ଓଡିଆ ଚିକିତ୍ସକଙ୍କୁ ‘ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ’
ପିପିଲି : ନୂଆଦିଲ୍ଲୀ ସ୍ଥିତ ଭାରତୀୟ ଭେଷଜ ଅନୁସନ୍ଧାନ ଓ ଗବେଷଣା ପରିଷଦ ପକ୍ଷରୁ ଓଡିଶାର ଖ୍ୟାତନାମା ଆୟୁର୍ବେଦିକ ଡାକ୍ତର ତଥା ବ୍ରହ୍ମପୁରର ଅବସରପ୍ରାପ୍ତ ଜିଲା ମୁଖ୍ୟ ଆୟୁର୍ବେଦ ଚିକିତ୍ସା ଅଧିକାରୀ ଡାକ୍ତର ସ୍ୱେପ୍ନେଶ୍ୱର ପଣ୍ଡାଙ୍କୁ ତାଙ୍କର ଜୀବନ ବ୍ୟାପୀ ସାଧନା ଓ ସଫଳ ଚିକିତ୍ସକ ଭାବେ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ମିଳିଛି ।
ଏକ ସ୍ୱତନ୍ତ୍ର ଉତ୍ସବରେ କେନ୍ଦ୍ର ସ୍ୱାସ୍ଥ୍ୟ, ପରିବେଶ ଓ ଆୟୁଷ ବିଭାଗର ମନ୍ତ୍ରୀ ଗତ ୨୮ ତାରିଖରେ ନୂଆଦିଲ୍ଲୀ ଠାରେ ଡାକ୍ତର ପଣ୍ଡାଙ୍କୁ ଏହି ପୁରସ୍କାର ସହ ଦୁଇଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଛନ୍ତି । ଦୀର୍ଘ ୪୫ବର୍ଷ ଧରି ସେ ସଫଳତାର ସହ ଆୟୁର୍ବେଦିକ ଚିକିତ୍ସା କରିବା ସହ ଓଡିଆ ଭାଷାରେ ପ୍ରଥମ ଥର ପାଇଁ କାୟ ଚିକିତ୍ସା ବିଜ୍ଞାନ ପାଠ୍ୟ ପୁସ୍ତକ ସହ ୧୪ଖଣ୍ଡ ଉପାଦେୟ ପୁସ୍ତକ ରଚନା କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ଅଧିନସ୍ଥ ନୂଆଦିଲ୍ଲୀ ଆୟୁର୍ବେଦ ପରିଷଦ ଆଇନ ପ୍ରଣୟନ କମିଟିର ସେ ପ୍ରଥମ ଓଡିଆ ସଦସ୍ୟ ହୋଇଥିବା ବେଳେ ନୂଆଦିଲ୍ଲୀର ଗ୍ଲୋବାଲ ସୋସାଇଟି ସ୍ୱାସ୍ଥ୍ୟ ଓ ଶିକ୍ଷା ସମୃଦ୍ଧି ପକ୍ଷରୁ ଭାରତ ବର୍ଷରେ ଶିକ୍ଷା ଓ ସ୍ୱାସ୍ଥ୍ୟର ଅଭିବୃଦ୍ଧି ପାଇଁ ବ୍ୟକ୍ତିଗତ ଅବଦାନ ପାଇଁ ତାଙ୍କୁ ଗତ ୨୦୧୭ ମସିହା ପେବୃଆରୀ ମାସରେ “ଚିକିତ୍ସକ ରତ୍ନ’ ଉପାଧି ପ୍ରଦାନ କରାଯାଇଥିଲା । ଡାକ୍ତର ପଣ୍ଡାଙ୍କ ଘର କଟକ ଜିଲା କଣ୍ଟାପଡା ବ୍ଲକ ସାଇଲୋ ଗୋବିନ୍ଦପୁର ଗ୍ରାମରେ ।