ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ କମିଟି ବୈଠକରେ ଇଲେକ୍ଟ୍ରୋନିକ ସିଗାରେଟର ଉତ୍ପାଦନ, ନିର୍ମାଣ, ଆମଦାନୀ, ରପ୍ତାନି, ପରିବହନ, ବିକ୍ରୟ, ବିତରଣ, ମହଜୁଦ ଏବଂ ବିଜ୍ଞାପନ ନିଷେଧ ଅଧ୍ୟାଦେଶ, ୨୦୧୯କୁ ମଞ୍ଜୁରୀ ମିଳିଛି।
ତେବେ ଅଧ୍ୟାଦେଶ ଘୋଷଣା ହେବା ପରେ ଇ-ସିଗାରେଟର କୌଣସି ପ୍ରକାର ଉତ୍ପାଦନ, ନିର୍ମାଣ, ଆମଦାନୀ, ରପ୍ତାନି, ପରିବହନ, ଅନଲାଇନ ଓ ଅଫଲାଇନ ବିକ୍ରୟ, ଅନଲାଇନ ଓ ଅଫଲାଇନ ବିତରଣ କିମ୍ବା ବିଜ୍ଞାପନକୁ ଏକ ଦଣ୍ଡନୀୟ ଅପରାଧ ଭାବେ ଗ୍ରହଣ କରାଯିବ। ପ୍ରଥମ ଥର ଅପରାଧ କ୍ଷେତ୍ରରେ ଏକ ବର୍ଷ ଜେଲ ଦଣ୍ଡ କିମ୍ବା ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଅଥବା ଉଭୟ ଦଣ୍ଡ ବିଧାନ କରାଯିବ। ପୁଣି ଥରେ ଅପରାଧ କରିବା କ୍ଷେତ୍ରରେ ତିନିବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଏବଂ ପାଂଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଲାଗୁ ହୋଇପାରେ। ଇଲେକ୍ଟ୍ରୋନିକ ସିଗାରେଟ ମହଜୁଦ କରିବା ପାଇଁ ମଧ୍ୟ ୬ ମାସ ପର୍ଯ୍ୟନ୍ତ ଜେଲ ଦଣ୍ଡ ଅଥବା ୫୦ ହଜାର ଟଙ୍କା ଜୋରିମାନା ଅଥବା ଉଭୟ ଦଣ୍ଡ ବିଧାନ କରାଯିବ।
ଇ-ସିଗାରେଟ ଏକ ବ୍ୟାଟେରୀ ଯୁକ୍ତ ଉପକରଣ ଯେଉଁଥିରେ ତରଳ ନିକୋଟିନ ଗରମ ହୋଇ ଏରୋସୋଲ ଉତ୍ପନ୍ନ କରିଥାଏ। ସାଧାରଣ ସିଗାରେଟରେ ଏରୋସୋଲ ନିଶା ସୃଷ୍ଟିକାରୀ ଉପାଦାନ ଭାବରେ ବ୍ୟବହାର କରାଯାଇଥାଏ। ଇ-ସିଗାରେଟରେ ଇଲେକ୍ଟ୍ରୋନିକ ନିକୋଟିନ ଡେଲିଭରୀ ସିଷ୍ଟମ, ଜଳାଇବା ପରିବର୍ତେ ଗରମ ହେଉଥିବା ଉତ୍ପାଦ, ଇ-ହୁକ୍କାଏବଂ ଅନୁରୂପ ଅନ୍ୟ ଉପକରଣ ମଧ୍ୟ ସାମିଲ ରହିଛି। ଏହା ସୁଗନ୍ଧଯୁକ୍ତ ଓ ଏହାର ଉପଯୋଗ ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବିକଶିତ ଦେଶଗୁଡ଼ିକରେ ଯୁବକ ଏବଂ ଶିଶୁ ଏହାର ବହୁଳ ବ୍ୟବହାର କରୁଥିବା ଜଣାପଡିଛି।



