www.samajalive.in
Saturday, December 6, 2025
17.1 C
Bhubaneswar

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ସରଗରମ ; ହାଇଟେକ୍‍ ପ୍ରଚାରରେ ନବୀନ

ଭୁବନେଶ୍ବର : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟରେ ପ୍ରଚାର ଅଭିଯାନ ସରଗରମ ହୋଇ ଉଠିଛି । ଏହି ପର୍ଯ୍ୟାୟରେ ଏପ୍ରିଲ ୧୧ ତାରିଖରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଏବଂ କୋରାପୁଟ ଲୋକସଭା ଆସନ ଏବଂ ଏହା ଅଧିନସ୍ଥ ୨୮ଟି ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏହି ସବୁ ନିର୍ବାଚନ କ୍ଷେତ୍ରରେ ନିର୍ବାଚନୀ ସଭାରେ ନିଜ ଦଳର ପ୍ରାର୍ଥୀ ମାନଙ୍କ ସପକ୍ଷରେ ପ୍ରଚାର କରିଛନ୍ତି । ତେବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାରଠାରୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ।

- Advertisement -

ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲାରେ ମାରାଥନ ହାଇଟେକ୍‍ ନିର୍ବାଚନ ପ୍ରଚାର କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମରେ ପ୍ରାୟ ୬୦ କିମିର ରୋଡ଼ ଶୋ’ କରିବା ସହିତ ୨ଟି ସାଧାରଣ ସଭାରେ ଉଦ୍‍ବୋଧନ ଦେଇ ବିଜେପି ନେତାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ବିଜୟା ଟକିଜଠାରେ ସ୍ୱତନ୍ତ୍ର ବସ୍‍ ଉପରୁ ଉଦ୍‍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ବିଜେପି ନେତାଙ୍କୁ ଟାର୍ଗେଟ କରି ବନ୍ୟା, ବାତ୍ୟା ଭଳି ଦୁର୍ବିପାକ ସମୟରେ ବିଜେପି ନେତାଙ୍କ ଦେଖା ମିଳୁ ନ ଥିବାବେଳେ ନିର୍ବାଚନବେଳେ ଦେଖାମିଳଛି ବୋଲି କହିଥିଲେ।
କନିଷିଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଉଦ୍‍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ବିଜେପି ନେତାଙ୍କୁ ସମାଲୋଚନା କରି ସେମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି କହିଥିଲେ। କାହାରି ନାମ ନ ଧରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଜେପି ନେତାମାନେ କେବଳ ବଡ଼ବଡ଼ କଥା କହିବେ। ଫାଇଲିନ, ହୁଦହୁଦ, ତିତ୍‍ଲି ଓ ମରୁଡି ସମୟରେ ବିଜେପିର ବଡ଼଼ନେତା କେହି ଆସିଲେ ନାହିଁ; କିନ୍ତୁ ନିର୍ବାଚନ ସମୟରେ ଭୋଟ ପାଇଁ ସମସ୍ତେ ଆସିଗଲେ। ଶୀତଳାପଲ୍ଲୀ ରେଳଡ଼ବା କାରଖାନା ଏବଂ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ପ୍ରତିଶ୍ରୁତି କୁଆଡ଼େ ଗଲା ବୋଲି ସେମାନଙ୍କୁ ପ୍ରଶ୍ନ କରିବାକୁ ମୁଖ୍ୟମନ୍ତ୍ରୀ ପଛାଇ ନ ଥିଲେ। ସେହିପରି ବନ୍ୟା ଓ ବାତ୍ୟାରେ ଓଡ଼ିଶାରେ କେନ୍ଦ୍ରର ସହଯୋଗ ମିଳୁ ନ ଥିବା ଏବଂ ଏସସିଏସ୍‍ଟି ପିଲାଙ୍କ ମେଧାବୃତ୍ତି ବନ୍ଦ କରିବା, ପ୍ରତିବର୍ଷ ୨ କୋଟି ଚାକିରି ନଦେବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଅବଗତ କରାଇଥିଲେ। କୁଆଡ଼େ ଗଲା ପ୍ରତିବର୍ଷ ଦୁଇକୋଟି ଚାକିରି, ନିର୍ବାଚନ ସମୟରେ ଆସିବେ, ବଡ଼ବଡ଼ କଥା କହିବେ, ତା’ ପରେ ଆଉ ସେମାନଙ୍କ ଦେଖା ମିଳିବନି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସାଢ଼େ ଚାରିକୋଟି ଓଡ଼ିଶାବାସୀ ମୋର ପରିବାର। ମୁଁ ସବୁବେଳେ ଆପଣଙ୍କ ପାଖରେ ଅଛି ଓ ରହିବି ମଧ୍ୟ। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଆମର ଯୋଜନା ସବୁବର୍ଗ ପାଇଁ ରହିଛି। କାଳିଆ ଯୋଜନାରେ ୪୦ଲକ୍ଷ ଚାଷୀ ଉପକୃତ ହେଲେ; କିନ୍ତୁ କିଛି ବିରୋଧୀ ଦଳ ଏହାକୁ ବିରୋଧ କରୁଛନ୍ତି । ଚାଷୀଭାଇମାନେ ନିର୍ବାଚନରେ ଏହାର ଜବାବ ଦେବାକୁ ଶ୍ରୀ ପଟ୍ଟନାୟକ ଆହ୍ୱାନ କରିବା ସହିତ ଏମ୍‍ପି ଓ ଏମ୍‍ଏଲ୍‍ଏ ପାଇଁ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ କହିଥିଲେ। ଆପଣଙ୍କ ଖୁସିରେ ମୋର ଖୁସି, ଆପଣମାନେ ମୋତ ଆଶୀର୍ବାଦ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

