www.samajalive.in
Wednesday, December 10, 2025
14.1 C
Bhubaneswar

କନ୍ୟା ଅନନ୍ୟା

ପ୍ରତିଦିନ ଖବରକାଗଜ ଓଲଟାଇଲେ ନାରୀ ନିର୍ଯାତନା, ଦୁଷ୍କର୍ମ ଆଦିର ଖବର ମନକୁ ବିଷାଦଗ୍ରସ୍ତ କରିଦେଉଛି। ସମୟ ଓ ସମାଜ ଉପରେ ସନ୍ଦେହ ସୃଷ୍ଟି ହେଉଛି। ମଣିଷର ତଥାକଥିତ ପ୍ରଗତି ଓ ସଭ୍ୟତାର ଅଗ୍ରଗତିକୁ ନେଇ ମନରେ ପ୍ରଶ୍ନ ଉଠୁଛି। ଏଇ କ’ଣ ସେ ଭୂମି, ଯେଉଁଠି ବେଦର ଉଦ୍‌ଘୋଷଣା ଉଚ୍ଚାରିତ ହୋଇଥିଲା: ‘ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟତେ, ରମନ୍ତେ ତତ୍ର ଦେବତା’; ଯେଉଁଠି ମହର୍ଷି ବାଲ୍ମୀକି ରାମାୟଣରେ ପ୍ରକାଶ କରିଥିଲେ, ‘ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରୀୟସୀ’। କାହିଁକି ଏ ବିକୃତି? କାହିଁକି ମଣିଷର ଏ ଆତ୍ମଘାତୀ ପ୍ରକୃତି?? ଉତ୍ତର ଆଧୁନିକ କାଳରେ କେଉଁ ଆଡ଼କୁ ଆମର ଗତି??
ମା’ ଦୁର୍ଗାଙ୍କର ଆବାହନ ପାଇଁ ଆଡ଼ମ୍ବର, ଆୟୋଜନ। ମାତୃଶକ୍ତିର ପୂଜନ ପାଇଁ କେତେ କ’ଣ କ୍ରିୟାକର୍ମ। ତେବେ ଏ ଔପଚାରିକତା ମଧ୍ୟରେ ଅସଲ ଔଚିତ୍ୟବୋଧକୁ ଯେମିତି ମଣିଷ ପାସୋରି ଯାଇଛି। ଯହୁଁ ଯହୁଁ ସଭ୍ୟତା ଆଗେଇ ଚାଲିଛି, ନାରୀ ଜାତି ପ୍ରତି ଅସମ୍ମାନ ବଢ଼ିଚାଲିଛି। ଭ୍ରୂଣରୁ ମରଣ ପର୍ଯ୍ୟନ୍ତ ପାଦେ ପାଦେ ବିପଦ। ଏପରି ବିଡ଼ମ୍ବନା ପ୍ରକୃତରେ ଚିନ୍ତାର ବିଷୟ।
ଅନେକ ସମୟରେ ନାରୀ-ପୁରୁଷର ସମାନତାକୁ ନେଇ ଯୁକ୍ତି କରାଯାଏ। ନାରୀକୁ ପୁରୁଷ ସହ ସମାନ ସ୍ଥାନ ଦେବାକୁ କେତେ କ’ଣ ତତ୍ତ୍ୱ, ପଥ ଓ କାର୍ଯ୍ୟକ୍ରମର ଅବତାରଣା କରାଯାଏ। ମୁଁ କିନ୍ତୁ କିଛି ଭିନ୍ନ ଭାବେ। ନାରୀ ତ ଜନ୍ମରୁ ପୁରୁଷଠୁ ଉପରେ। ପୁରୁଷ ତା’ର ଏକ ସୃଷ୍ଟି। ସେ କାହିଁକି ତଳକୁ ଆସି ପୁରୁଷ ସହ ସମାନ ହେବ? ନାରୀ ଯେଉଁ ସ୍ଥାନରେ ଅଛି; ସେହି ସ୍ଥାନରେ ତାକୁ ରଖି ଉପଯୁକ୍ତ ମର୍ଯ୍ୟାଦା ଦେବା ହିଁ ତା’ ପ୍ରତି ଯଥୋଚିତ ସମ୍ମାନ ହେବ। ହୁଏତ ହେଇପାରେ; ପୁରୁଷ ପ୍ରଧାନ ସମାଜ ନାରୀର ଶକ୍ତି ଓ ସାମର୍ଥ୍ୟ ଆଗରେ ନିଜକୁ ତୁଚ୍ଛ ମଣି, ହୀନମନ୍ୟତାକୁ ଘୋଡ଼ାଇବା ପାଇଁ ବିଭିନ୍ନ ଛଳକୌଶଳରେ ନାରୀ ଜାତିକୁ ଅବଦମିତ କରିଆସିଛି। ଏ ପ୍ରକ୍ରିୟାରେ ସାମଗ୍ରିକ ଭାବରେ ସମଗ୍ର ମାନବଜାତି ହିଁ କ୍ଷତି ସହିଛି। କାରଣ ଜନସଂଖ୍ୟାର ପ୍ରାୟ ଅ‌େର୍ଦ୍ଧକ ଶକ୍ତିର ସଠିକ ଉପଯୋଗ ନକରି ମାନବଜାତି ନଜିକୁ ଠକି ଚାଲିଛି ଏବଂ ଏକ ବିରାଟ କ୍ଷତିକୁ ମୁଣ୍ଡାଇ ଚାଲିଛି। ଯେତେଶୀଘ୍ର ମାନବଜାତି ନିଜର ଐତିହାସିକ ତ୍ରୁଟିକୁ ସଂଶୋଧନ କରି ନାରୀ ଶକ୍ତିର ସ୍ୱାଭାବିକ ପ୍ରକାଶ ଓ ବିକାଶ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବ, ସେତେ ଶୀଘ୍ର ବିଶ୍ୱର କଲ୍ୟାଣ ହେବ ଓ ସଭ୍ୟତାର ପୂର୍ଣ୍ଣ ରୂପ ଓ ଗତି ପ୍ରକଟିତ ହେବ।
କନ୍ୟା ହେଉଛି ଈଶ୍ୱରଙ୍କର ସର୍ବଶ୍ରେଷ୍ଠ ସୃଷ୍ଟି; ସୃଷ୍ଟିର ସର୍ବୋତ୍ତମ କଳାକୃତି। କନ୍ୟାମାନେ ଜନ୍ମ ହୁଅନ୍ତି ନାହିଁ, ସେମାନେ ଅବତରିତ ହେଇ ଆସନ୍ତି ପୃଥିବୀର କଲ୍ୟାଣ ପାଇଁ। ସେ ଅପରାଜିତା, ବିନୀତା, ଆଦିଶକ୍ତି ମହାମାୟା, ଦେବୀ ଭୁବନ ମନମୋହିନୀ, ଦୁର୍ଗା ଦଶପ୍ରହରଣଧାରିଣୀ। ସେ ଆସେ ବିଭିନ୍ନ ରୂପରେ; ବିଭିନ୍ନ ଭାବରେ; ତନ୍ମୟୀ, ତନୁଜା, ହିରଣ୍ମୟୀ ଆଭା, ଚନ୍ଦ୍ରକଳା, ମନସ୍ୱିନୀ, ମୃଣାଳିନୀ, ମନ୍ଦାକିନୀ, ତପସ୍ୱିନୀ, ତେଜସ୍ୱିନୀ, ରୁଦ୍ରାଣୀ, ରୁତାମ୍ବରୀ, ଦୀପ୍ତି ଯାଜ୍ଞସେନୀ; ହିମାଳୟଠୁ କୁମାରିକା ପର୍ଯ୍ୟନ୍ତ ପ୍ରବହମାନ ଜୀବନଧାରା। ତା’ର ଆଭା ବିଭା ଦୀପ୍ତି ଓ ଦ୍ୟୁତିକୁ କଳନା କରିବା ଅସମ୍ଭବ। ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି- କୀର୍ତ୍ତିଃ ଶ୍ରୀବାକ୍ ଚ ନାରୀଣାଂ ସ୍ମୃତିର୍ମେଧା ଧୃତିଃ କ୍ଷମା- ମୁଁ ନାରୀମାନଙ୍କ ମଧ୍ୟରେ କୀର୍ତ୍ତି, ଶ୍ରୀ, ବାକ୍, ସ୍ମୃତି, ମେଧା, ଧୃତି ଓ କ୍ଷମା ଅଟେ। ଆମ ସଂସ୍କୃତିରେ ଏକ ବର୍ଷର କନ୍ୟାକୁ ଜୟା, ଦୁଇ ବର୍ଷର କନ୍ୟାକୁ ବିଜୟା ଓ ଆଠ ବର୍ଷର କନ୍ୟାକୁ ଗୌରୀ ରୂପରେ ମାନ୍ୟତା ଦିଆଯାଏ। ତା’ର ସମସ୍ତ ପ୍ରକାଶ କଲ୍ୟାଣକାରୀ।
ମହର୍ଷି କଣାଦ ଭୌତିକ ଗୁଣ ଓ ତରଙ୍ଗ ସମ୍ପର୍କରେ ଚର୍ଚ୍ଚା କଲାବେଳେ ତାଙ୍କୁ ପ୍ରଶ୍ନ କରାଗଲା; କ’ଣ ଭଗବାନ ଅଛନ୍ତି? ସେ କେବଳ ଗୋଟିଏ ଶବ୍ଦ ତିନିଥର ଉଚ୍ଚାରଣ କରି ତା’ର ଉତ୍ତର ଦେଇଥିଲେ, ‘ପିଲବା, ପିଲବା, ପିଲବା’; ଯାହାକୁ ଆଧୁନିକ ବିଜ୍ଞାନ ‘ଆଟମ’ ବା ‘ଅଣୁ’ ବୋଲି ଚିହ୍ନିତ କରିଛି। ପରବର୍ତ୍ତୀ ସମୟରେ ଭଗବାନଙ୍କ ସ୍ୱରୂପ ବର୍ଣ୍ଣନା କରିବାକୁ କୁହାଗଲା; ଓଁ ପୂର୍ଣ୍ଣମଦଃ ପୂର୍ଣ୍ଣମିଦଂ ପୂର୍ଣ୍ଣାତ୍‌ ପୂର୍ଣ୍ଣ ମୁଦଚ୍ୟତେ, ପୂର୍ଣ୍ଣସ୍ୟ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବା ବଶିଷ୍ୟତେ। ଅର୍ଥାତ୍ ପୂର୍ଣ୍ଣରୁ ପୂର୍ଣ୍ଣ ନେଇଗଲେ ଯାହା ପୂର୍ଣ୍ଣ ରହେ; ସେ ହିଁ ଭଗବାନ। ଚର୍ମଚକ୍ଷୁରେ ନାରୀ ମାଧ୍ୟମରେ ଭଗବାନଙ୍କୁ ପ୍ରତ୍ୟକ୍ଷ କରିହେବ। କାରଣ ନାରୀଠୁ ଅନ୍ୟ ଜଣେ ନାରୀ ବାହାରିଲା ପରେ ସେ ସେମିତି ପୂର୍ଣ୍ଣତା ସହ ରହିଥାଏ। ନାରୀର କରୁଣା ଅନ୍ତର୍ଜଗତର ସର୍ବୋତ୍ତମ ଶିଖର, ଯେଉଁଠି ସୃଷ୍ଟିର ସମସ୍ତ ସଦାଚାର ଓ ବିଶେଷତା ପ୍ରତିଷ୍ଠିତ।
ନାରୀର ଶକ୍ତି ପ୍ରକୃତରେ ଅକଳ୍ପନୀୟ। ସେ ସୂର୍ଯ୍ୟଙ୍କ ଗତିକୁ ରୋକିପାରେ, ସେ ଯମଙ୍କୁ ପରାସ୍ତ କରିପାରେ। ସେ ବ୍ରହ୍ମାବିଷ୍ଣୁମହେଶଙ୍କୁ କୋଳରେ ଶିଶୁ ଭାବରେ ଖେଳାଇପାରେ। ଅଣୁକୁ ବିରାଟ ଓ ବିରାଟକୁ ଅଣୁରେ ବଦଳାଇବାର ଶକ୍ତି ଅଛି କେବଳ ନାରୀର, ଯାହାର ଭୂରି ଭୂରି ପ୍ରମାଣ ରହିଛି ଆମର ଐତିହ୍ୟ, ପରମ୍ପରାରେ, ସାମୂହିକ ସ୍ମୃତିରେ, ଶାସ୍ତ୍ର ପୁରାଣରେ। ସେ ନିଜ ଦେହର ମଳିରୁ ଭଗବାନ ଗଣେଶଙ୍କୁ ସୃଷ୍ଟି କରିପାରେ। ଅନେକ ରାମ ହୁଏତ ସମ୍ଭବ ହୋଇପାରନ୍ତି; କିନ୍ତୁ ସୀତା ଏକ; ତାଙ୍କର ବିକଳ୍ପ ନାହିଁ।
