ବିଏସଏନଏଲର ବିପର୍ଯ୍ୟସ୍ତ ସେବା; ମୁଁହ ଫେରାଉଛନ୍ତି ଗ୍ରାହକ

ଆଠଗଡ :  କଟକ ଜିଲ୍ଲାର ଅନ୍ୟତମ ପ୍ରମୁଖ ତଥା ସର୍ବବୃହତ ଉପଖଣ୍ଡ ଆଠଗଡ ଅଞ୍ଚଳରେ ଭାରତ ଦୂରସଞ୍ଚାର ନିଗମର ସେବା ଅତ୍ୟନ୍ତ ନିମ୍ନମାନର ଓ ବିପର୍ଯ୍ୟସ୍ତ ଅବସ୍ଥାରେ ପହଞ୍ଚିଛି। ଏଥି ଯୋଗୁଁ ବିଏସଏନଏଲ ସେବା ପ୍ରତି ବିମୁଖ ଗ୍ରାହକ ନିଜର ଟେଲିଫୋନ ଓ ଇଣ୍ଟରନେଟ ସଂଯୋଗ ଛିନ୍ନ କରିବା ପାଇଁ ବାଧ୍ୟ ହେଉଛନ୍ତି । ଏଠାରେ ଫାଇବର କେବୁଲ ଇଣ୍ଟରନେଟ ସେବା ଯୋଗାଇ ଦିଆଯାଉଥିବାବେଳେ ନୂତନ ଗ୍ରାହକ ଏଥିପାଇଁ ଆବେଦନ କରି ମାସ ମାସ ଧରି ଅପେକ୍ଷା କରିବା ପରେ ବିତସ୍ପୃହ ହୋଇ ଆଉ ବିଏସଏନଏଲ ସେବା ପ୍ରତି ଆଗ୍ରହ ପ୍ରକାଶ ନକରି ଘରୋଇ ଇଣ୍ଟରନେଟ ସେବା ପ୍ରତି ଆକର୍ଷିତ ହେଉଥିବା ଦେଖିବାକୁ ମିଳୁଛି । ଆଠଗଡ ଉପଖଣ୍ଡ ମୁଖ୍ୟ ଦପ୍ତରରେ ଥିବା ମୁଖ୍ୟ ଟେଲିଫୋନ ଏକ୍ସଚେଞ୍ଜରେ କାର୍ଯରତ ଜେଟିଓ ଏବଂ ଜେଇ ସବୁବେଳେ କର୍ମଚାରୀ ଅଭାବ ଦର୍ଶାଇ ସେବା ଦେବାରେ ଅବହେଳା ପ୍ରଦର୍ଶନ କରିଆସୁଛନ୍ତି । ଅସ୍ଥାୟୀ କର୍ମଚାରୀମାନଙ୍କୁ ଠିକଣା ସମୟରେ ସେମାନେ ପାଉଥିବା ଅତିସ୍ୱଳ୍ପ ପ୍ରାପ୍ୟ ମଧ୍ୟ ଦିଆଯାଉ ନାହିଁ । ଫଳରେ ସେମାନେ ବି କ୍ଷେତ୍ରରେ କାମ କରିବା ପାଇଁ ଆଗ୍ରହ ପ୍ରକାଶ କରୁନାହାଁନ୍ତି । ଏଠାରେ ନିଯୁକ୍ତ ଜେଟିଓ ଓ ଜେଇ ସ୍ଥାନୀୟ ଅଞ୍ଚଳର ହୋଇଥିବାରୁ ସେମାନଙ୍କଠାରୁ ଉତ୍ତମ ସେବା ଗ୍ରାହକମାନେ ଆଶା କରୁଥିବାବେଳେ ସେମାନେ କିନ୍ତୁ ସେବା ଦେବାରେ ଅବହେଳା ପ୍ରଦର୍ଶନ କରୁଥିବା ଗ୍ରାହକମାନେ ଅଭିଯୋଗ କରିଛନ୍ତି ।  ଇଣ୍ଟରନେଟ ସେବା ବ୍ୟକ୍ତିଗତ ହେଉ ଅବା ଆନୁଷ୍ଠାନିକ ସଂଯୋଗରେ ବାରମ୍ବାର ତ୍ରୁଟି ଦେଖାଯାଉଥିବାବେଳେ ସେଗୁଡିକ ମରାମତି କରି ସଚଳ କରିବା ପାଇଁ ଦିନ ଦିନ ବିତି ଯାଉଥିଲେ ମଧ୍ୟ କାର୍ଯ୍ୟ ହୋଇପାରୁନାହିଁ । ଗ୍ରାହକମାନେ ଟେଲିଫୋନ କଲେ ସଂପୃକ୍ତ ଅଧିକାରୀ ଧରୁନାହାଁନ୍ତି ଅଥବା ଧରିଲେ ସେମାନଙ୍କର ଗୁଡାଏ ସମସ୍ୟା କଥା କହି ସମୟ ଗଡାଇ ଚାଲିଛନ୍ତି । ବର୍ତ୍ତମାନ ସମୟରେ ସମସ୍ତେ ଇଣ୍ଟରନେଟ ଉପରେ ନିର୍ଭରଶୀଳ ଥିବାବେଳେ ସରକାରଙ୍କ ଦ୍ୱାରା ପରିଚାଳିତ ଭାରତୀୟ ଦୂରସଞ୍ଚାର ନିଗମ ସେବା ଯୋଗାଇ ଦେଇ ପାରୁନଥିବାରୁ ଲୋକମାନେ ଇଣ୍ଟରନେଟ ସେବାରୁ ବଞ୍ଚିତ ହେଉଛନ୍ତି ଏବଂ ବାଧ୍ୟ ହୋଇ ଘରୋଇ ସେବା ପ୍ରଦାନକାରୀ ସଂସ୍ଥାର ସେବା ନେଉଛନ୍ତି । ଏଠାରେ ଅବସ୍ଥାପିତ ଏସଡିଓ ଆଠଗଡ ସମେତ ବାଙ୍କୀ ଓ କଟକ ଦାୟିତ୍ୱରେ ଥିବାରୁ ସେ ମାସକରେ ଥରଟିଏ ମଧ୍ୟ ଆଠଗଡ ଆସୁନାହାଁନ୍ତି କିମ୍ବା ଏଠାରେ ଦେଖାଯାଉଥିବା ସମସ୍ୟାର ସମାଧାନ ଦିଗରେ କୌଣସି ପଦକ୍ଷେପ ନେଉନାହାଁନ୍ତି । ଫଳରେ ଆଠଗଡର ବିଏସଏନଏଲ ଗ୍ରାହକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ବିଏସଏନଏଲର ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ସେବାରେ ଉନ୍ନତି ଆଣିବା ପାଇଁ ଉପଭୋକ୍ତାଙ୍କ ପକ୍ଷରୁ ଦାବି ହେଉଛି।

kalyan agarbati

Comments are closed.