www.samajalive.in
Thursday, December 11, 2025
15.1 C
Bhubaneswar

ସିବିଆଇ ନିର୍ଦ୍ଦେଶକ ପଦରୁ ହଟିଲେ ଆଲୋକ ବର୍ମା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ, ପ୍ରଧାନ ବିଚାରପତି ଓ ବିରୋଧୀ ଦଳ ନେତାଙ୍କୁ ନେଇ ଗଠିତ ତିନିଜଣିଆ ମନୋନୟନ କମିଟିର ନିଷ୍ପତ୍ତି କ୍ରମେ ବିବାଦୀୟ ସିବିଆଇ ନିର୍ଦେଶକ ଆଲୋକ ବର୍ମାଙ୍କୁ ଗୁରୁବାର ସନ୍ଧ୍ୟାରେ ତାଙ୍କ ପଦରୁ ହଟାଇ ଦିଆଯାଇଛି। ତିନିଜଣିଆ ମନୋନୟନ କମିଟିର ୨-୧ ମତରେ ଶ୍ରୀ ବର୍ମାଙ୍କୁ ସିବିଆଇ ନିର୍ଦେଶକ ପଦରୁ ହଟାଇବା ପରେ ସରକାର ତାଙ୍କୁ ଅଗ୍ନିଶମ ବିଭାଗର ମହାନିର୍ଦେଶକ ଭାବେ ଅବସ୍ଥାପିତ କରିବାକୁ ନିର୍ଦେଶ ଜାରି କରିଛନ୍ତି। କେନ୍ଦ୍ର ସରକାର ତାଙ୍କୁ ଛୁଟିରେ ପଠାଇବାକୁ ଚାଲେଞ୍ଚ କରି ସୁପ୍ରିମକୋର୍ଟଙ୍କ ଦ୍ବାରା ଅବସ୍ଥାପିତ ହେବାର ଦିନକ ପରେ ଶ୍ରୀ ବର୍ମା ପୁଣିଥରେ ଏହି ପଦରୁ ହଟିଛନ୍ତି। ଗତକାଲି ଆଲୋକ ବର୍ମାଙ୍କ ପ୍ରସଙ୍ଗରେ ଏହି ତିନିଜଣିଆ କମିଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ପ୍ରତିନିଧି ଭାବେ ସୁପ୍ରିମକୋର୍ଟର ଦ୍ବିତୀୟ ବରିଷ୍ଠ ବିଚାରପତି ଏ.କେ. ସିକ୍ରି ଏବଂ ଲୋକସଭା ବିରୋଧୀ ଦଳ ନେତା ମଲ୍ଲିକାର୍ଜ୍ଜୁନ ଖାର୍ଗେ ବୈଠକ କରିଥିଲେ ମଧ୍ୟ କୌଣସି ନିଷ୍ପତ୍ତିରେ ପହଞ୍ଚିପାରି ନଥିଲେ। ପୁନର୍ବାର ଆଜି (ଗୁରୁବାର) ଏହି ତିନିଜଣ ଦୀର୍ଘ ଅଢେଇ ଘଣ୍ଟାକାଳ ଆଲୋଚନା କରି ଶେଷରେ ଶ୍ରୀ ବର୍ମାଙ୍କୁ ସିବିଆଇ ନିର୍ଦେଶକ ପଦରୁ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ସୁପ୍ରିମକୋର୍ଟଙ୍କ ଦ୍ବାରା ଅବସ୍ଥାପିତ ହେବାର ୨୪ ଘଣ୍ଟା ନ ପୂରୁଣୁ ତାଙ୍କୁ ଏହି ପଦରୁ ହଟାଇ ଦିଆଯାଇଛି।
