ସମାଜ ଡିଜିଟାଲ ଡେସ୍କ: ବାଂଲାଦେଶରେ ଶେଖ୍ ହସିନାଙ୍କ ସରକାରର ପତନ ପରଠାରୁ ହିଂସା ଜାରି ରହିଛି। ଦେଶର ନୂତନ ମୁଖ୍ୟ ଭାବେ ନୋବେଲ ବିଜେତା ମହମ୍ମଦ ୟୁନୁସ ଅନ୍ତରୀଣ ସରକାରର ନେତୃତ୍ଵ ନେବା ପରେ ବାତାବରଣ ଅଶାନ୍ତ ରହିଛି। ଏହି ସମୟରେ ମଧ୍ୟରେ ହିନ୍ଦୁମାନଙ୍କ ବିରୋଧରେ ଅତ୍ୟଚାର ବୃଦ୍ଧି ପାଇଥିବାବେଳେ ଦେଶରେ ଗଣହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛି ଶେଖ୍ ହସିନାଙ୍କ ଦଳ ଆଓ୍ବାମୀ ଲିଗ୍। ଏ ସମ୍ପର୍କରେ ଦଳର ନେତା ଅନଓ୍ବାରୁଜ୍ଜମାନ ଚୌଧୁରୀ ନେଦରଲାଣ୍ଡ୍ସସ୍ଥିତ ଅନ୍ତର୍ଜାତୀୟ ଅପରାଧୀ ଅଦାଲତ(ଆସିସି)ରେ ଏକ ମାମଲା ଦାୟର କରିଛନ୍ତି। ବର୍ତ୍ତମାନ ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସ ଏବଂ ତାଙ୍କ କ୍ୟାବିନେଟର ୬୧ ସଦସ୍ୟଙ୍କ ବିରୋଧରେ ରୋମ୍ ଷ୍ଟାଚ୍ୟୁଟ୍ର ଧାରା ୧୫ ଅଧୀନରେ ଅଦାଲତରେ ମାମଲା ରୁଜୁ ହୋଇଛି। ଏମାନଙ୍କ ବ୍ୟତୀତ ଆଣ୍ଟି ଡିସ୍କ୍ରିମିନେସନ ଆଲାଏନ୍ସର ଛାତ୍ରନେତାମାନଙ୍କୁ ମଧ୍ୟରେ ଏଥିରେ ଅଭିଯୁକ୍ତ ଦର୍ଶାଯାଇଛି।
ଚୌଧୁରୀ କହିଛନ୍ତି, ଶେଖ ହସିନାଙ୍କ ପତନ ପରେ ଆଓ୍ବାମୀ ଲିଗ୍ର କର୍ମୀମାନେ ଗଣହତ୍ୟାର ଶିକାର ହୋଇଛନ୍ତି। ହସିନା ଅଗଷ୍ଟ ୫ରେ ଇସ୍ତଫା ଦେଇ ଦେଶ ଛାଡ଼ି ପଳାଇଥିଲେ। ଏହା ପରେ ଅଗଷ୍ଟ ୫ରୁ ୮ ତାରିଖ ମଧ୍ୟରେ ଦେଶରେ ଛାତ୍ର ଆନ୍ଦୋଳନ ନାଁରେ ଆଓ୍ବାମୀ ଲିଗ୍ର କର୍ମୀମାନଙ୍କୁ ଗଣହତ୍ୟା କରାଯାଇଛି। ଏ ସମ୍ପର୍କିତ ସମସ୍ତ ତଥ୍ୟ ଓ ପ୍ରମାଣ କୋର୍ଟରେ ଦାଖଲ କରାଯାଇଥିବା ସେ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି ଜଣାଇଛନ୍ତି।



