ହୀରାକୁଦ କୃତ୍ରିମ ହ୍ରଦକୁ ରେକର୍ଡ଼ ସଂଖ୍ୟକ ବିଦେଶୀ ପକ୍ଷୀ ଆଗମନ

ବୁର୍ଲା: ୫୫୦ ବର୍ଗ କିଲୋମିଟର ପରିମିତ ହୀରାକୁଦ କୃତ୍ରିମ ହ୍ରଦରେ ଚଳିତ ବର୍ଷ ଶୀତ ଋତୁରେ ୧୨୨ ପ୍ରଜାତିର ୩,୭୭,୭୩୨ ପରିଭ୍ରାଜକ ବିଦେଶୀ ପକ୍ଷୀ ଆସିଥିବା ଜଣାପଡ଼ିଛି। ଗତ ୧୮ ତାରିଖ ଦିନ ଭୋର ୬ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ସଂଯୋଜନାରେ ସମ୍ବଲପୁର ଓ ଝାରସୁଗୁଡ଼ା ଜଙ୍ଗଲ ଡିଭିଜନ ପକ୍ଷରୁ ଏହି ପକ୍ଷୀ ଗଣନା କରାଯାଇଥିଲା। ଗତବର୍ଷ ତୁଳନାରେ ୩୫, ୩୦୦ ଅଧିକ ପକ୍ଷୀ ଆସିଥିବା ପକ୍ଷୀଗଣନାରୁ ଜଣାପଡ଼ିଛି। ଏମାନଙ୍କ ମଧ୍ୟରେ ୧୧ଟି ପ୍ରଜାତିରେ ନୂଆ ପକ୍ଷୀ ଆସିଛନ୍ତି।
ଏଥର ଜଳଭଣ୍ଡାରର ୨୧ଟି ସେକ୍ଟରରେ ପକ୍ଷୀଗଣନା କରାଯାଇଥିଲା। ତନ୍ମଧ୍ୟରୁ ଗୋବିନ୍ଦପୁର, ଝରାପଡ଼ା ଏବଂ ଲାଉଁସରା ଓ ଛତିଶଗଡ଼ ସୀମାକୁ ନେଇ ଗଠିତ ସେକ୍ଟରରେ ସର୍ବାଧିକ ପକ୍ଷୀ ଠାବ କରାଯାଇଛି। ସେହିଭଳି ସର୍ବାଧିକ ପ୍ରଜାତିର ପକ୍ଷୀଙ୍କ ମଧ୍ୟରୁ ଲେସର ହ୍ୱିସିଲିଙ୍ଗ ଡକ୍ ୬୩, ୨୦୨, କମନ କୁଟ ୫୫, ୨୪୭ ଏବଂ ଟଫ୍ ଟେଡ ଡକ୍ ୪୫, ୭୪୭ ପକ୍ଷୀ ବିଭିନ୍ନ ଦେଶରୁ ଆସିଛନ୍ତି। ପକ୍ଷୀଗଣନା ସମୟରେ ଠାବ କରାଯାଇଥିବା ନୂତନ ପରିଭ୍ରାଜକ ପକ୍ଷୀମାନଙ୍କ ମଧ୍ୟରେ ୱେଷ୍ଟର୍ଣ୍ଣ ୟେଲୋ ବ୍ୱାଗ ଟେଲ, ପିଣ୍ଟେଲ ସ୍ନାଇପ, ଓରିଏଣ୍ଟାଲ ସ୍କାଇ ଲାର୍କ, ରେଡ଼ ନେକଡ ଫାଲକନ, କ୍ଲାମରସ ରିଡ଼ ବ୍ୱାର ବ୍ଲର, କେଷ୍ଟେଡ ଲାର୍ଜ, କେଣ୍ଟିସ ପ୍ଲୋଭର, ଗ୍ରିନିସ ୱାର ବ୍ଲର, ପେଲିଟ ହେରିୟର, ରଫ ଓ ଲେନ୍ସିଓ ଲେଟେଡ ବ୍ୱାର ବ୍ଲଡ ପ୍ରଜାତିର ପକ୍ଷୀଙ୍କୁ ଠାବ କରାଯାଇଛି। ଯୁକ୍ତରାଷ୍ଟ୍ର ଆମେରିକା, ୟୁରୋପିଅ ଦେଶ, ସାଇବେରିଆ, ମଧ୍ୟ ପ୍ରାଚ୍ୟର, ମଙ୍ଗୋଲିଆ, କାସ୍ପିଆନ ହ୍ରଦରୁ ହଜାର ହଜାର କିଲୋମିଟର ଆକାଶ ପଥ ଅତିକ୍ରମ କରି ହୀରାକୁଦକୁ ଆସିଥିବା ଅନ୍ୟ ପ୍ରଜାତିର ପକ୍ଷୀମାନେ ହେଲେ ପୋଚାଡ୍ସ, ଡେଟ, କ୍ରେଷ୍ଟେଡ ବ୍ରିଫ୍ସ, କର୍ମୋରାଣ୍ଟ, ହେରନ୍ସ, ଜାକାନାଶ, ସଡିଲସ, ଲାଭ ବ୍ୱିନ୍ସ, ସେଣ୍ଡ ପାିପର, ଗଲଫ ଡକ, ଟର୍ଣ୍ଣ, ପ୍ଲୋଭର୍ସ, ସ୍ରାଇକ୍ସ ପହଞ୍ଚିଛନ୍ତି ବୋଲି ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଡଏଫଓ ଅଂଶୁପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି। ଚଳିତ ବର୍ଷ ଯୁକ୍ତରାଷ୍ଟ୍ର ଆମେରିକାରୁ ହଜାର ହଜାର କିଲୋମିଟର ଆକାଶପଥ ଅତିକ୍ରମ କରି ପରିଭ୍ରାଜକ ପକ୍ଷୀମାନେ ଆସିଥିବା ଦୃଷ୍ଟାନ୍ତ ରହିଛି। ହୀରାକୁଦ ବନ୍ୟପ୍ରାଣୀ ଡ଼ିଭିଜନ, ସମ୍ବଲପୁର ଓ ଝାରସୁଗୁଡ଼ା ବନଖଣ୍ଡର ଜିରୋ ପଏଣ୍ଟ, ବାରଖଣ୍ଡିଆ, ଚୌରାଶିମାଲ, ବର ଡ଼ୁମା, ଗୋବିନ୍ଦପୁର, ଲାଉଁସରା, ଝରାପଡ଼ା, ରମ୍ପାଲୁଗା, ତିଲିଆ, ଜମାଦାର ପାଲି, ସପ୍ନେ, ପାବ୍ୱାର ଚେନାଲ, ଅଠରହଜାର କେନାଲ ପ୍ରଭୃତି ସ୍ଥାନରେ ଏହି ପକ୍ଷୀଗଣନା କରାଯାଇଛି ବୋଲି ହୀରାକୁଦ ଡିଏଫଓ ଅଂଶୁପ୍ରଜ୍ଞା ଦାସ ସୁଚନା ଦେଇଛନ୍ତି। ବିଶେଷକରି ହିମାଳୟ ଅଞ୍ଚଳର ଦେଶ ସମୁହ, ୟୁରୋପ ମହାଦେଶ, ଋଷିଆ, ମଙ୍ଗୁଲିଆ, ଚିନ ପ୍ରଭୃତି ଦେଶରୁ ଏହି ପକ୍ଷୀମାନଙ୍କର ଆଗମନ ହେଉଛି। ସୁଚନା ଯୋଗ୍ୟ ଯେ, ୨୦୨୧ରେ ହୀରାକୁଦ ହ୍ରଦକୁ ଆର୍ନ୍ତଜାତୀୟ ସଂସ୍ଥା ଦ୍ୱାରା ରାମସର ଆର୍ଦ୍ର ଭୂମି ମାନ୍ୟତା ଦିଆଯାଇଥିଲା। ନଦୀବନ୍ଧ କୂଳରେ ଥିବା ଗୋବିନ୍ଦପୁରକୁ ପକ୍ଷୀଗ୍ରାମ ଓ ଢୁଣ୍ଡରୋ କୁସୁମକୁ ସବୁଜ ଗ୍ରାମ କରାଯାଇ ହ୍ରଦ କୂଳକୁ ପକ୍ଷୀମାନଙ୍କ ବିଚରଣ ପାଇଁ ପ୍ଲାଷ୍ଟିକ ମୁକ୍ତ କରାଯାଇଛି। ୨୦୨୪ରେ ହୋଇଥିବା ହୀରାକୁଦର ପକ୍ଷୀଗଣନାରେ ୧୧୨ ପ୍ରଜାତିର ରେକର୍ଡ଼ ୩ ଲକ୍ଷ ୪୨ ହଜାର ୩୩୯ଟି ପକ୍ଷୀ ଆସିଥିବା ରେକର୍ଡ଼ କରାଯାଇଥିଲା।
ସୂଚନାଯୋଗ୍ୟ ଯେ, ଡିଭିଜନ ପକ୍ଷରୁ ହୀରାକୁଦ ଜଳଭଣ୍ଡାର କୂଳ ଗୋବିନ୍ଦପୁର ଗ୍ରାମକୁ ପକ୍ଷୀଗ୍ରାମ ଘୋଷଣା କରାଯାଇଥିବାବେଳେ ପରିଭ୍ରାଜକ ପକ୍ଷୀମାନଙ୍କର ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଇଛି। ୨୦୨୨ରେ ୧୦୪ ପ୍ରଜାତିର ୨୦୮୬୩୪, ୨୦୨୧ରେ ୯୮ ପ୍ରଜାତିର ୧, ୨୪୮୬୪ ଏବଂ ୨୦୨୦ରେ ୯୩ ପ୍ରଜାତିର ୯୭୮୯୯ ବିଦେଶୀ ପକ୍ଷୀ ଜଳଭଣ୍ଡାରକୁ ଆସିଥିଲେ।
Comments are closed.