ତେବେ ଶ୍ରୀ ବର୍ମାଙ୍କୁ ହଟାଇବା ପରେ ଏବେ ଏହି ପଦରେ କାହାକୁ ନିଯୁକ୍ତି ଦିଆଯିବ ସେନେଇ କୌଣସି ନିଷ୍ପତ୍ତି ଜଣାପଡିନି। ପୁଣିଥରେ ନାଗେଶ୍ବରଙ୍କୁ ଅନ୍ତରୀଣ ଦାୟିତ୍ବ ଦିଆଯାଇ ଜାନୁୟାରୀ ୩୧ ପରେ ଏହି ପଦରେ କାହାକୁ ନିଯୁକ୍ତି ଦିଆଯିବ କି କ’ଣ ସେ ସଂପର୍କରେ କୌଣସି ସୂଚନା ମିଳିନାହିଁ।
ସୂଚନାଯୋଗ୍ୟ, ଅକ୍ଟୋବର ୨୦୧୮ରେ ସିବିଆଇ ନିର୍ଦେଶକ ଆଲୋକ ବର୍ମା ଓ ଦ୍ବିତୀୟ ମୁଖ୍ୟ ତଥା ସ୍ବତନ୍ତ୍ର ସିବିଆଇ ନିର୍ଦେଶକ ରାକେଶ ଆସ୍ଥାନାଙ୍କ ମଧ୍ୟରେ ବିବାଦ ତୀବ୍ର ହେବାରୁ ଉଭୟଙ୍କୁ କେନ୍ଦ୍ର ସରକାର ଛୁଟିରେ ପଠାଇବା ସହ ସିବିଆଇ ଭଳି ଗୁରୁତ୍ବପୂର୍ଣ୍ଣ ତଦନ୍ତକାରୀ ସଂସ୍ଥାର ଅନ୍ତରୀଣ ମୁଖିଆ ରୂପେ ଓଡିଶା କ୍ୟାଡ଼ର ଆଇପିଏସ ଅଧିକାରୀ ନାଗେଶ୍ବର ରାଓଙ୍କୁ ନିଯୁକ୍ତି ଦେଇଥିଲେ। ଶ୍ରୀ ବର୍ମା କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ୭୭ ଦିନ ପରେ ମଙ୍ଗଳବାର ସୁପ୍ରିମକୋର୍ଟ ଆଲୋକ ବର୍ମାଙ୍କୁ ସିବିଆଇ ନିର୍ଦେଶକ ଭାବେ କାର୍ଯ୍ୟ କରିବା ଲାଗି ନିର୍ଦେଶ ଦେବା ସହ ତାଙ୍କୁ କୌଣସି ନୀତିଗତ ନିଷ୍ପତ୍ତି ନଦେବା ଲାଗି କଟକଣା ଜାରି କରିଥିଲେ। ବୁଧବାର ଆଲୋକ ବର୍ମା କାର୍ଯ୍ୟରେ ଯୋଗଦେଇ ପ୍ରଥମେ ଶ୍ରୀ ରାଓ କରିଥିବା କେତେକ ଅଫିସରଙ୍କ ବଦଳି ଆଦେଶକୁ ରଦ୍ଦ କରିବା ସହିତ ଗୁରୁବାର ପୂର୍ବାହ୍ଣରେ ୫ ଜଣ ଅଧିକାରୀଙ୍କୁ ବଦଳି କରିବା ନିର୍ଦେଶ ଜାରି କରିଥିଲେ।
ଗୁରୁବାର ତିନି ଜଣିଆ କମିଟିର ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଜଷ୍ଟିସ ସିକ୍ରି ଉଭୟ ଶ୍ରୀ ବର୍ମାଙ୍କୁ ବହିଷ୍କାର କରିବାକୁ ମତ ରଖିଥିବାବେଳେ ବିରୋଧୀ ଦଳ ନେତା ଦୃଢ ବିରୋଧ କରିଥିଲେ। ତେବେ ୨-୧ ମତରେ ଶ୍ରୀ ବର୍ମାଙ୍କୁ ବରଖାସ୍ତ କରିବା ନିଷ୍ପତ୍ତି କାଏମ ରହିଥିବା ଜଣାପଡିଛି। କମିଟିକୁ ନ ଜଣାଇ ପୂର୍ବରୁ ପ୍ରଧାନମନ୍ତ୍ରୀ କାହିଁକି ଶ୍ରୀ ବର୍ମା ଓ ଶ୍ରୀ ଆସ୍ଥାନାଙ୍କୁ ଛୁଟିରେ ପଠାଇଥିଲେ ବୋଲି ଶ୍ରୀ ଖାର୍ଗେ ଏହି ବୈଠକରେ ବାରମ୍ବାର ପ୍ରଶ୍ନ ଉଠାଇଥିଲେ। ପ୍ରକାଶଥାଉକି, ଶ୍ରୀ ବର୍ମା ଦୁଇବର୍ଷ ଲାଗି ସିବିଆଇ ନିର୍ଦେଶକ ପଦରେ ଅବସ୍ଥାପିତ ହୋଇଥିଲେ। ଚଳିତମାସ ୩୧ ତାରିଖ ପର୍ଯ୍ୟନ୍ତ ତାଙ୍କୁ କାର୍ଯ୍ୟକାଳ ରହିଥିଲା। ପ୍ରଧାନମନ୍ତ୍ରୀ ମୋଦୀ, ବିରୋଧୀ ଦଳ ନେତା ଖାର୍ଗେ ଏବଂ ତତ୍କାଳୀନ ପ୍ରଧାନ ବିଚାରପତି ଜଗଦୀଶ ସିଂହ ଖେହରଙ୍କ ତିନିଜଣିଆ କମିଟି ଶ୍ରୀ ବର୍ମାଙ୍କୁ ସିବିଆଇ ନିର୍ଦେଶକ ରୂପେ ମନୋନୟନ କରି ଅବସ୍ଥାପିତ କରିଥିଲା।
ଅନ୍ୟପକ୍ଷରେ ଆସ୍ଥାନାଙ୍କ ସହ ଶ୍ରୀ ବର୍ମାଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହେବା ଏବଂ ଉଭୟ ଉଭୟଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଆଣିବାକୁ ନେଇ ପୁରା ସିବିଆଇ ବିବାଦ ଘେରକୁ ଚାଲିଯାଇଥିଲା। ପରସ୍ପର ମଧ୍ୟରେ ତିକ୍ତତା ଏତେ ବଢିଥିଲା ଯେ ଆସ୍ଥାନାଙ୍କ ବିରୋଧରେ ଲାଞ୍ଚ ଅଭିଯୋଗକୁ ନେଇ ଶ୍ରୀ ବର୍ମା ଏତଲା ରୁଜୁ କରାଇଥିଲେ। ଏହାକୁ ଚାଲେଞ୍ଚ କରିବା ସହ ଗିରଫଦାରୀ ଏଡ଼ାଇବାକୁ ଶ୍ରୀ ଆସ୍ଥାନା ଦିଲ୍ଲୀ ହାଇକୋର୍ଟର ଦ୍ବାରସ୍ଥ ମଧ୍ୟ ହୋଇଥିଲେ। ସିବିଆଇରେ ପ୍ରଥମ ଓ ଦ୍ବିତୀୟ ଅଧିକାରୀଙ୍କ ମଧ୍ୟରେ ଏଭଳି ଲଢେଇକୁ ଦେଖି କେନ୍ଦ୍ର ସରକାର ଉଭୟଙ୍କୁ ଛୁଟିରେ ପଠାଇବା ସହ ବିବାଦର ତଦନ୍ତ ଲାଗି କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସିଭିସି)କୁ ନିର୍ଦେଶ ଦେଇଥିଲେ। ତେବେ ସୁପ୍ରିମକୋର୍ଟକୁ ଏହି ମାମଲା ଯିବା ପରେ ସୁପ୍ରିମକୋର୍ଟଙ୍କ ଜଣେ ବିଚାରପତିଙ୍କ ତତ୍ତ୍ବାବଧାନରେ ସିଭିସି ତଦନ୍ତ କରିବାକୁ କୁହାଯାଇଥିଲା। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ଚାଲିଥିବାରୁ ଶ୍ରୀ ଗୋଗୋଇ ମନୋନୟନ କମିଟି ଲାଗି ନିଜ ତରଫରୁ ଜଷ୍ଟିସ ସିକ୍ରିଙ୍କ ନାମ ଅନ୍ୟତମ ସଦସ୍ୟ ଲାଗି ପଠାଇଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories