ବ୍ୟାଙ୍କ ଜମାଖାତାରୁ କେହି ଟଙ୍କା ଉଠାଇ ନେଇଥିବା ଥାନାରେ ଅଭିଯୋଗ

ଆଠଗଡ :  ଆଠଗଡ ବ୍ଲକ ଅନ୍ତର୍ଗତ ରାଧାଗୋବିନ୍ଦପୁର ପଞ୍ଚାୟତ ଅଧିନ ଗୋବିନ୍ଦପୁର ଗ୍ରାମର ବିଜୟ କୁମାର ବେଉରାଙ୍କ ଆଠଗଡ ଷ୍ଟେଟ ବ୍ୟାଙ୍କ ଜମାଖାତାରୁ ତାଙ୍କ ଅଜାଣତରେ କେହି ଟଙ୍କା ଉଠାଇ ନେଇଥିବା ଅଭିଯୋଗ ହୋଇଛି । ସ୍ଵାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ବିଜୟ ଦରମା ଟଙ୍କା ବ୍ୟାଙ୍କ ଖାତାକୁ ଆସିଛି କି ନାହିଁ ଜାଣିବା ପାଇଁ ସୋମବାର ବ୍ୟାଙ୍କକୁ ଆସିଥିଲେ । ତାଙ୍କ ପାସବୁକ ଅପଡେଟ କରିବା ସମୟରେ ତାଙ୍କର ଆକାଉଣ୍ଟରୁ ୧୦ ହଜାର ଟଙ୍କା ଉଠାଣ ହୋଇଥିବା ନେଇ ଜାଣିବାକୁ ପାଇଥିଲେ । ଏ ବିଷୟରେ ବ୍ୟାଙ୍କ ଅଧିକାରୀଙ୍କୁ ଯୋଗାଯୋଗ କରିବା ପରେ, ସେମାନେ କମ୍ପ୍ୟୁଟର ଯାଞ୍ଚ କରି ଜୁଲାଇ ମାସ ୩୦ ତାରିଖ ଅପରାହ୍ନ ୪.୧୫ ଓ ସନ୍ଧ୍ୟା ୭.୧୫ରେ ଆଠଗଡ ସହରରର ସପ୍ନେଶ୍ୱର ମନ୍ଦିର ନିକଟ ଏଟିଏମରୁ ଦୁଇଥରରେ ୫ ହଜାର ଟଙ୍କା ଲେଖାଁଏ ମୋଟ ୧୦ ହଜାର ଟଙ୍କା ଉଠାଯାଇଥିବା ସୂଚନା ଦେଇଥିଲେ । ଏଟିଏମ କାର୍ଡ ତାଙ୍କ ପାଖରେ ଥିବା ଓ ସେ କାହାକୁ କାର୍ଡ ଦେଇ ନଥିବାବେଳେ କେମିତି କିଏ ଟଙ୍କା ଉଠାଇଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ପରାମର୍ଶ କ୍ରମେ ବିଜୟ ଏ ସମ୍ପର୍କରେ ଆଠଗଡ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଜାରି ରଖିଥିବା ଜଣା ପଡିଛି। ସେଦିନ ସେହି ସମୟରେ ଉକ୍ତ ଏଟିଏମରୁ କିଏ ଟଙ୍କା ଉଠାଇଛି ସିସିଟିଭି ଯାଞ୍ଚ ପରେ ସ୍ପଷ୍ଟ ହେବ ଏବଂ ସେହି ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭାରପ୍ରାପ୍ତ ଆଇଆଇସି ବିଶ୍ଵଜିତ ଜେନା ପ୍ରକାଶ କରିଛନ୍ତି।

Comments are closed.