ନୂଆଦିଲ୍ଲୀ/ଭୁବନେଶ୍ୱର : ଆଜି ସଂସଦରେ ଉପସ୍ଥାପନ ହୋଇଥିବା ଅନ୍ତରୀଣ ବଜେଟରେ ଏଥର ପୂର୍ବତଟ ରେଳପଥକୁ ୭୦୧୦ କୋଟି ଟଙ୍କାର ଅନୁଦାନ ମିଳିଛି ଯାହାକି ପୂର୍ବବର୍ଷ ତୁଳନାରେ ୧୩% ଅଧିକ। ବିଭିନ୍ନ ପ୍ରକଳ୍ପ, ବିଦ୍ୟୁତ୍କରଣ, ଯାତ୍ରୀ ସୁବିଧା, ମରାମତି କାରଖାନା, ରେଳ ଧାରଣା ନିର୍ମାଣ ପାଇଁ ଏହି ଅନୁଦାନ ମିଳିଛି। ଚଳିତ ବଜେଟରେ କେବଳ ନୂଆ ରେଳ ଲାଇନ୍ ବିଛାଇବା ପାଇଁ ୨୬୩୯ କୋଟି ଟଙ୍କା ମିଳିଛି। ଗତବର୍ଷର ଅନୁଦାନ ତୁଳନାରେ ଏଥିପାଇଁ ଚଳିତ ବର୍ଷ ୬୭% ଅଧିକ ଅନୁଦାନ ମିଳିଛି। ସେହିପରି ଯାତ୍ରୀ ସୁବିଧା ବାବଦ ପ୍ରକଳ୍ପ ପାଇଁ ଗତବର୍ଷ ରେଳବାଇ
ଓଡ଼ିଶାକୁ ୮୨ କୋଟି ଟଙ୍କା ଦେଇଥିଲା। ତେବେ ଏଥର ଏ ବାବଦକୁ ୨୬୩୦ କୋଟି ଟଙ୍କା ମିଳିବ।
ହସ୍ତଗତ ସୂଚନା ଅନୁସାରେ ତାଳଚେର-ଅନୁଗୋଳ ମଧ୍ୟରେ ନୂଆ ରେଳ ଲାଇନ୍ ବିଛାଇବା ପ୍ରକଳ୍ପକୁ ମଞ୍ଜୁରି ଦେଇଛି ରେଳ ମନ୍ତ୍ରାଳୟ। ୧୪.୫ କିମି ଲମ୍ବର ନୂଆ ଲାଇନ୍ ବିଛାଇବା ପାଇଁ ୨୭୮ କୋଟି ଟଙ୍କା ବ୍ୟୟ କରାଯିବ। ସେହିପରି ଅନୁଗୋଳ-ସୁକିନ୍ଦା (୯୮.୭ କିମି) ରେଳ ଲାଇନ୍ ପାଇଁ ୨୫୦ କୋଟି, ହରିଦାସପୁର-ପାରାଦ୍ବୀପ (୮୨ କିମି) ପାଇଁ ୪୦୦ କୋଟି, ଖୋର୍ଦ୍ଧାରୋଡ଼-ବଲାଙ୍ଗିର (୨୮୯ କିମି) ପାଇଁ ୩୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ତାଳଚେର-ବିମଳାଗଡ଼ (୧୫୪ କିମି) ରେଳ ଲାଇନ୍ ବିଛାଇବା ପାଇଁ ୧୫୦ କୋଟି, ଜୟପୁର-ମାଲକାନଗିରି (୧୨୭ କିମି) ପାଇଁ ୭୦ କୋଟି ଏବଂ ଜୟପୁର-ନବରଙ୍ଗପୁର (୩୮ କିମି) ପାଇଁ ୧୦ କୋଟି ଟଙ୍କା ଦିଆଯାଇଛି। ଅପରପକ୍ଷେ ତୃତୀୟ ଲାଇନ୍ ଏବଂ ଦୋହରୀକରଣ ପ୍ରକଳ୍ପ ପାଇଁ ପାଖାପାଖି ୧୭୦୦ କୋଟି ଟଙ୍କା ମଞ୍ଜୁର ହୋଇଛି। ସମ୍ବଲପୁର-ତାଳଚେର (୧୭୪୧୧ କିମି) ରେଳ ଲାଇନ୍ ଦୋହରୀକରଣ ପ୍ରକଳ୍ପ ପାଇଁ ୨୪୯ କୋଟି, ସମ୍ବଲପୁର-ଟିଟିଲାଗଡ଼ (୧୮୨.୧୧ କିମି) ପାଇଁ ୧୭୦ କୋଟି, ବାଂଶପାଣି-ଦୈତାରୀ-ଟମ୍କା-ଜଖପୁରା (୧୮୦ କିମି) ଲାଇନ୍ ପାଇଁ ୮୫ କୋଟି, ଭଦ୍ରକ-ନିର୍ଗୁଣ୍ଡି (୮୦ କିମି) ତୃତୀୟ ଲାଇନ୍ ପାଇଁ ୮୬ କୋଟି, ବିଜୟନଗରମ୍-ସମ୍ବଲପୁର ୩ୟ ଲାଇନ୍ ପାଇଁ ୩୫୦ କୋଟି, ଜରପଡ଼ା-ବୁଢ଼ାପଙ୍କ ୩ୟ ଓ ୪ର୍ଥ ଲାଇନ୍ ପାଇଁ ୧୨୦ କୋଟି, ବୁଢ଼ାପଙ୍କ-ଶାଳଗଁା ମଧ୍ୟରେ ୩ୟ ଓ ୪ର୍ଥ ଲାଇନ୍ ପାଇଁ ୨୧୦ କୋଟି, କୋରାପୁଟ-ସିଗନାପୁର ରୋଡ଼ ପାଇଁ ୨୦୫ କୋଟି, ମନୋହରପୁର-ବନ୍ଧମୁଣ୍ଡା ୩ୟ ଲାଇନ୍ ପାଇଁ ୪୦ କୋଟି, ରାଉରକେଲା-ଝାରସୁଗୁଡ଼ା ୩ୟ ଲାଇନ୍ ପାଇଁ ୧୫୦ କୋଟି ଏବଂ ବନ୍ଧମୁଣ୍ଡା-ରାଉରକେଲା ୪ର୍ଥ ଲାଇନ୍ ନିର୍ମାଣ ପାଇଁ ୨୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ରାୟପୁର-ଝାରସୁଗୁଡ଼ା (୩୧୦ କମି) ପାଇଁ ୧୦ ଲକ୍ଷ ଟଙ୍କା, ଚାମ୍ପା-ଝାରସୁଗୁଡ଼ା ୩ୟ ଲାଇନ୍ ପାଇଁ ୫୨ କୋଟି, ଝାରସୁଗୁଡ଼ା-ବିଳାସପୁର ୪ର୍ଥ ଲାଇନ୍ (୨୦୬ କିମି) ପାଇଁ ୨୦ କୋଟି, ବିମଳାଗଡ଼-ଭୂମିତ୍ରା ପାଇଁ ୧୦ କୋଟି, ଜମ୍ପାଝରଣ-ବିମଳାଗଡ଼ ପାଇଁ ୨୦ କୋଟି, ଝାରସୁଗୁଡ଼ା-ରାଉରକେଲା ୩ୟ ଲାଇନ୍ ପାଇଁ ୧୫୦ କୋଟି, ବନ୍ଧମୁଣ୍ଡା-ରାଞ୍ଚି (୧୫୮ କିମି) ପାଇଁ ୧୯୦ କୋଟି, ନାରାୟଣଗଡ଼-ଭଦ୍ରକ ୩ୟ ଲାଇନ୍ (୧୫୫ କିମି) ପାଇଁ ୫ କୋଟି, ବନ୍ଧମୁଣ୍ଡା-ରାଉରକେଲା ୪ ର୍ଥ ଲାଇନ୍ ପାଇଁ ୨୦ କୋଟି ଏବଂ ଦୀଘା-ଜଳେଶ୍ବର (୪୧ କିମି) ପାଇଁ ୧ ଲକ୍ଷ ଟଙ୍କାର ପ୍ରାଥମିକ ଅନୁଦାନ ମିଳିଛି।
ଏଠାରେ ସୂଚନାଯୋଗ୍ୟ ଯେ ଗତବର୍ଷ ବଜେଟ୍ରେ ରେଳ ମନ୍ତ୍ରାଳୟ ପୂର୍ବତଟ ରେଳପଥକୁ ୫୨୫୨ କୋଟି ଟଙ୍କା ଦେଇଥିଲା।
ପୂର୍ବତଟ ରେଳପଥକୁ ମିଳିଲା ୭୦୧୦ କୋଟି
Popular Categories