ଯୁଗର ଆବଶ୍ୟକତା ମୁତାବକ ସେ ସନ୍ତାନକୁ ପୃଥିବୀକୁ ଆଣେ ଏବଂ ସେମାନଙ୍କ ଜରିଆରେ ନବନିର୍ମାଣ କରାଏ। କେତେବେଳେ ଦେବକୀ ହୋଇ ଭଗବାନଙ୍କୁ ଆଣେ ତ କେବେ ଶାନ୍ତା ହୋଇ ନିଜର ତ୍ୟାଗ ବଳରେ ଭଗବାନ ରାମଙ୍କ ଧରାବତରଣକୁ ସୁଗମ କରାଏ। ଗଙ୍ଗା ହୋଇ ଭୀଷ୍ମଙ୍କୁ, ମେନକା ହୋଇ ଶକୁନ୍ତଳାଙ୍କୁ, ଅଞ୍ଜନା ହୋଇ ହନୁମାନଙ୍କୁ ପୃଥିବୀକୁ ଆଣେ। ଯେତେ ଯୁଗପୁରୁଷ ମହାପୁରୁଷ ଧରାରେ ଅବତୀର୍ଣ୍ଣ ହେଇଛନ୍ତି; ସେମାନେ କେଉଁ ଜଣେ ମା’କୁ ମାଧ୍ୟମ କରି ଆସିଛନ୍ତି। ମା’ର ବିକଳ୍ପ ନାହିଁ କି ତୁଳନା ନାହିଁ। ଭଗବାନ ବିଷ୍ଣୁ ଯେଉଁ କ୍ଷୀର ସାଗରରେ ଶୟନ କରୁଛନ୍ତି; ତାହା ଜଣେ ମା’ର ପଣତ କାନିଠୁ ନିହାତି ଛୋଟ। ସେଥିପାଇଁ କୁହାଯାଏ, ଭଗବାନ ସବୁଠି ସବୁ ସମୟରେ ରହିପାରିବେନି ବୋଲି ମା’କୁ ସୃଷ୍ଟି କରିଛନ୍ତି। ମହାପୁରୁଷ ମହମ୍ମଦ କହିଛନ୍ତି, ମା’ର ପାଦ ତଳେ ହିଁ ସ୍ୱର୍ଗ। ମନୁ କହିଛନ୍ତି ଜଣେ ଆଚାର୍ଯ୍ୟ ଦଶଜଣ ଉପାଧ୍ୟାୟଙ୍କଠୁ ଅଧିକ, ପିତା ୧୦୦ ଆଚାର୍ଯ୍ୟଙ୍କ ମହିମା ସହ ସମାନ, କିନ୍ତୁ ମାତା ସହସ୍ରାଧିକ ପିତାଙ୍କ ସହ ସମକକ୍ଷ। ନାରୀ ହିଁ ସମାଜର ନାଡ଼ି। ଯେଉଁ ଗୃହରେ ନାରୀ ବା ମା’ର ସମ୍ମାନ ନାହିଁ, ସେ ଗୃହରେ ଲକ୍ଷ୍ମୀ ବାସ କରନ୍ତି ନାହିଁ। ସେହିପରି ଯେଉଁ ଦେଶରେ ନାରୀ ନିର୍ଯାତିତା; ସେ ଦେଶର ଅବସ୍ଥା କ’ଣ ହେବ ବା ହେଉଥିବ ସହଜରେ ଅନୁମେୟ। ସେହି ମା’ ହେଉଛି ଜଣେ ନାରୀ; ପ୍ରତ୍ୟେକ ନାରୀ ଭିତରେ ନିଶ୍ଚୟ ମା’ ଟିଏ ଥାଏ; ଯେ ଜଗତ କଲ୍ୟାଣ ପାଇଁ ସଦା କ୍ରିୟାଶୀଳ ଥାଏ କରୁଣା ମୁଦ୍ରାରେ।
