ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଲାଗି ସରକାର ନୂଆ ସ୍ୱାସ୍ଥ୍ୟ ନୀତି ଉପରେ କାର୍ଯ୍ୟ କରୁଛନ୍ତି : ମୋଦୀ

ଜୟପୁରରେ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ପେଟ୍ରୋ କେମିକାଲ୍‍ସ୍‍ ଟେକ୍ନୋଲୋଜିକୁ ଉଦ୍‍ଘାଟନ କରିବା ସହ ୪ଟି ନୂଆ ମେଡ଼ିକାଲ କଲେଜର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଦେଶର ସ୍ୱାସ୍ଥ୍ୟକ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ ସରକାର ଜାତୀୟ ସ୍ତରରେ ଏକ ନୂଆ ଆଭିମୁଖ୍ୟ ପୋଷଣ କରି ନୂଆ ସ୍ୱାସ୍ଥ୍ୟ ନୀତି ଉପରେ କାର୍ଯ୍ୟ କରୁଛନ୍ତି । ସେ କହିଛନ୍ତି ସ୍ୱଚ୍ଛ ଭାରତ ଅଭିଯାନ, ଆୟୁଷ୍ମାନ ଭାରତ ଯୋଜନା ଓ ଆୟୁଷ୍ମାନ ଭାରତ ଡିଜିଟାଲ୍‍ ମିଶନ ଭଳି ଅନେକ ପଦକ୍ଷେପ ସରକାର ଗ୍ରହଣ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଏହି ଯୋଜନାଗୁଡ଼ିକୁରୁ ଦେଶର ଜନସାଧାରଣ
ବିଶେଷ ଉପକୃତ ହେବେ ଓ ଦେଶ ସ୍ୱାସ୍ଥ୍ୟ ସେବାକ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇପାରିବ ।

ରାଜସ୍ଥାନର ଜୟପୁରଠାରେ ସେଣ୍ଟ୍ରାଲ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ପେଟ୍ରୋ କେମିକାଲ୍‍ ଇଞ୍ଜିନିୟରିଙ୍ଗ୍‍ ଆଣ୍ଡ୍‍ ଟେକ୍ନୋଲୋଜି (ସିପେଟ)ର ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ପେଟ୍ରୋ କେମିକାଲ୍‍ସ୍‍ ଟେକ୍ନୋଲୋଜିକୁ ଉଦ୍‍ଘାଟନ କରିଛନ୍ତି । ସେ ବଂଶୱାରା, ଶିରୋହୀ, ହନୁମାନଗଡ଼ ଓ ଦୌଶା ଜିଲ୍ଲାରେ ୪ଟି ନୂଆ ମେଡ଼ିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କରିବା ଅବସରରେ ଶ୍ରୀ ମୋଦୀ ଏହା କହିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ସମଗ୍ର ଦେଶରେ ଏମ୍ସ ଗୁଡ଼ିକୁ ପ୍ରତିଷ୍ଠା କରିବାର ଯଥେଷ୍ଟ ଆବଶ୍ୟକତା ଦେଖାଦେଇଛି । ସେ କହିଛନ୍ତି ଦେଶରେ ବର୍ତ୍ତମାନର ୬ଟି ଏମ୍ସରୁ ୨୨ଟି ଏମ୍ସ ସ୍ଥାପନ କରିବା ଦିଗରେ ଦେଶ ଅଗ୍ରସର ହେଉଛି ।
ପ୍ରଧାନମନ୍ତ୍ରୀ କହିଛନ୍ତି ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ବିଗତ ୬ରୁ ୭ ବର୍ଷ ମଧ୍ୟରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ୧୭୦ଟି ଅଧିକ ନୂଆ ମେଡ଼ିକାଲ କଲେଜ ପ୍ରତିଷ୍ଠା କରାଯାଇ ସାରିଛି ଓ ଆଉ ୧୦୦ଟି ନୂଆ ମେଡ଼ିକାଲ କଲେଜ ସ୍ଥାପନ ଦିଗରେ କାର୍ଯ୍ୟ କରାଯାଉଛି । ସେ କହିଛନ୍ତି ସ୍ନାତକ ଓ ସ୍ନାତକୋତ୍ତର ମେଡ଼ିକାଲ ଆସନ ଗୁଡ଼ିକର ସଂଖ୍ୟା ୫୮ ହଜାରକୁ ବୃଦ୍ଧି କରାଯାଇଛି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶରେ ଏପର୍ଯ୍ୟନ୍ତ ୮୮ କୋଟିରୁ ଅଧିକ କୋଭିଡ ପ୍ରତିଷେଧକ ଦିଆଯାଇ ସାରିଲାଣି । ଦେଶରେ ଦକ୍ଷ ପେଶାଦାର ମାନଙ୍କର ଆବଶ୍ୟକତା ବିଷୟ ଉଲ୍ଲେଖ କରି ସେ କହିଛନ୍ତି ଏହା କେବଳ ଦେଶକୁ ଶକ୍ତିଶାଳୀ କରିବ ତା’ ନୁହେଁ, ବରଂ ଦେଶକୁ ଆତ୍ମନିର୍ଭରଶୀଳ କରିବା ଦିଗରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବ ।
ଏହି ଅବସରରେ ଉଦବୋଧନ ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ୍‍ ମାଣ୍ଡଭ୍ୟ କହିଛନ୍ତି ଦେଶରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ତତ୍ପରତାର ସହ କାର୍ଯ୍ୟ କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟକ୍ଷେତ୍ରର ଅଭୂତପୂର୍ବ ବିକାଶ କରାଯାଇଥିବାର ଶ୍ରୀ ମାଣ୍ଡଭ୍ୟ କହିଛନ୍ତି । ଆୟୁଷ୍ମାନ ଭାରତ ବିଷୟରେ ସେ କହିଛନ୍ତି ଏହି ଯୋଜନାରୁ ୨ କୋଟିରୁ ଅଧିକ ଲୋକ ଉପକୃତ ହୋଇଛନ୍ତି ।
ଲୋକସଭା ବାଚସ୍ପତି ଓମ୍‍ ବିର୍ଲା କହିଛନ୍ତି ଦେଶରେ ଏକ ଶକ୍ତିଶାଳୀ ସ୍ୱାସ୍ଥ୍ୟ ଭିତ୍ତିଭୂମି ସ୍ଥାପନ ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଶ୍ରୀ ବିର୍ଲା କହିଛନ୍ତି ରାଜସ୍ଥାନର ଆଦିବାସୀ ବହୁଳ ଇଲାକାରେ ୪ଟି ମେଡ଼ିକାଲ କଲେଜ ଖୋଲାଯିବା ଦ୍ୱାରା ଏଥିରୁ ଗରିବ ଲୋକମାନେ ସବୁଠୁ ବେଶୀ
ଉପକୃତ ହେବେ ଓ ଡାକ୍ତରୀ ଛାତ୍ରଛାତ୍ରୀମାନେ ଅଳ୍ପ ଖର୍ଚ୍ଚରେ ଶିକ୍ଷାଲାଭ କରିପାରିବେ ।
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତ, କେନ୍ଦ୍ରମନ୍ତ୍ରୀ ଭୂପନ୍ଦ୍ରେ ଯାଦବ ଓ ଗଜେନ୍ଦ୍ର ସିଂ ଶେଖାୱତଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Comments are closed.