କେନ୍ଦ୍ରମନ୍ତ୍ରୀଙ୍କ ଭାଇ, ପୁତୁରା ଗିରଫ

ବେଙ୍ଗାଲୁରୁ: ଏକ ଠକେଇ ଅଭିଯୋଗ ଆଧାରରେ ବେଙ୍ଗାଲୁରୁ ପୁଲିସ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଜୋଷୀଙ୍କ ଭାଇ ଗୋପାଳ ଜୋଷୀ ଓ ପୁତୁରା ଅଜୟ ଜୋଷୀଙ୍କୁ ଗିରଫ କରିଛି। ଅଭିଯୋଗ ପରେ ଗୋପାଳ ଓ ଅଜୟ ଦୀର୍ଘ ଦିନ ଫେରାର ଥିବାବେଳେ ପୁଲିସ ତାଙ୍କ ଗତିବିଧିକୁ ଅନୁଧ୍ୟାନ କରି ଶନିବାର ଗିରଫ କରିଛି। ପୁଲିସ କହିବା ଅନୁଯାୟୀ​‌ ଗୋପାଳଙ୍କୁ ହେଲ୍ଲାପୁରରୁ ଓ ଅଜୟଙ୍କୁ ପୁଣେରୁ ଗିରଫ କରାଯାଇଛି। ଜେରା ପାଇଁ ଉଭୟଙ୍କୁ ହୁବଲି ଅଣାଯାଇଛି। ଭାଇ ଓ ପୁତୁରା ଗିରଫ ପରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଜୋଷୀ କହିଛନ୍ତି ଯେ ୩୦ବର୍ଷ ହେଲା ଗୋପାଳଙ୍କ ସହିତ ତାଙ୍କର ସମ୍ପର୍କ ନଥିଲା। ଏ ସମ୍ପର୍କରେ ସେ ସର୍ବସାଧାରଣରେ ନୋଟିସ ଦେବା ସହିତ ଅଦାଲତରେ ସତ୍ୟପାଠ କରିଥିବା ପ୍ରହ୍ଲାଦ କହିଛନ୍ତି। ଜେଡି(ଏସ୍‌)ର ପୂର୍ବତନ ବିଧାୟକ ଦେବାନନ୍ଦ ଫୁଲ ସିଂହ ଚଭନଙ୍କ ପତ୍ନୀ ସୁନିତା ଚଭନ ଗତ ଗୁରୁବାର ଗୋପାଳଙ୍କ ବିରୋଧରେ ଠକେଇ ଅଭିଯୋଗ ଦାୟର କରିଥିଲେ। ଅଭିଯୋଗ ଅନୁଯାୟୀ ଲୋକସଭା ନିର୍ବାଚନ ପାଇଁ ତାଙ୍କ ପରିବାରକୁ ବିଜେପି ଟିକଟ ଦେବାର ପ୍ରତିଶ୍ରୁତି ଦେଇ ସୁନିତାଙ୍କ ଠାରୁ ଗୋପାଳ ୨କୋଟି ଟଙ୍କା ଦାବି କରିଥିଲେ। ଦାବି ଆଧାରରେ ଗୋପାଳଙ୍କୁ ୨୫ଲକ୍ଷ ଟଙ୍କା ବିଜୟଲକ୍ଷ୍ମୀ ନାମକ ଜଣେ ମହିଳାଙ୍କ ମାଧ୍ୟମରେ ଦେଇଥିଲେ। ବିଜୟଲକ୍ଷ୍ମୀଙ୍କୁ ପ୍ରହ୍ଲାଦଙ୍କ ଭଉଣୀ ବୋଲି ଗୋପାଳ ପରିଚିତ କରାଇଥିଲେ। ସୁନିତା ମଧ୍ୟ କହିଛନ୍ତି​‌ ଯେ ଏହି ଠକେଇରେ କେନ୍ଦ୍ରମନ୍ତ୍ରୀଙ୍କ ସମ୍ପୃକ୍ତି ନାହିଁ।

Comments are closed.