆ, ଜାନିଗୁଡାର ୫୧୦ ଭୋଟରଙ୍କ ପାଇଁ କୋଟିଆରେ ବୁଥ ବ୍ୟବସ୍ଥା ହୋଇଛି। ଥୁରିଆ, କରଞ୍ଜଗୁଡାର ୮୬୦ ଭୋଟରଙ୍କ ପାଇଁ ଥୁରିଆରେ ବୁଥ କରାଯାଇଛି। ଟାଉପଦରର ୯୬୦ ଭୋଟର ପାଇଁ ଟାଉପଦରରେ ବୁଥ ହୋଇଥିବା ସୂଚନା ମିଳିଛି। ଅନ୍ୟପଟେ ନାରେଡ଼ିବାଲସା, ତାଡିବାଲାସା, ଆରଜୁବାଲସା, ଧୂଳିପଦର, ଉପରସେମ୍ବି, ତଳସେମ୍ବି, କୋଟିଆ, ତଳ ଗଞ୍ଜେଇପଦର, ଉପର ଗଞ୍ଜେଇପଦର ଗ୍ରାମପୁଞ୍ଜବାସୀଙ୍କ ପାଇଁ ନାରେଡିବାଲସା ବୁଥ୍‌ ଏବଂ ତୋନମ ବୁଥରେ ଫଗୁଣ ସିନେରୀ ଫାଟୁସିନେରୀ, ହରମାଣ୍ଡାଙ୍ଗି, ମାଡକାର, ସଲପଗୁଡ଼ା, କୋନାଦୋରାର ଗ୍ରାମବାସୀ ଭୋଟ ପ୍ରଦାନ କରିବା ନେଇ ଆନ୍ଧ୍ର ପକ୍ଷରୁ ବ୍ୟବସ୍ଥା ହୋଇଥିବା କୁହାଯାଉଛି। ତେବେ ଏନେଇ କୋରାପୁଟ ଜିଲା ପ୍ରଶାସନ ସଜାଗ ରହିଥିବା କୁହାଯାଉଛି।

ଆନ୍ଧ୍ର ହସ୍ତକ୍ଷେପ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ଆଗାମୀ ନିର୍ବାଚନରେ କୋଟିଆରେ ଆନ୍ଧ୍ରପ୍ରଦେଶର ହସ୍ତକ୍ଷେପ ବନ୍ଦ ହେଉ। ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଗୁରୁବାର ଏହି ପରିପ୍ରେକ୍ଷୀରେ ଚିଠି ଲେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି। ଆନ୍ଧ୍ର ସରକାର ବହୁଳ ଭାବରେ କୋଟିଆବାସୀଙ୍କୁ ଭୋଟଦାନ କରି ସର୍ବୋଚ୍ଚ ନ୍ୟାୟାଳୟ ସମ୍ମୁଖରେ ନିଜର ମାଲିକାନାକୁ ଜାହିର କରିବା ପାଇଁ ଯେଉଁ ଷଡ଼ଯନ୍ତ୍ର କରିବାକୁ ଉଦ୍ୟମ କରୁଛନ୍ତି, ତାହାକୁ ଓଡ଼ିଶା ସରକାରଙ୍କୁ ଉଚିତ ଜବାବ ଦେବାକୁ ହେବ ବୋଲି ଶ୍ରୀ ବେହେରା ଚିଠିରେ ଉଲ୍ଲେଖ କରିଛନ୍ତି। କୋଟିଆ ଅଞ୍ଚଳରେ ଆନ୍ଧ୍ରପ୍ରଦେଶ ଏବଂ ପାର୍ବତୀପୁର ଜିଲା ପ୍ରଶାସନ ବାରମ୍ବାର ହସ୍ତକ୍ଷେପ କରି ଅଶାନ୍ତି ସୃଷ୍ଟି କରିବାକୁ ଉଦ୍ୟମ କରୁଛି। ଏହି ଅଞ୍ଚଳର ଗରିବ ଜନସାଧାରଣଙ୍କୁ ବିଭିନ୍ନ ଲୋଭନୀୟ ଜନକଲ୍ୟାଣକାରୀ ଯୋଜନା ଜରିଆରେ ନିଜ ଆଡକୁ ଆକର୍ଷିତ କରି ନେବାପାଇଁ ଆନ୍ଧ୍ର ପ୍ରଶାସନ ଉଦ୍ୟମ ଅବ୍ୟାହତ ରହିଛି। ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଉଭୟ ରାଜ୍ୟର ମୁଖ୍ୟସଚିବଙ୍କୁ ନେଇ ଯେଉଁ ଉଚ୍ଚସ୍ତରୀୟ ବୈଠକ କରିବା କଥା ତାହା ଏପର୍ଯ୍ୟନ୍ତ କରିନାହାନ୍ତି। ଆଗାମୀ ନିର୍ବାଚନରେ ଓଡ଼ିଶାର ସୀମା ସୁରକ୍ଷା ଉପରେ ଆନ୍ଧ୍ରର ହସ୍ତକ୍ଷେପକୁ ବନ୍ଦ କରାଯାଉ ବୋଲି ସମାଜବାଦୀ ପାର୍ଟି ଦାବି କରିଛି।

Comments are closed.