www.samajalive.in
Saturday, December 6, 2025
15.1 C
Bhubaneswar

ଉପନିର୍ବାଚନ ପ୍ରସ୍ତୁତି ଆରମ୍ଭ: ସଂକ୍ରମିତ ବା ସଂଗରୋଧୀଙ୍କୁ ଶେଷରେ ମିଳିବ ଭୋଟଦାନ ସୁଯୋଗ

ଦୁଇ ଜିଲାପାଳଙ୍କ ସହ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଆଲୋଚନା

ପ୍ରତି ବୁଥରେ ରହିବ ସର୍ବାଧିକ ୧୦୦୦ ମତଦାତାଙ୍କ ସୂଚୀ

ଅତିରିକ୍ତ ବୁଥ୍ ନିମନ୍ତେ ରାଜନୈତିକ ଦଳ ସହ ଆଲୋଚନା ହେବ

ସାମାଜିକ ଦୂରତ୍ବ, ମାସ୍କ, ସାନିଟାଇଜର ଆଦି ଉପରେ ଗୁରୁତ୍ବ

ନିର୍ବାଚନମଣ୍ଡଳୀ ପାଇଁ ଜଣେ ଲେଖାଏଁ ନୋଡ଼ାଲ ସ୍ବାସ୍ଥ୍ୟ ଅଧିକାରୀ

ଭୁବନେଶ୍ବର: ବିହାର ନିର୍ବାଚନ ସହ ଅନୁଷ୍ଠିତ ହେବ ଓଡ଼ିଶାର ୨ଟି ଉପନିର୍ବାଚନ । ବାଲେଶ୍ବର ସଦର ଓ ତିର୍ତ୍ତୋଲ ବିଧାନସଭା କ୍ଷେତ୍ର ନିମନ୍ତେ ଉପନିର୍ବାଚନ ହେବ ବୋଲି କେନ୍ଦ୍ର ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ପରେ ଓଡ଼ିଶା ମୁଖ୍ୟ ନିର୍ବଚାନ ଅଧିକାରୀ ସୁଶୀଲ କୁମାର ଲୋହାନୀ ବୁଧବାର ବାଲେଶ୍ବର ଓ ଜଗତସିଂହପୁର ଜିଲାର ଜିଲାପାଳଙ୍କ ସହ ଉପନିର୍ବାଚନ ପ୍ରସ୍ତୁତି ସଂକ୍ରାନ୍ତ ଆଲୋଚନା କରିଛନ୍ତି । ଭିଡ଼ିଓ କନଫରେନ୍ସ ଜରିଆରେ ହୋଇଥିବା ଏହି ଆଲୋଚନାରେ କୋଭିଡ଼-୧୯ ମହାମାରୀପ ରିପ୍ରେକ୍ଷୀରେ ସୁରୁଖୁରୁରେ ଉପନିର୍ବାଚନ କରାଯିବା ଏବଂ ସୁରକ୍ଷିତ ଭାବରେ ନିର୍ବାଚନ ପରିଚାଳନା ସଂକ୍ରାନ୍ତରେ ଆଲୋଚନା ହୋଇଛି । ନିର୍ବାଚନର ପୁରା ପ୍ରକ୍ରିୟାରେ ସାମାଜିକ ଦୂରତ୍ବ, ଥର୍ମାଲ ସ୍କ୍ରିନିଂ, ମାସ୍କ -ଗ୍ଲୋଭ୍ସ ପିନ୍ଧିବା, ସାନିଟାଇଜର ବ୍ୟବହାର, ଭୋଟର ଓ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷା ସଂକ୍ରାନ୍ତ ସଚେତନତା ସୃଷ୍ଟି ଉପରେ ମଧ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆଲୋଚନା କରିଥିଲେ ।

ସୂଚନା ଅନୁସାରେ କୋଭିଡ଼ -୧୯ ଦୃଷ୍ଟିରୁ ନିର୍ବାଚନ ସମୟରେ ଜଣେ ଅଭିଜ୍ଞ ଡ଼ାକ୍ତରଙ୍କୁ ପୁରା ନିର୍ବାଚନମଣ୍ଡଳୀସ୍ତରୀୟ ନୋଡ଼ାଲ ସ୍ବାସ୍ଥ୍ୟ ଅଧିକାରୀ ଭାବରେ ନିଯୁକ୍ତି ଦିଆଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ସେହିପରି ଗୋଟିଏ ବୁଥରେ ସର୍ବାଧିକ ୧ହଜାର ମତଦାତାଙ୍କ ସୂଚୀ ପ୍ରସ୍ତୁତ କରିବା, ବିିଭିନ୍ନ ରାଜନୈତିକ ଦଳଗୁଡ଼ିକ ସହ ଆଲୋଚନା କରି ଅତିରିକ୍ତ ବୁଥ୍ ସୃଷ୍ଟି ଉପରେ ଗୁରୁତ୍ବ, କୋଭିଡ଼ ସଂକ୍ରମିତ ବା ସଙ୍ଗରୋଧରେ ଥିବା ଭୋଟରଙ୍କ ପାଇଁ ଅଲଗା ବ୍ୟବସ୍ଥା କରାଯିବା ଉପରେ ଆଲୋଚନା ହୋଇଥିଲା । ସଂକ୍ରମିତ ବା ସଂଗରୋଧରେ ଥିବା ଭୋଟରଙ୍କୁ ସବା ଶେଷରେ ଭୋଟ ଦେବାକୁ ଅନୁମତି ଦିଆଯିବା ଉପରେ ମଧ୍ୟ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି । ଅପରପକ୍ଷରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ ତାଲିମ, ଯାନବାହନ, ସୁରକ୍ଷା, ଷ୍ଟ୍ରଙ୍ଗରୁମ୍, ଭୋଟଗଣତି କେନ୍ଦ୍ର ସଂପର୍କରେ ମଧ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆଲୋଚନା କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଭବାନୀ ପ୍ରସାଦ ରାୟ, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର, ଦୁଇ ଜିଲାର ଜିଲାପାଳ ଓ ଏସପି ଉପସ୍ଥିତ ଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories