କନ୍ଧମାଳରେ ପୁଣି ଗଂଜେଇ ଜବତ, ତିନି ଗିରଫ
ଫିରିଙ୍ଗିଆରେ ୨୧୦ କିଲୋ, ବାଲିଗୁଡାରେ ୪୨ କିଲୋ
ଫୁଲବାଣୀ/ବାଲିଗୁଡା : କନ୍ଧମାଳ ଜିଲାରେ ବନ୍ଦ ହେଉନାହିଁ ବେଆଇନ ଗଂଜେଇ କାରବାର। ଆଜି ପୁଣି ଫିରିଙ୍ଗିଆ ଓ ବାଲିଗୁଡା ପୁଲିସ ଦ୍ୱାରା ବିପୁଳ ପରିମାଣର ଗଂଜେଇ ଜବତ କରାଯିବା ସହ ତିନିଜଣଙ୍କୁ ଗିରଫ କରାଯାଇଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କୌଣସି ସୂତ୍ରରୁ ଖବର ପାଇ ଫିରିଙ୍ଗିଆ ଥାନା ପୁଲିସ ସରୁକୋଇ ଘାଟିରେ ଚଢାଉ କରିଥିଲେ। ସେଠାରେ କିଛି ବ୍ୟକ୍ତି ଗଂଜେଇ ଚାଲାଣ କରିବା ପାଇଁ ଉଦ୍ୟମ କରୁଥିବା ବେଲେ ପୁଲିସ ହାତରେ ଧରାପଡିଥିଲେ। ପୁଲିସ ଘଟଣାସ୍ଥଳରୁ ୨୧୦ କିଲୋ ଗଂଜେଇ ଜବତ କରିବା ସହ ଏହି କାରବାରରେ ସଂପୃକ୍ତ ଦୁଇଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ତେବେ ଅନ୍ୟ ଦୁଇଜଣ ସେଠାରୁ ଖସି ଚାଲିଯିବାରେ ସକ୍ଷମ ହୋଇଥିଲେ ବୋଲି ପୁଲିସ କହିଛି। ଏହି ବେଆଇନ ଗଂଜେଇ ଭୂବନେଶ୍ୱର ଚାଲାଣ ପାଇଁ ରଖାଯାଇଥିବା ଜଣାପଡିଛି। ଗିରଫ ବ୍ୟକ୍ତି ମାନେ ହେଲେ ଫିରିଙ୍ଗିଆ ଥାନା ଟେଲାପାଲି ପଂଚାୟତ ସିମିଝରି ଗ୍ରାମର ଦଣ୍ଡପାଣୀ କହଁର ଓ ଦୁମି କହଁର। ଫେରାର ହୋଇଯାଇଥିବା ଅଭିଯୁକ୍ତ ପ୍ରଭାକର କହଁର ଓ ଜଳେଶ୍ୱର କହଁର କୁଡୁକି ଗ୍ରାମର ବୋଲି ପୁଲିସ ପ୍ରକାଶ କରିଛି। ଏହି ଘଟଣାରେ ପୁଲିସ କେସ ନଂ ୨୭/୨୧ ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଥିବା ଫିରିଙ୍ଗିଆ ଥାନା ଅଧିକାରୀ ଶ୍ୟମ ସୁନ୍ଦର ରାଓ ସୂଚନା ଦେଇଛନ୍ତି।
ସେହିଭଳି ଆଜି ବାଲିଗୁଡା ପୁଲିସ ଦ୍ୱାରା ୪୨ କିଲୋ ଗଂଜେଇ ଜବତ ହୋଇଛି। ସଂଧ୍ୟା ସମୟରେ ଏଏସଆଇ ଦୀପକ ରାଉତଙ୍କ ସହ ଅନ୍ୟମାନେ ପାଟ୍ରୋଲିଙ୍ଗ କରିୁଥିବା ସମୟରେ ଜକିକିଆ-ମିଡିଆକିଆ ରାସ୍ତାରେ ଗଂଜେଇ ଚାଲାଣ କରାଯାଇଉଥିବା ଖବର ପାଇ ସନ୍ଦେହରେ ଏକ ଅଟୋରିକ୍ସାକୁ ଯାଂଚ କରିଥିଲେ। ସେହି ଗାଡିରେ ୪୨ କିଲୋ ୩୦୦ ଗ୍ରାମ ଗଂଜେଇ ଥିବା ଦେଖିବାକୁ ମିଳିଥିଲା। ପୁଲିସ ଟିମ ଏହି ଗଂଜେଇକୁ ଜବତ କରିବା ସହ ଏହି ବେଆଇନ କାରବାରରେ ସଂପୃକ୍ତ ଲାଜର ଦିଗାଲଙ୍କୁ ଗିରଫ କରିଚି। ଜବତ ଗଂଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ହେବ ବୋଲି ପୁଲିସ କହିଛି। ଏଥିସହ ସଂପୃକ୍ତ ଅଟୋକୁ ପିଛା କରି ଆସୁଥିବା ଏକ ସ୍କୁଟର ମଧ୍ୟ ପୁଲିସ ଦ୍ବାରା ଜବତ ହୋଇଛି। ତେବେ ସ୍କୁଟରରେ ଆସୁଥିବା ବ୍ୟକ୍ତି ଜଣକ ଫେରାର ହୋଇଯାଇଥିବା ଜଣାପଡିଛି। ବାଲିଗୁଡା ପୁଲିସ ଏହି ମାମଲାରେ କେସ ନଂ ୪୫/୨୧ବାଲିଗୁଡା ପୁଲିସ ଏହି ମାମଲାରେ କେସ ନଂ ୪୫ା୨୧ରେ ମାମଲା କରି ତଦନ୍ତ ଚଲାଇଛି । ଫେରାର ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ବାଲିଗୁଡା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି।
Comments are closed.