ନାରୀର ହୃଦୟ କୋମଳତାଠୁ ବି କୋମଳ। ତା’ର ଏ କୋମଳତା ତା’ର ଦୁର୍ବଳତା ନୁହେଁ। ସେ ଦୁଷ୍ଟ ନିବାରଣ ପାଇଁ ଭୀଷଣ ରୂପ ଧାରଣ କରିପାରେ। ସେ ଶସ୍ତ୍ର ଧାରଣ କରି ମହିଷାସୁର, ଭସ୍ମାସୁର, ନରକାସୁର, ଶୁମ୍ଭ-ନିଶୁମ୍ଭ, ଚଣ୍ଡମୁଣ୍ଡକୁ ବଧ କରିପାରେ। ବୀର ଶ୍ରୀରାମଙ୍କୁ ଦୀର୍ଘ ରଣରୁ ତ୍ରାହି ଦେଇ ସହସ୍ର ଶିରା ରାବଣକୁ ଅକ୍ଳେଶରେ ବଧ କରିପାରେ। ସଂସାର କଲ୍ୟାଣ ପାଇଁ ପାନ୍ନାଧାଈ ଭଳି ନିଜ ପୁତ୍ରକୁ ମରଣ ମୁହଁକୁ ଫୋପାଡ଼ି ତ୍ୟାଗର ଉଚ୍ଚାଦର୍ଶ ପ୍ରତିଷ୍ଠା କରିପାରେ। ଯେତେସବୁ ଉଚ୍ଚତମ ଗୁଣ ଅଛି; ତାହାସବୁ ପ୍ରକାଶିତ ହେଇଛି ନାରୀ ମାଧ୍ୟମରେ। ନାରୀକୁ ବୁଝି ବୁଝାଇବା ଏତେ ସହଜ ନୁହେଁ, କେବଳ ଅନୁଭବରେ ଅଣା ଯାଇପାରେ। ସେଥିପାଇଁ କୁହାଯାଇଛି ବ୍ରହ୍ମକୁ ହୁଏତ ବର୍ଣ୍ଣନା କରାଯାଇପାରେ; ବ୍ୟାଖ୍ୟା କରାଯାଇପାରେ; ନାରୀତ୍ୱକୁ ନୁହେଁ। ନାରୀତ୍ୱକୁ ସଂଜ୍ଞାୟିତ କରିବା କେବେ ବି ସମ୍ଭବ ନୁହେଁ।
ବଡ଼ ଦୁଃଖର ବିଷୟ; ସେହି ନାରୀ ଆଜି ଲାଞ୍ଛିତା ବିଭିନ୍ନ ଭାବରେ। ଅନ୍ୟ କୋଉଠି କ’ଣ ହେଇପାରେ; ଭାରତ ଭଳି ଦେଶ, ଯାହାକୁ ଆମେ ଜନନୀ ଭାବରେ ପୂଜା କରୁଛୁ, ଯେଉଁ ଦେଶରେ ନାରୀ ଶକ୍ତିର ଉପାସନା ସୃଷ୍ଟିର ପ୍ରାରମ୍ଭରୁ; ସେହି ଦେଶରେ ନାରୀ ନିର୍ଯାତନାର ଚିତ୍ର ବେଳେ ବେଳେ ଅବିଶ୍ୱସନୀୟ ମନେ ହୁଏ। ସତରେ କ’ଣ ଆଜିର ମଣିଷ ନଷ୍ଟ ହେବାକୁ ଯାଉଛି? ‘ନଷ୍ଟସ୍ୟ କାନ୍ୟା ଗତିଃ’।
ଏବେ ମା’ ଦୁର୍ଗାଙ୍କର ଶାରଦୀୟ ମହୋତ୍ସବ। ଏହି ଉତ୍ସବର ଉତ୍ସ ପାଖକୁ ଯାଇ; ମଣିଷ ଭବିଷ୍ୟତର ରାହା ନିର୍ଣ୍ଣୟ କରୁ; ନିଜର ଉତ୍ତରଣ ପାଇଁ ଦୟାମୟୀ ମା’କୁ ପ୍ରାର୍ଥନା କରୁ; ମହୋତ୍ସବର ମହିମାରେ ଆଲୋକିତ ହେଉ ଆମର ଏ ବିଷଦଗ୍ଧ ପୃଥିବୀ। ଏତିକି ପ୍ରାର୍ଥନା।

ଗଣେଶୀ ଲାଲ,

- Advertisement -

ରାଜ୍ୟପାଳ,ଓଡ଼ିଶା
govodisha@nic.in

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories