ରାୟଗଡ଼ା/ବିଷମକଟକ/କୁମ୍ଭାରଧାମୁଣି: ଅଙ୍ଗନବାଡ଼ି କର୍ମୀ ଚାକିରି କରାଇଦେବା ପାଇଁ ଜଣେ ଡଙ୍ଗରିଆ କନ୍ଧଙ୍କଠାରୁ ଲାଞ୍ଚ ନେବାବେଳେ ଦୁର୍ନୀତି ନିବାରଣ ବିଭାଗ ହାତରେ ଧରାପଡିଛନ୍ତି ରାୟଗଡ଼ା ଜିଲା ବିଷମକଟକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ (ସିଡ଼ିପିଓ) ସୁଶିଲା ଶବର ଓ ବରିଷ୍ଠ କିରାଣୀ ରାମଚନ୍ଦ୍ର ପାତ୍ର। ଆଜି ଅପରାହ୍ନରେ ୮୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସର ସ୍ବତନ୍ତ୍ର ଦଳ ଉଭୟଙ୍କୁ କୁମ୍ଭାରଧାମୁଣି-ଥେରୁବାଲି ରାସ୍ତାରୁ ଧରିଛନ୍ତି।
ମିଳିଥିବା ସୂଚନା ମୁତାବକ, ବିଷମକଟକ ବ୍ଲକ ଅନ୍ତର୍ଗତ କୁର୍ଲୀ ପଞ୍ଚାୟତର ପୁଟେଶି ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଲାଲୁ ସିକ୍କାଙ୍କ ସ୍ତ୍ରୀଙ୍କୁ ଅଙ୍ଗନବାଡ଼ି ଚାକିରି କରେଇ ଦେବାକୁ ଏକ ଲକ୍ଷ ୬୦ ହଜାର ଟଙ୍କା ଦାବି କରିଥିଲେ ସିଡିପିଓ। ଏତେ ଟଙ୍କା ଦେବାରେ ଅକ୍ଷମତା ପ୍ରକାଶ କରିବା ପରେ ୧ଲକ୍ଷ ୪୦ହଜାର ଟଙ୍କା ଦେବାକୁ ଚୂଡାନ୍ତ ହୋଇଥିଲା। ଡଙ୍ଗରିଆ କନ୍ଧ ଲାଲୁ ସିକ୍କା ଅଗ୍ରୀମ କୋଡିଏ ହଜାର ଟଙ୍କା ଫୋନ ପେ ମାଧ୍ୟମରେ ଗତ ୨୦ ତାରିଖରେ ସିଡ଼ିପିଓଙ୍କ ପାଇଁ ତାଙ୍କର କିରାଣୀ ରାମଚନ୍ଦ୍ର ପାତ୍ରଙ୍କୁ ଦେଇଥିଲେ। ଆଜି ନିଯୁକ୍ତିପତ୍ର ଦେବା ପାଇଁ ଆଉ ୮୦ ହଜାର ଟଙ୍କା ସିଡିପିଓଙ୍କୁ ପ୍ରଦାନ କରିଥିଲେ। ଏହି ସମୟରେ ରାୟଗଡ଼ା ଭିଜିଲାନ୍ସ ଦଳ କୁମ୍ଭାରଧାମୁଣି- ଥେରୁବାଲି ରାସ୍ତାରେ ଅପେକ୍ଷା କରିଥିଲେ। ବିଷମକଟକରୁ ନିଜ ଘର ରାୟଗଡ଼ାକୁ ଯିବା ସମୟରେ ଭିଜିଲାନ୍ସ ଦଳ ସିଡ଼ିପିଓ ସୁଶୀଳା ଶବର ଓ ବରିଷ୍ଠ କିରାଣୀ ରାମଚନ୍ଦ୍ରଙ୍କୁ ଧରିଥିଲେ। ଚଢଉରେ ରାୟଗଡ଼ା ଭିଜିଲାନ୍ସ ଇନ୍ସପେକ୍ଟର ତରୁଲତା ବେହେରା, ସଞ୍ଜୟ ପ୍ରଧାନ, ଏଏସଆଇ ଲୋକନାଥ ଦୋରା ଅଂଶଗ୍ରହଣ କରିଥିଲେ। ଉଭୟଙ୍କୁ ରାୟଗଡ଼ା ଭିଜିଲାନ୍ସ କାର୍ଯ୍ୟାଳୟକୁ ଆଣି ପଚରାଉଚରା ଚାଲିଛି। ଏବେ ଭିଜିଲାନ୍ସର ୩ଟି ଦଳ ଉଭୟଙ୍କ ଘର ଓ କାର୍ଯ୍ୟାଳୟରେ ଚଢ଼ଉ ଜାରି ରଖିଛନ୍ତି। ଆସନ୍ତାକାଲି ସବିଶେଷ ତଥ୍ୟ ମିଳିବ ବୋଲି ଭିଜିଲାନ୍ସ ସୂତ୍ରରୁ ଜଣାପଡିଛି।
ସୂଚନାଯୋଗ୍ୟ ଯେ, କିରାଣୀ ରାମଚନ୍ଦ୍ର ରାୟଗଡ଼ା ତହସିଲରେ କାର୍ଯ୍ୟ କରୁଥିବା ବେଳେ ନକଲି କାଗଜପତ୍ରରେ ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଭିଜିଲାନ୍ସ ଦ୍ବାରା ଗତ ୨୦୧୪ ମସିହା ଅଗଷ୍ଟ ୧୩ ତାରିଖରେ ଗିରଫ ହେଇଥିଲେ। ସେହି ମାମଲା ଏବେ ଜୟପୁର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତରେ ବିଚାରାଧୀନ ଅଛି।