ଅନ୍ୟ ପକ୍ଷରେ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଭିନ୍ନ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ସହ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଛି। କେତେକ ଅସନ୍ତୁଷ୍ଟ ନେତା ଦଳ ଅଦଳ ବଦଳରେ ଲାଗିଛନ୍ତି ।

ତେବେ ପ୍ରଥମ  ପର୍ଯ୍ୟାୟରେ ହେବାକୁ ଥିବା ପାଞ୍ଚଟି ଲୋକସଭା ଓ ୩୫ଟି ବିଧାନସଭା ଆସନ ପାଇଁ ମୋଟ୍‍ ୨୭୯ ଜଣ ପ୍ରାର୍ଥୀ ରହିଛନ୍ତି। ପାଞ୍ଚଟି ଲୋକସଭା ଆସନ ପାଇଁ ମୋଟ୍‍ ୩୫ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଥିବାବେଳେ ୩୫ଟି ବିଧାନସଭା ଆସନ ପାଇଁ ୨୪୪ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱୀତା କରୁଛନ୍ତି।

କଳାହାଣ୍ଡି ଲୋକସଭା ଆସନ ଏବଂ ଏହା ଅଧିନସ୍ଥ ନୂଆପଡ଼ା, ଖରିଆର, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା ଏବଂ ନର୍ଲା ବିଧାନସଭା ଆସନରେ ଏପ୍ରିଲ ୧୧ ତାରିଖରେ ମତଦାନ ଅନୁଷ୍ଠିତ ହେବ। ସେହିପରି ନବରଙ୍ଗପୁର ଲୋକସଭା ଆସନ ଏବଂ ଏହା ଅଧିନସ୍ଥ ଉମରକୋଟ, ଝରିଗାଁ, ନବରଙ୍ଗପୁର, ଡାବୁଗାଁ, ପଟାଙ୍ଗୀ, ମାଲକାନାଗିରି ଓ ଚିତ୍ରକୋଣ୍ଡା ବିଧାନସଭା ଆସନରେ ସେହିଦିନ ମତଦାନ କରାଯିବ। ବ୍ରହ୍ମପୁର ଲୋକସଭା ଆସନ ଏବଂ ଏହା ଅଧିନସ୍ଥ  ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା, ପାରଳାଖେମୁଣ୍ଡି ବିଧାନସଭା ଆସନରେ ମଧ୍ୟ ଏହି ଦିନ ମତଦାନ ଅନୁଷ୍ଠିତ ହେବ। ସେହିପରି କୋରାପୁଟ ଲୋକସଭା ଆସନ ଏବଂ ଏହା ଅଧିନସ୍ଥ ଗୁଣୁପୁର, ବିଷମକଟକ, ରାୟଗଡ଼ା, ଲକ୍ଷ୍ମୀପୁର, କୋଟପାଡ଼, ଜୟପୁର ଓ କୋରାପୁଟ ବିଧାନସଭା ଆସନରେ ଏପ୍ରିଲ ୧୧ ତାରିଖରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories