ସିଡିପିଓ ଦୁର୍ବ୍ୟବହାର ମାମଲା ତଦନ୍ତକାରୀ ଟିମରେ ବିବାଦୀୟ ଡାକ୍ତର, ସ୍ୱଚ୍ଛତା ନେଇ ପ୍ରଶ୍ନ
ଡେସ୍କ: କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକର ସିଡିପିଓ ସ୍ନେହଲତା ସାହୁଙ୍କ ବେପରୁଆ ଓ ଅମାନବୀୟ ବ୍ୟବହାର ଯୋଗୁ ଗର୍ଭସ୍ଥ ଶିଶୁର ମୃତ୍ୟୁ ହେବା ସହ ଗର୍ଭବତୀ ମା’ ଗୁରୁତର ହେବା ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ୩ ଜଣିଆ ତଦନ୍ତକାରୀ ଟିମରେ ତହସିଲଦାର ପ୍ରଜ୍ଞା ପାରମିତା ପୃଷ୍ଟି, ସ୍ଥାନୀୟ ମେଡ଼ିକାଲ୍ ଅଧିକାରୀ ଡାକ୍ତର ଚିତ୍ତରଞ୍ଜନ ବେହେରା ଓ ଜିଲ୍ଲା ସମାଜମଙ୍ଗଳ ଅଧିକାରୀ ମନୋରମା ସ୍ୱାଇଁ ଅଛନ୍ତି। ତେବେ ଡାକ୍ତର ଚିତ୍ତରଞ୍ଜନ ବେହେରାଙ୍କୁ ତଦନ୍ତକାରୀ ଟିମରେ ସାମିଲ କରାଯିବା ନେଇ ବିବାଦ ଦେଖାଦେଇଛି। ତଦନ୍ତରେ ସ୍ୱଚ୍ଛତା ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଡାକ୍ତର ଚିତ୍ତରଞ୍ଜନ ବେହେରାଙ୍କ ନାଁରେ ୮ଟି ମାମଲା ରହିଛି। ତେଣୁ ତାଙ୍କୁ ତଦନ୍ତକାରୀ ଟିମ୍ରେ ସାମିଲ କରାଯାଇଥିବା ବେଳେ ଏହାର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ, କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ମହିଳା ଓ ଶିଶୁ ବିକାଶ ବିଭାଗରେ କାର୍ଯ୍ୟରତ ବରିଷ୍ଠ କିରାଣି ବର୍ଷା ପ୍ରିୟଦର୍ଶିନୀ ମହାପାତ୍ର ୭ ମାସର ଗର୍ଭବତୀ ଥାଇ ମଧ୍ୟ ନିୟମିତ କାର୍ଯ୍ୟାଳୟକୁ ଆସି କାର୍ଯ୍ୟ କରୁଥିଲେ। ଗତ ଶୁକ୍ରବାର ଦିନ କାର୍ଯ୍ୟାଳୟରେ ବର୍ଷାଙ୍କର ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ସେ ଡାକ୍ତରଖାନା ଯିବା ପାଇଁ ନିବେଦନ କରିଥିଲେ। କିନ୍ତୁ ସିଡିପିଓ ସ୍ନେହଲତା ସାହୁ ତାଙ୍କୁ ଏଥିପାଇଁ ଅନୁମତି ଦେଇ ନ ଥିଲେ, ଓଲଟା ସେ ଯନ୍ତ୍ରଣାରେ ଛଟପଟ ହେଉଥିବା ବର୍ଷାଙ୍କ ଦୁର୍ବ୍ୟବହାର କରିଥିଲେ। କିଛି ସମୟ ପରେ ବର୍ଷା ଚେତା ଶୂନ୍ୟ ହୋଇପଡିଥିଲେ। ଏଭଳି ପରିସ୍ଥିତିରେ ୨ ଘଣ୍ଟା ବିତିଯାଇଥିଲା। ଏ ବିଷୟରେ ସମ୍ପର୍କୀୟମାନେ ଖବର ପାଇ ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ାର ଏକ ଘରୋଇ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଗର୍ଭରେ ଥିବା ନବଜାତକର ମୃତ୍ୟୁ ଘଟିଥିବା ଡାକ୍ତର ସୂଚନା ଦେଇଥିଲେ।
କେନ୍ଦ୍ରାପଡାରେ ଅନୁଷ୍ଠିତ ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣିରେ ପୀଡିତାଙ୍କ ପରିବାର ଲୋକେ ଜିଲାପାଳଙ୍କୁ ଲିଖିତ ଅଭିଯୋଗ କରିବା ସହ ନ୍ୟାୟ ଭିକ୍ଷା କରି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିବେଦନ କରିଥିଲେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଘଟଣାର ତଦନ୍ତ କରି ଶୀଘ୍ର ରିପୋର୍ଟ ଦେବାକୁ ଗତକାଲି ନିର୍ଦ୍ଦେଶ ଦେବା ପରେ ୩ ଜଣିଆ ଟିମ ଆଜିଠାରୁ ତଦନ୍ତ ଆରମ୍ଭ କରିଛନ୍ତି।
Comments are closed.